ଏଣିକି ଭିକ୍ଷାମାଗୁଥିବା କିନ୍ନରଙ୍କ ଉପରେ ଲାଗିବ କଟକଣା : ଟ୍ରେନ୍ ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ

6,146

କନକ ବ୍ୟୁରୋ : ଟ୍ରେନ୍ ହେଉ କି ଷ୍ଟେସନ୍ ଆଉ ହଇରାଣ କରିପାରିବେନି କିନ୍ନର । ଟ୍ରେନ୍ ତଥା ଷ୍ଟେସନ୍ ଭିତରକୁ କିନ୍ନରଙ୍କ ପ୍ରବେଶ ଉପରେ କଟକଣା ଲାଗିବ । କିନ୍ନରମାନେ ପ୍ରବେଶ କରିବେ ନାହିଁ । ଯାତ୍ରୀ ହିସାବରେ ସେମାନେ ଯାଇପାରିବେ କିନ୍ତୁ ଭିକ୍ଷାବୃତ୍ତି କରି ପାରିବେ ନାହିଁ । ଗତକାଲି ରେଲୱେ କତୃର୍ପକ୍ଷ, ଆରପିଏଫ ଓ ରେଳବାଇ ପୁଲିସ ଏକ ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଅବଶ୍ୟ ଏଥିପାଇଁ କିନ୍ନରମାନଙ୍କୁ ଏକ ସୁଯୋଗ ନିଶ୍ଚୟ ଦିଆଯିବ । କିନ୍ନରମାନଙ୍କ ସହିତ ପ୍ରଥମେ ଆଲୋଚନା କରାଯିବ, ସେମାନେ ରହୁଥିବା ସ୍ଥାନକୁ ଯାଇ ପୁଲିସ ସେମାନଙ୍କୁ ବୁଝାଇବ।

ଦିନକୁ ଦିନ ଟ୍ରେନରେ କିନ୍ନରଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । ଯାତ୍ରୀମାନଙ୍କ ଠାରୁ ଡରାଇ ଧମକାଇ କିନ୍ନରମାନେ ଟଙ୍କା ଆଦାୟ କରୁଥିବାର ଦେଖିବା ପାଇଁ ମିଳୁଛି । ଟଙ୍କା ନଦେଲେ ଯାତ୍ରୀଙ୍କୁ ଟ୍ରେନରୁ ଠେଲି ମାରଦେବାର ମଧ୍ୟ ଅନେକ ନଜିର ରହିଛି । ବାରମ୍ବାର ଏପରି ଘଟଣାର ପୁନରାବୃତ୍ତି ଯୋଗୁଁ ଯାତ୍ରୀଙ୍କ ସୁରକ୍ଷାକୁ କଡ଼ାକଡ଼ି କରିବା ପାଇଁ ନିଷ୍ପତ୍ତି ହୋଇଛି ।  ରାଜ୍ୟରେ ବୃଦ୍ଧି ପାଉଥିବା ଟ୍ରେନ ଜନିତ ସମସ୍ୟାରେ ସିଧାସଳଖ ଯାତ୍ରୀ ମାନେ ପ୍ରଭାବିତ ହେଉଥିବା ବେଳେ ଏହାର ନିରାକରଣ ଜରୁରି ହୋଇପଡିଛି ।

ସେଥିପାଇଁ ଯାତ୍ରୀ ମାନଙ୍କ ସୁରକ୍ଷାକୁ ନେଇ ଆରପିଏଫ୍ ଏବଂ ଜିଆରପି ମଧ୍ୟରେ କିଭଳି ଉତମ ସମନ୍ୱୟ ରହିବ ଏବଂ କିଭଳି ଟ୍ରେନ ଲୁଟେରା ମାନଙ୍କୁ ଚେକ ଦିଆଯିବା ସେ ବିଷୟରେ ଆଲୋଚନା କରାଯାଇଥିଲା । ଅନ୍ୟପଟେ କିନ୍ନରମାନେ ଯାତ୍ରୀମାନଙ୍କୁ ହଇରାଣ କରୁଥିବା ବେଳେ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ନିଷ୍ପତି ନିଆଯାଇଛି ।