କନକ ବ୍ୟୁରୋ : ଗତ ସପ୍ତାହେ ଧରି କ୍ୟାପିଟାଲ ହସ୍ପିଟାଲରେ ବନ୍ଦ ହୋଇ ରହିଥିବା ଅସ୍ତ୍ରୋପଚାର ଗୃହ ବା ଓଟି ଆଜି ପୁଣିଥରେ ଆରମ୍ଭ ହୋଇଛି। ବାଙ୍କୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଆନେସ୍ଥେସିଆ ବିଶେଷଜ୍ଞ ବିଷ୍ଣୁ ପ୍ରସାଦ ସାହୁଙ୍କୁ କ୍ୟାପିଟାଲ ହସ୍ପିଟାଲରେ ନିଯୁକ୍ତ କରାଯାଇଛି। ଛୁଟିରେ ଥିବା ଆନେସ୍ଥେସିଆ ବିଶେଷଜ୍ଞ ଆସିବା ପର୍ଯ୍ୟନ୍ତ ସେ ଏଠାରେ ରହି କାର୍ଯ୍ୟ କରିବେ। ସପ୍ତାହ ଧରି କ୍ୟାପିଟାଲ ହସ୍ପିଟାଲର ରେଗୁଲାର ଓଟି ବନ୍ଦ ରହିଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଆନେସ୍ଥେସିଆ ବିଶେଷଜ୍ଞଙ୍କ ଅଭାବରୁ ହସ୍ପିଟାଲ କର୍ତୃପକ୍ଷ ଓଟିକୁ ବନ୍ଦ ରଖିଥିଲେ। ଏ ନେଇ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଥିଲେ ହେଁ ଜଣେ ଆନେସ୍ଥେସିଆ ବିଶେଷଜ୍ଞ କ୍ୟାପିଟାଲ ହସ୍ପିଟାଲକୁ ଆଣିବାକୁ ନେଇ ଛକାପଞ୍ଝା ଲାଗି ରହିଥିଲା। ତେବେ ଗତକାଲି ଜଣେ ଆନେସ୍ଥେସିଆ ବିଶେଷଜ୍ଞ କ୍ୟାପିଟାଲ ହସ୍ପିଟାଲରେ ନିଯୁକ୍ତ ହେବା ପରେ ବିଳମ୍ବିତ ରାତିରେ ଏକ ଜରୁରୀ ଅସ୍ତ୍ରୋପଚାର ହୋଇଥିଲା। ଆଜିଠାରୁ ପୂର୍ବଭଳି ରେଗୁଲାର ଓଟି କାର୍ଯ୍ୟ କରିଛି।
Kanak News is now on WhatsApp
Join and get latest news updates delivered to you via WhatsApp
କ୍ୟାପିଟାଲ ହସ୍ପିଟାଲରେ ୩ଟି ଓଟି ମଧ୍ୟରୁ ୨ଟି ଓଟି ଏବେ ଚାଲୁଛି। ଅସ୍ଥିଶଲ୍ୟ ବିଭାଗ ଓଟି ଦୀର୍ଘ ବର୍ଷ ହେବ ବନ୍ଦ ହୋଇଯାଇଥିବା ବେଳେ ରେଗୁଲାର ଓଟି ଓ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଆଉ ଏକ ଓଟି ରହିଛି। ହସ୍ପିଟାଲରେ ଏଥିପାଇଁ ୪ଟି ଆନେସ୍ଥେସିଆ ବିଶେଷଜ୍ଞ ପଦବି ରହିଛି। ତେବେ ଏଥିରୁ ଜଣଙ୍କର ଦେହାନ୍ତ ହୋଇଯାଇଥିବା ବେଳେ ଅନ୍ୟ ଜଣଙ୍କ ବଦଳି ହୋଇଯାଇଛି। ଆଉ ରହିଥିବା ୨ଜଣଙ୍କ ମଧ୍ୟରୁ ଜଣେ ଦୁଇ ଦିନ ତଳେ ସ୍ୱାସ୍ଥ୍ୟଗତ କାରଣ ପାଇଁ ୧ମାସ ପାଇଁ ଛୁଟି ନେଇଛନ୍ତି। ଯାହାଫଳରେ ରେଗୁଲାର ଓଟିକୁ ବନ୍ଦ କରି ଦିଆଯାଇଥିଲା।