ବିଜେଡିରୁ ନିଲମ୍ବନ ପରେ ବୈଜୟନ୍ତଙ୍କୁ ନେଇ ଚର୍ଚ୍ଚା ଯୋର । ବିଜେଡି ନେତାଙ୍କ ସ୍ୱାଗତ, ଜୁଏଲ କହିଲେ ସାଂସଦ ଠିକ କଥା କହୁଥିଲେ

49

କନକ  ବ୍ୟୁରୋ : ବିଜେଡିିରୁ ବୈଜୟନ୍ତ ପଣ୍ଡା  ବିଜେଡିରୁ ବହିଷ୍କୃତ ହେବା ପରେ ବିଜେଡି ଓ ବିଜେପି ନେତାମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବିଜେଡି ନେତାମାନେ ନିଷ୍ପତିକୁ ଠିକ ବୋଲି କହିଥିବାବେଳେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, ଦଳୀୟ ଗଣତନ୍ତ୍ର ଦୃଷ୍ଟିରୁ  ବୈଜୟନ୍ତ ଠିକ କଥା କହୁଥିଲେ । ଜୁଏଲ କହିଛନ୍ତ, ବୈଜୟନ୍ତ ସବୁବେଳେ ଠିକ କହନ୍ତି  । ୧୯୯୫ ଓ ୧୯୯୭ରେ ଜନତାଦଳର ପୁନରାବୃତ୍ତି ବିଜେଡିରେ ଦେଖୁଛି  । ଦଳ ଭିତରେ ଆଗରୁ ଅନେକ ଅସନ୍ତୋଷ ରହିଥିଲା, ଏବେ ତାହା ଖେିବାକୁ ମିଳୁଛି ବୋଲି ସେ କହିଛନ୍ତି ।

ସେପଟେ ବିଜେଡି ନେତା ସମୀର ଦାଶ ବିଜେଡି ସୁପ୍ରିମୋଙ୍କ ନିଷ୍ପତ୍ତିକୁ  ସ୍ୱାଗତ କରିଛନ୍ତି । ଦଳ ଆବଶ୍ୟକତା ଅନୁଯାୟୀ ପଦକ୍ଷେପ ନେଇଛି ବୋଲି  ସେ କହିଛନ୍ତି । ଅଫିସ ଅଫ ପ୍ରଫିଟ କଥା ନିର୍ବାଚନ କମିଶନ ନିଷ୍ପତି ନେବେ ବୋଲି ସେ ସୂଚାଇ ଦେବା ସହ  ବିଜେପି ନିଜ ଦଳ ବିଷୟରେ ଚିନ୍ତାକରୁ ବୋଲି କହିଛନ୍ତି  ।  ବିଜୟ ଓ ଦୀଲିପଙ୍କୁ ବିଜେପି  ନ ସମ୍ଭାଳି  ଅନ୍ୟଦଳର କଥା ମୁଣ୍ଡପୁରାଇବା କେତେଦୂର ଠିକ ବୋଲି  ସମୀର ପ୍ରଶ୍ନ କରିଛନ୍ତି ।

ବିଜେଡି ନେତା ଦେବାଶିଷ  ସାମନ୍ତରାୟ ନିଜର ପ୍ରତିକ୍ରିୟାରେ କହିଛନ୍ତି, ଦଳ ବିରୋଧରେ ଯିଏ ଯିବ ତାଙ୍କ ବିରୋଧରେ ଏପରି ପଦକ୍ଷେପ ନିଆଯିବ । ବୈଜୟନ୍ତ ବାରମ୍ବାର ଦଳ ବିରୋଧରେ ଗଣମାଧ୍ୟମରେ ମତ ରଖୁଥିଲେ । ତୃତୀୟ ମହଲାକୁ ଟାର୍ଗେଟ କରୁଥିଲେ । ତାଙ୍କ ମନ୍ତବ୍ୟ ପାଇଁ ବିରୋଧୀଙ୍କୁ  ସମାଲୋଚନା କରିବ ପାଇଁ ଖୋରାକ ଯୋଗାଉଥିଲା ବୋଲି ସେ କହିଛନ୍ତି ।

ବିଜେଡିରୁ ବହିଷ୍କୃତ ହେବା ପରେ ଚର୍ଚ୍ଚାରେ ବୈଜୟନ୍ତ ପଣ୍ଡା । ୨୦ ବର୍ଷ ପରେ ଦଳରୁ ବିଦା ହୋଇଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା । ଏହା ପରେ ତାଙ୍କ ନିକଟରେ କ’ଣ ରହିଛି ବିକଳ୍ପ, ତାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ମୋଦି ସରକାରଙ୍କ ବିଭିନ୍ନ ଯୋଜନାକୁ ଅନେକ ଥର ଉଚ୍ଚ ପ୍ରଶଂସା କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ । ବିଜେଡିର ନେତୃତ୍ୱର କାର୍ଯ୍ୟଧାରା ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ । ତେଣୁ ବିଜେପିରେ ସେ ଯୋଗ ଦେବେ ବୋଲି କଳ୍ପନା ଜଳ୍ପନା ଚାଲିଛି । ଅନ୍ୟ ଦଳରେ ଯୋଗ ଦେବାକୁ ହେଲେ ବିଜେଡିରୁ ଇସ୍ତଫା ଦେବାକୁ ପଡିବ ସାଂସଦଙ୍କୁ ।

ଏପରି କଲେ ସାଂସଦ ପଦ ହରାଇବା ଆଶଙ୍କା ମଧ୍ୟ ରହିଛି । ଗତକାଲି ବିଜେଡି ଉପସଭାପତି ସୂର୍ଯ୍ୟନାରାୟଣ ପାତ୍ର ପ୍ରେସ ମିଟ୍ କରି ବୈଜୟନ୍ତ ପଣ୍ଡାଙ୍କୁ ଦଳର ପ୍ରାଥମିକ ସଦସ୍ୟରୁ ନିଲମ୍ବିତ କରାଯାଇଥିବା ସୂଚନା ଦେଇଥିଲେ । ଦଳକୁ ସମାଲୋଚନା ଓ ବିରୋଧୀଙ୍କୁ ପ୍ରଶଂସା କରିବା ଯୋଗୁଁ ତାଙ୍କୁ ନିଲମ୍ବିତ କରାଯାଇଥିବା ଦଳ ପକ୍ଷରୁ କୁହାଯାଇଛି । ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦଳରୁ ନିଲମ୍ବନ କରିବା ସହ ପରୋକ୍ଷରେ ବିଜେପି ସହ ସାଂସଦଙ୍କ ସମ୍ପର୍କକୁ ବି ଇସାରା କରିଛି ଦଳ । କେନ୍ଦ୍ର ନେତୃତ୍ୱ ସହ ବୈଜୟନ୍ତଙ୍କ ସମ୍ପର୍କକୁ ନେଇ ତଥ୍ୟ ରଖିଛନ୍ତି ଦଳୀୟ ଉପସଭାପତି ସୂର୍ଯ୍ୟନାରାୟଣ ପାତ୍ର । ଅନ୍ୟପଟେ ଟ୍ୱିଟ୍ କରି ନିଲମ୍ବିତ ଘଟଣାରେ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଛନ୍ତି ବୈଜୟନ୍ତ ପଣ୍ଡା ।