ବିଶ୍ୱାସରେ ମିଳନ୍ତି କାଳିଆ ସାଆନ୍ତ ! ଯିଏ ଯେଉଁ ଭାବରେ ଡାକନ୍ତି ତାକୁ ସେଇ ରୂପରେ ଦେଖା ଦିଅନ୍ତି ମହାପ୍ରଭୁ ଜଗନ୍ନାଥ
ଦେଶର ଆଧ୍ୟାତ୍ମିକ ଜନମାନସର ସର୍ବଶେଷ ଉଦ୍ବର୍ତ୍ତନ ଜଗନ୍ନାଥଙ୍କୁ ଅନ୍ୟମାନଙ୍କ ପରି କୌଣସି ଶାସ୍ତ୍ର ପୁରାଣ ଜନ୍ମ ଦେଇନାହିଁ, ସ୍ୱୀକାର କରିବା ପାଇଁ ଦୁଃସାହସ କରିନାହିଁ, ସେ ହେଉଛନ୍ତି ଲୋକର ଦେବତା ଜନମାନସର ଅପୂର୍ବ ଅଲୌକିକ ପ୍ରତିରୂପ ନୌମିଦେବଂ ଜଗନ୍ନାଥଂ ସଚ୍ଚିଦାନନ୍ଦ ବିଗ୍ରହମ, ଯେ ନିତ୍ୟଂ ରମତେ ନୀଳାଚଳେ ତୈ ବ୍ରହ୍ମଧାମନି । ବ୍ରହ୍ମଧାମ ଶ୍ରୀକ୍ଷେତ୍ରର ମହନୀୟତା ହେଉଛି ଏହି ପାବନ ନୀଳାଚଳ ଧାମର ନାମ ପୁରୁଷୋତ୍ତମ ଏବଂ କ୍ଷେତ୍ରଧୀଶ୍ୱର ମଧ୍ୟ ପୁରୁଷୋତ୍ତମ। ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥ ହିଁ ଅଖିଳ ଭାରତର ସ୍ୱାମୀ, ଆର୍ଯ୍ୟ, ଅନାର୍ଯ୍ୟ, ବେଦାନ୍ତୀ, ଶୈବ, ବୈଷ୍ଣବ ସଭିଏଁ ତାଙ୍କରି ଭିତରେ ଆପଣା ଆପଣା ଇଷ୍ଟଙ୍କୁ ଦର୍ଶନ କରିଛନ୍ତି, ଅର୍ଥ ତାଙ୍କ ନାମ, ରୂପ, ଲୀଳା ଓ ଧାମର ରହସ୍ୟ ଭେଦ କରିବାକୁ ସମର୍ଥ ହୋଇପାରି ନାହାନ୍ତି। ଜଗତର ନାଥ ହୋଇଥିବାରୁ ଜଗତବାସୀଙ୍କୁ ଏକ ସାମ୍ୟ ଦୃଷ୍ଟିରେ ଦେଖୁ ଥାଆନ୍ତି। ତେଣୁ ଭୃଗୁ ଗୀତାରେ କୁହାଯାଇଛି ସମୋହଂ ସର୍ବଭୂତଷୁ। ଏଣୁ ତାହାଙ୍କୁ ଜାଣିବା ବା ବର୍ଣ୍ଣନା କରିବା ସମ୍ଭବ ନୁହେଁ। ବେଦାନ୍ତ ଶାସ୍ତ୍ର ଯାହାଙ୍କୁ କହିଛି ନେତି-ନେତି, ଆର୍ଯ୍ୟ ଓ ଅନାର୍ଯ୍ୟ ମାନଙ୍କ ରାଜା ଇନ୍ଦ୍ରଦ୍ୟୁମ୍ନ ଶବର ଶ୍ରେଷ୍ଠ ବିଶ୍ୱାବସୁ ଓ ପ୍ରମୁଖ ବ୍ରାହ୍ମଣ ବିଦ୍ୟାପତି ତାଙ୍କ ସେବାର ଗୋଟିଏ ଗୋଟିଏ ଅଙ୍ଗ, ସେହିପରି ଶଙ୍କରାଚାର୍ଯ୍ୟଙ୍କ ସ୍ମୃତି, ଚୈତନ୍ୟଙ୍କ ଭକ୍ତି, ସାଲବେଗଙ୍କ ସଙ୍ଗୀତ ଓ ଦାସିଆ ବାଉରିର ଅଧିକାର, ତାଙ୍କ ସୃଷ୍ଟିର ଅନବଦ୍ୟ ଅବଦାନ ବିଶ୍ୱାବସୁ ଶବର ଦ୍ୱାରା ପୂଜିତ ନୀଳମାଧବ ଉଭାନ ହୋଇ ପରିଶେଷରେ ଦାରୁବ୍ରହ୍ମ ଭାବରେ ଆସି ଚତୁର୍ଦ୍ଧାମୂର୍ତ୍ତି ରୂପରେ ପ୍ରତିଷ୍ଠିତ ହୋଇ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ଶ୍ରୀକ୍ଷେତ୍ରରେ ବିଦ୍ୟମାନ ହେଲେ। ତେଣୁ କରି ଶ୍ରୀଜଗନ୍ନାଥ ବୌଦ୍ଧ କିମ୍ବା ଜୈନ୍ୟ ସଂପ୍ରଦାୟର ଦେବତା ବୋଲି କୁହାଯାଇପାରିବ ନାହିଁ ବରଂ ସେ ହେଉଛନ୍ତି ସର୍ବ ଧର୍ମର ସ୍ୱାମୀ, ତାଙ୍କ ପାଖରେ ସମସ୍ତେ ସମାନ। ସେ ଏକା ଧାରରେ ବୈଷ୍ଣବମାନଙ୍କର ବିଷ୍ଣୁ, ବୌଦ୍ଧମାନଙ୍କର ବୁଦ୍ଧ, ଜୈନମାନଙ୍କର ଜିନେଶ୍ୱର, ଶବରମାନଙ୍କର ପତିତପାବନ। ସବୁ ଧର୍ମର ଭକ୍ତମାନେ ଆସି ତାଙ୍କର ଉପାସନା କରିଅଛନ୍ତି ଏବଂ କରୁଛନ୍ତି। ଶ୍ରୀଜଗନ୍ନାଥ ଚେତନା ଅତି ବ୍ୟାପକ ଓ ଉଦାର, କୌଣସି ଗୋଟିଏ ଜାତି ଓ ସଂପ୍ରଦାୟରେ ସେ ଆବଦ୍ଧ ନୁହନ୍ତି। ଜଗତର ନାଥ ହୋଇଥିବାରୁ ଜଗତବାସୀଙ୍କୁ ଏକ ସାମ୍ୟ ଦୃଷ୍ଟିରେ ଦେଖୁଥାଆନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp
ସମତା ଉଦାରତା ଓ ସମନ୍ଵୟତାର ଶ୍ରେଷ୍ଠ ନିର୍ଯ୍ୟାସ ହିଁ ଜଗନ୍ନାଥ ସଂସ୍କୃତିର ପରମ ଓ ଚରମ ନିଦର୍ଶନ, ୧୬୨୭ରେ ଆଫଗାନ-ସ୍ଥାନରେ ମାମୁଦ୍ବିନ ଆମରଓ୍ାଲି ଏବଂ ଆବୁଲଫାଜଲଙ୍କ ଇତିହାସରେ ଜଗନ୍ନାଥ ସଂସ୍କୃତିରେ ଲୋକ ସଂସ୍କୃତିର ସଂପର୍କରେ ଅବତାରଣା ପ୍ରଣିଧାନ ଯୋଗ୍ୟ। ୧୭୦୭ ରେ ଆଲେକଜାଣ୍ଡର ହାମିଲଟନ ଆନନ୍ଦ ବଜାରରେ ଜଣେ ଜଣକ ଠାରୁ ମହାପ୍ରସାଦ ଛଡାଇ ଖାଉଥିବାର ଦୃଶ୍ୟ ଦେଖି ଏପରି ପ୍ରଭାବିତ ହୋଇ ପଡିଥିଲେ ଯେ ମହାପ୍ରସାଦକୁ ପାଇବା ପାଇଁ ଉଦଗ୍ରାବ ହୋଇ ତାହା ପାଇବା ପରେ ତୃପ୍ତ ହୋଇଥିବା କଥା ଯେ, ତାଙ୍କ ବିବରଣୀରେ ସୂଚନା ଦେବା ସହିତ ମହାର୍ଘ ମହାପ୍ରସାଦର ସାର୍ବଜନିନତା ସ୍ୱୀକାର କରିଛନ୍ତି, କେବଳ ମହାପ୍ରସାଦର ବିଭାବ କାହିଁକି ଶବରର ମେଣ୍ଡାମୁଣ୍ଡି ଚାଉଳ ଖେଚୁଡି ଅର୍ପଣ, ଜୈନର କୈବଲ୍ୟ, ଶୈବର ନିର୍ମାଲ୍ୟ, ବ୍ରାହ୍ମଣର ମନ୍ତ୍ରପାଠ ଏବଂ ଶାକ୍ତର ବ୍ରିହୀବଳୀର ସମନ୍ଵୟ ଘଟିଛି। ଶ୍ରୀ ଶ୍ରୀ ଜଗନ୍ନାଥଙ୍କର ଉପାସନା ପଦ୍ଧତିରେ ଜଗନ୍ନାଥ ଚେତନା ହିଁ ସମନ୍ଵିତ ଚେତନା। କେବଳ ମୂର୍ତ୍ତିପୂଜକ ନୁହନ୍ତି ଯେଉଁମାନେ ନିରାକାରବାଦୀ ଶୂନ୍ୟଧର୍ମରେ ବିଶ୍ୱାସୀ ସେମାନେ ମଧ୍ୟ ଜଗନ୍ନାଥଙ୍କ ଠାରେ ଅରୂପର ସନ୍ଧାନ କରିବାର ଦେଖାଯାଇଛି, ଯେ ଅବ୍ୟକ୍ତ, ନିରାକାର ଓ ଶୂନ୍ୟଦେହୀ ସେ ମଧ୍ୟ ଅଲେଖ ନିରଞ୍ଜନ। ତାଙ୍କର ହାତ ନାହିଁ ଅଥଚ ସେ ସକଳବସ୍ତୁ ଗ୍ରହଣ କରିଥାନ୍ତି। ତାଙ୍କର ପାଦ ନାହିଁ ତଥାପି ଦ୍ରୁତ ଗତିରେ ଗମନ କରିଥାନ୍ତି। ତାଙ୍କର ଚକ୍ଷୁ ନାହିଁ ଅଥଚ ସେ ସମଗ୍ର ବିଶ୍ୱକୁ ଦେଖୁଥାନ୍ତି। ତାଙ୍କର କାନ ନାହିଁ ଅଥଚ ସେ ସବୁ ଶୁଣୁଥାନ୍ତି । ବିଚିତ୍ର ସେ ଠାକୁର ! ବିଚିତ୍ର ତାଙ୍କ ଲୀଳା !