ରତନ ଟାଟାଙ୍କୁ ମିିଳିଲା ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନ । ‘ଅର୍ଡର ଅଫ୍ ଅଷ୍ଟ୍ରେଲିଆ’ ସମ୍ମାନରେ କରାଗଲା ସମ୍ମାନୀତ

1,253

କନକ ବ୍ୟୁରୋ : ଭାରତର ବିଶିଷ୍ଠ ଶିଳ୍ପପତି ତଥା ଟାଟା ଗ୍ରୁପର ମୁଖ୍ୟ ରତନ ଟାଟାଙ୍କୁ ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ କରାଯାଇଛି । ଅଷ୍ଟ୍ରେଲିଆର ରାଜଦୂତ ରତନ ଟାଟାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଅଷ୍ଟ୍ରେଲିଆ’ ସମ୍ମାନରେ ସମ୍ମାନୀତ କରିଛନ୍ତି । ଏନେଇ ଅଷ୍ଟ୍ରେଲିଆର ରାଜଦୂତ ବେରୀ ଓ ଫେରେଲ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଲେଖିଛନ୍ତି କି ଭାରତ ସହ ଅଷ୍ଟ୍ରେଲିଆରେ ବି ରତନ ଟାଟାଙ୍କ ଯୋଗଦାନ ରହିଛି ଓ ସେ ଜଣେ ବିଶିଷ୍ଠ ଶିଳ୍ପପତି ।

ଫେରେଲ ସୋସିଆଲ ମିଡିଆରେ ଫଟୋସହ ଏକ ପୋଷ୍ଟ କରି ଲେଖିଛନ୍ତି କି, ଭାରତରେ ରତନ ଟାଟା ବ୍ୟବସାୟୀକ ଶିଳ୍ପ ପରୋପକାର ପାଇଁ ବେଶ୍ ପରିଚିତ । ରତନ ଟାଟାଙ୍କର ଯୋଗଦାନର ପ୍ରଭାବ ଅଷ୍ଟ୍ରେଲିଆରେ ବି ଦେଖିବାକୁ ମିଳିଛି । ସେପଟେ ରତନ ଟାଟା ସୋସିଆଲ ମିଡିଆରେ ଲେଖିଛନ୍ତି କି, ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଦୀର୍ଘସ୍ଥାୟୀ ପ୍ରତିବଦ୍ଧତା ପାଇଁ ତାଙ୍କୁ ‘ଅର୍ଡର ଅଫ୍ ଅଷ୍ଟ୍ରେଲିଆ’ ସମ୍ମାନରେ ସମ୍ମାନୀତ କରାଯାଇଥିବାରୁ ସେ ବେଶ୍ ଖୁସି ଅଛନ୍ତି ।

ରତନ ଟାଟାଙ୍କୁ ଅଷ୍ଟ୍ରେଲିଆ-ଭାରତ ଦ୍ୱିପାକ୍ଷିକ ସଂପର୍କ, ବାଣିଜ୍ୟ, ନିବେଶ ଏବଂ ସମାଜସେବା ପାଇଁ ଅଷ୍ଟ୍ରେଲିଆର ଜେନେରାଲ ଡିଭିଜନରେ ସମ୍ମାନଜନକ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି । ଟାଟା ପାୱାର ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡର କାର୍ଯ୍ୟନିର୍ବାହୀ ଅଧିକାରୀ ରାହୁଲ ରଂଜନ ମଧ୍ୟ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ପୁରସ୍କାର ବିତରଣ ଉତ୍ସବର ଫଟୋ ସେୟାର କରିଛନ୍ତି ।