‘ରମାଦେବୀ’ରେ ରାଗିଂ ? ଛାତ୍ରୀ ଆଣିଲେ ସାଂଘାତିକ୍ ଅଭିଯୋଗ

265

କନକ ବ୍ୟୁରୋ : ରାଜଧାନୀର ଛାତି ଉପରେ ଥିବା ରମାଦେବୀ କଲେଜ୍ରୁ ଆସିଛି ରାଗଂ ଭଳି ସାଂଘାତିକ୍୍ ଅଭିଯୋଗ । ବଡ଼ କଥା ହେଉଛି, ରାଗିଂ ସ୍ଥିତିର ସାମ୍ନା କରିଥିବା ଏହି ଯୁକ୍ତ ଦୁଇ ଛାତ୍ରୀ, ଘଟଣା ସମ୍ପର୍କରେ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ମଧ୍ୟ ନ୍ୟାୟ ମିଳିନଥିବା ଅଭିଯୋଗ କରିଛନ୍ତି । ଫଳରେ ଗଣଶିକ୍ଷା ବିଭାଗକୁ ଲିିଖିତ ଭାବେ ନିଜର ଅଭିଯୋଗ ଜଣାଇଛନ୍ତି ସଂପୃକ୍ତ ଛାତ୍ରୀ । ସୂଚନା ଅନୁସାରେ- ଛାତ୍ରୀ ଜଣକ ନିଜର ପରିବାର ଓ କଲେଜ ପର୍ତ୍ତୃପକ୍ଷଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ବାପା-ମାଙ୍କ ଉପସ୍ଥିତିରେ କଲେଜ୍ କର୍ତ୍ତୃପକ୍ଷ ଛାତ୍ରୀଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ଘଟଣା ସମ୍ପର୍କରେ ଆଂଟି ରାଗିଂ ସେଲ୍ ତଦନ୍ତ କରିଥିଲା । ହେଲେ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି ।

ଛାତ୍ରୀ ଜଣକ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପାଠ ପଢୁଛନ୍ତି । ଅଭିଯୋଗ ଅନୁସାରେ- ରୁମରେ ତାଙ୍କୁ ଏକଘରକିଆ କରି ରଖାଯାଉଥିଲା । ସଂପୃକ୍ତ ଛାତ୍ରୀଙ୍କୁ ପୋଷାକପତ୍ର, ଜୋତା ଅଲଗା ରଖିବାକୁ କୁହାଯାଉଥିଲା । ଓଡ଼ିଆ ମିଡିୟମ ଏବଂ ଇଂରାଜୀ ମିଡିୟମ ପିଲାଙ୍କ ଭିତରେ ପାତରଅନ୍ତର କରାଯାଉଥିଲା । ଗଣଶିକ୍ଷା ବିଭାଗକୁ ଲଖାଯାଇଥିବା ଚିଠିରେ ସେ ଆହୁରୀ ଲେଖିଛନ୍ତି-୧୫ ଦିନ ହେଲା ଘରେ ବସିଛି । କିଛି ପଢ଼ିପାରୁନାହିଁ । କିନ୍ତୁ ଯେଉଁମାନେ ହଇରାଣ କଲେ ସେମାନଙ୍କୁ ସୁରକ୍ଷା ଦିଆଯାଉଛି । ଏହା କେଉଁ ପ୍ରକାର ବିଚାର? ତାଙ୍କ ଭଳି ଅନେକ ଓଡ଼ିଆ ମାଧ୍ୟମର ପିଲା ଏଭଳି ନିର୍ଯାତନାର ଶିକାର ହେଉଛନ୍ତି ବୋଲି ମୟୁରଭଞ୍ଜ ଜିଲ୍ଲାରୁ ଆସି ରମାଦେବୀରେ ଯୁକ୍ତ ଦୁଇ ପଢ଼ୁଥିବା ସଂପୃକ୍ତ ଛାତ୍ରୀ ଲେଖିଛନ୍ତି । ଏପଟେ କଲେଜର ଅଧ୍ୟକ୍ଷା କହିଛନ୍ତି, ଯେଉଁ ଅଭିଯୋଗ ଆସିଛି ତାହା ରାଗିଂ ନୁହେଁ ।

କଲେଜ ଅଧ୍ୟକ୍ଷ ଯେଉଁ ଭଳି ହାଲୁକା ଢ଼ଙ୍ଗରେ ପ୍ରତିକ୍ରିୟା ରଖୁଛନ୍ତି, ହୁଏତ ରାଗିଂ ସେଭଳି ଏକ ହାଲୁକା ଘଟଣା ନୁହେଁ । କାରଣ ନିକଟରେ ରାଗିଂ ଘଟଣା ଯୋଗୁଁ ଅନେକ ଛାତ୍ରଛାତ୍ରୀ, ଚରମ ନିଷ୍ପତି ନେବାର ନଜିର ରହିଛି ।