ଆଜି ରାକ୍ଷୀ ପୂର୍ଣ୍ଣିମା! ଭାଇ-ଭଉଣୀଙ୍କ ମଧ୍ୟରେ ପବିତ୍ର ବନ୍ଧନର ନିଆରା ପର୍ବ

130

କନକ ବ୍ୟୁରୋ : ଆଜି ରାକ୍ଷୀ ପୂର୍ଣ୍ଣିମା । ଭାଇ-ଭଉଣୀଙ୍କ ମଧ୍ୟରେ ପବିତ୍ର ବନ୍ଧନର ପ୍ରତୀକ ହେଉଛି ଏହି ରାକ୍ଷୀ । ହସଖୁସି ଓ ଆନନ୍ଦ ଉଲ୍ଲାସରେ ଆଜି ସାରା ଦେଶରେ ପାଳିତ ହେବ ରାକ୍ଷୀ ପୂର୍ଣ୍ଣମୀ । ରାକ୍ଷୀ ପୂର୍ଣ୍ଣିମାକୁ ଗହ୍ମା ପୂର୍ଣ୍ଣିମା ମଧ୍ୟ କୁହାଯାଏ । ମୁଖ୍ୟତଃ ଏହା ଏକ ହିନ୍ଦୁ ପର୍ବ ଯାହା ଭାରତରେ ଓ ଭାରତବାସୀଙ୍କ ଦ୍ଵାରା ପାଳନ କରାଯାଏ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ଵକୁ ଦୃଢ଼ କରିଥାଏ । ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ ଭାଇ ତାର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ ।

ଏହି ପର୍ବ ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ । ତେବେ ଅନ୍ୟ ରାଜ୍ୟମାନଙ୍କରେ ଏହି ଶ୍ରାବଣ ପୂର୍ଣ୍ଣିମାର ପର୍ବ ଭିନ୍ନ ରୀତିରେ ପାଳିତ ହେଇଆସୁଛି । ଗୁଜରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ ଆଦି ସ୍ଥାନରେ ଶ୍ରାବଣ ପୂର୍ଣ୍ଣିମାକୁ ନାରିକେଳ ପୂର୍ଣ୍ଣିମା ଭାବେ ପାଳିତ ହେଇଥାଏ । ଏହି ଦିନ ସମୂଦ୍ର ଦେବତା ବରୁଣଙ୍କୁ ନାରିକେଳ ବା ନଡ଼ିଆ ପ୍ରଦାନ କରାଯାଏ । ଉପକୂଳବର୍ତ୍ତୀ ଅଞ୍ଚଳ, ବିଶେଷ କରି ଯେଉଁମାନେ ନିଜର ଗୁଜରାଣ ମେଣ୍ଟାଇବା ପାଇଁ ସମୁଦ୍ର ଉପରେ ନିର୍ଭର କରିଥାନ୍ତି ସେମାଙ୍କ ପାଇଁ ଏହି ପର୍ବ ଯଥେଷ୍ଟ ମହତ୍ତ୍ଵ ରଖେ ।

ଗୁଜରାଟରେ ଏହି ଦିନ ପବିତ୍ରୋପନ ମଧ୍ୟ ପାଳିତ ହୋଇଥାଏ । ଶ୍ରାବଣର ପ୍ରତି ସୋମବାର ଶିବ ମନ୍ଦିରରେ ଜଳଲାଗି ସହ ପୂର୍ଣ୍ଣମୀରେ ଏହି ପର୍ବ ବହୁତ ଆଡ଼ମ୍ବର ସହିତ ପାଳିତ ହେଇଥାଏ । ଉତ୍ତରଭାରତରେ ଏହି ପର୍ବ କାଜରି ପୂର୍ଣ୍ଣିମା ଭାବେ ଜଣାଶୁଣା । ଭଲ ଫସଲ ଉତ୍ପାଦନ ପାଇଁ ଏହି ଦିନ ଦେବୀଙ୍କୁ ପୂଜା କରାଯାଇଥାଏ । ତେବେ ଏହା ସବୁ ସ୍ଥାନରେ ନୁହେଁ, ସ୍ଥାନୀୟ ଭାବେ ପାଳିତ ହୋଇଥାଏ । ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ର କେତେକ ସ୍ଥାନରେ ଏହା ପାଳିତ ହେଇଥାଏ । ତେବେ ଦକ୍ଷିଣ ଭାରତରେ ଏହି ତିଥିକୁ ଅବନୀ ଅୱିଟ୍ଟମ୍ ରୂପେ ପାଳନ କରାଯାଇଥାଏ ।

କିନ୍ତୁ ଆଜି ଚନ୍ଦ୍ରଗ୍ରହଣ ଥିବାରୁ ରାକ୍ଷୀର ଉଲ୍ଲାସରେ ଟିକିଏ ପିକା ପଡ଼ିବାର ସଂଭାବନା ରହିଛି । ଆଜି ଗ୍ରହଣ ଥିବାରୁ ଠିକ୍ ସମୟରେ ରାକ୍ଷୀ ବାନ୍ଧିବାକୁ ପଡ଼ିପାରେ । କାରଣ ଶାସ୍ତ୍ର ଅନୁସାରେ ଗ୍ରହଣ ପରେ ଯେ, କୌଣସି କାର୍ଯ୍ୟକୁ ଅଶୁଭ ବୋଲି ଧରାଯାଏ । ଗ୍ରହଣ ଯୋଗୁଁ ଆଜି ଅନ୍ନଭୋଜନ, ପାକତ୍ୟାଗ ଓ ବେଦନୀତି ଉପରେ କଟକଣାର ବିଶ୍ୱାସ ରହିଛି । ତେଣୁ ରକ୍ଷୀ ପୂର୍ଣ୍ଣମୀରେ ଦିନସାରା ପିଠାପଣା କିମ୍ବା ଖାନାପିନା ଉପରେ ହୁଏତ କଟକଣା ହୋଇପାରେ ।