ଏଟି ଚିଟଫଣ୍ଡ ଲିଙ୍କରେ ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀଙ୍କୁ ଗିରଫ କଲା ସିବିଆଇ

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅର୍ଥତତ୍ୱ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ଆଜି ଜେରା କରିବା ପରେ ଏକ ନାଟକୀୟ ମୋଡରେ  ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀଙ୍କୁ ଗିରଫ କରିଛି ସିବିଆଇ । ଏଥିସହ ବରିଷ୍ଠ ଆଇନଜୀବୀ ଦେବାଶିଷ ପଣ୍ଡାଙ୍କୁ ମଧ୍ୟ ଗିରଫ କରାଯାଇଛି । ଏହି ଦୁଇଜଣଙ୍କୁ ଅର୍ଥତତ୍ୱ ସହ ଲିଙ୍କ୍ ନେଇ ଗିରଫ କରାଯାଇଛି । ପୂର୍ବରୁ ମଧ୍ୟ ଏପ୍ରିଲ ମାସରେ ରଜତ ଚୌଧୁରୀଙ୍କୁ ବାରମ୍ବାର ଜେରା କରିଥିଲା ସିବିଆଇ । ରଜତ ଚୌଧୁରୀ ଅର୍ଥତତ୍ୱର ଜମି କିଣାବିକା ମାମଲାରେ ମଧ୍ୟସ୍ଥତା କରୁଥିଲେ ବୋଲି ଅଭିଯୋଗ ହୋଇଥିଲା । ପୂର୍ବ ଜେରା ସମୟରେ ଏହି ଜମି କିଣାବିକାରେ ଆଉ କେଉଁମାନେ ସଂପୃକ୍ତ ଥିଲେ, ଅର୍ଥତତ୍ୱ କେଉଁଠୁ ଟଂକା ଆଣୁଥିଲା , ଏସବୁ ତଥ୍ୟ ଜାଣିବା ପାଇଁ ଚାହିିଁଥିଲା ସିବିଆଇ । ସେପଟେ ଦେବାଶିଷ ପଣ୍ଡାଙ୍କ ସଂପୃକ୍ତିର ପ୍ରମାଣ ବି ପାଇଥିଲା ସିବିଆଇ ।

ପୂର୍ବତନ ଆଡଭୋକେଟ୍ ଜେନେରାଲ୍ ଅଶୋକ ମହାନ୍ତି ଅର୍ଥତତ୍ୱଠାରୁ କିଣିଥିବା ଘର କାଗଜପତ୍ରରେ ସାକ୍ଷୀ ଭାବେ ଦସ୍ତଖତ କରିଥିଲେ ଦେବାଶିଷ ପଣ୍ଡା । ଏହାଛଡା ଅର୍ଥତତ୍ୱ ସହ ଲିଙ୍କ ନେଇ ଗିରଫ ହୋଇଥିବା ପୂର୍ବତନ କ୍ରାଇମବ୍ରାଂଚ ଡିଏସପି ପ୍ରମୋଦ ପଣ୍ଡାଙ୍କୁ ଜେରା ସମୟରେ ସିବିଆଇ ଦେବାଶିଷଙ୍କ ସଂପୃକ୍ତି ନେଇ ତଥ୍ୟ ପାଇଥିଲା । ଏହାପରେ ଦେବାଶିଷ ପଣ୍ଡାଙ୍କୁ ଜେରା କରାଯାଇଥିଲା । ତେବେ ଏସବୁ ମାମଲାରେ ସେ ନିର୍ଦୋଷ ବୋଲି ପୂର୍ବରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ଦେବାଶିଷ । ଆଜି ଏଟି ମୁଖ୍ୟ ପ୍ରଦୀପ ସେଠୀଙ୍କୁ ତିନି ଘଂଟା ଧରି ଜେରା କରିଥିଲା ସିବିଆଇ । ଝାରପଡା ଜେଲରେ ପ୍ରଦୀପଙ୍କୁ ଜେରା କରିଥିଲେ ସିବିଆଇ ଅଧିକାରୀ । ଏହାପରେ ପ୍ରଦୀପଙ୍କ ସୂଚନା ଅନୁସାରେ ରଜତ ଚୌଧୁରୀ ଏବଂ ଦେବାଶିଷ ପଣ୍ଡାଙ୍କୁ ସିବିଆଇ ଗିରଫ କରିଛି ।