ଉପକୂଳ ଓଡ଼ିଶାରେ ଘୂର୍ଣ୍ଣିବଳୟର ପ୍ରଭାବ : ଆଜି ୪ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି

1,150

କନକ ବ୍ୟୁରୋ : ଉପକୂଳ ଓଡ଼ିଶାରେ ଘୂର୍ଣ୍ଣିବଳୟର ପ୍ରଭାବ । ଏହାର ପ୍ରଭାବରେ ଲାଗି ରହିଛି ବର୍ଷା । ଆଜି ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ଏହି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଏସବୁ ଅଞ୍ଚଳର ସମ୍ବେଦନଶୀଳ ସ୍ଥାନରେ ମାଟି ଧସିବା, ଚାଷ ଜମିରେ ପାଣି ଜମିବା, ମାଟି ଘର ଭାଙ୍ଗିବା ଓ ରାସ୍ତା ଧୋଇଯିବା ଆଶଙ୍କା ରହିଛି ।

ଏହା ସହ ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଖୋର୍ଦ୍ଧା, କଟକ, ଜଗତସିଂହପୁର, ନୟାଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ୨୦ ତାରିଖରୁ ବର୍ଷାର ବିସ୍ତୃତି ଓ ପରିମାଣ ବଢ଼ିବ । ସାଧାରଣତଃ ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର ଓ ନୟାଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଏଣୁ ଏସବୁ ଜିଲ୍ଲା ପାଇଁ ବି ଅରେଞ୍ଜ ୱାର୍ଣ୍ଣିଂ ଜାରି ହେବା ସହ ରାଜ୍ୟର ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ଭାରୀ ବର୍ଷା ସମ୍ଭାବନା ରହିଛି ।

ଆସନ୍ତାକାଲି ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ତଥା ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ସମୁଦ୍ର ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହାର ପ୍ରଭାବରେ ବର୍ଷାର ପରିମାଣ ଆହୁରି ବଢିପାରେ । ୨୧ ତାରିଖ ଯାଏଁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୨୨ରୁ ବର୍ଷା କମିବ ।