ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଆଜି ହେବ ଶେଷକୃତ୍ୟ : ଲକ୍ଷ ଲକ୍ଷ ଲୋକଙ୍କ ହେବ ସମାଗମ

85

କନକ ବ୍ୟୁରୋ : ଆଜି ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ବିଶ୍ୱର ୫ ଶହରୁ ଅଧିକ ରାଷ୍ଟ୍ରନେତା, ରାଜତନ୍ତ୍ର ମୁଖ୍ୟ, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏବଂ ଅନ୍ୟମାନେ ଯୋଗଦେଇ ରାଣୀଙ୍କୁ ଶେଷ ସମ୍ମାନ ଜଣାଇବେ । ଅତିଥି ତାଲିକାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ରହିଛନ୍ତି । ଶେଷକୃତ୍ୟରେ ସାମିଲ ହେବା ପାଇଁ ଲଣ୍ଡନ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୱେଷ୍ଟମିନିଷ୍ଟର ହଲରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମୁର୍ମୁ ଭାରତ ସରକାରଙ୍କ ପକ୍ଷରୁ ଶୋକ ପୁସ୍ତକରେ ସ୍ୱାକ୍ଷର କରିଛନ୍ତି ।

ଏହି ସମୟରେ କାର୍ଯ୍ୟକାରୀ ଉଚ୍ଚାୟୁକ୍ତ ସାଥୀରେ ଥିଲେ । ମହାରାଣୀଙ୍କ ଶେଷକୃତ୍ୟ ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବ । ବିଭିନ୍ନ ଦେଶରୁ ପ୍ରାୟ ୧୦ ଲକ୍ଷ ଲୋକ ଇଂଲଣ୍ଡ ଆସିଥିବା ସୂଚନା ମିଳିଛି । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ହଜାର ହଜାର ପୋଲିସ ମୁତୟନ କରାଯାଇଥିବା ବେଳେ ଶହ ଶହ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ସଶସ୍ତ୍ର ବଳ ଓ ଶତାଧିକ ସ୍ୱେଚ୍ଛାସେବୀ ମଧ୍ୟ ମୁତୟନ ହୋଇଛନ୍ତି । ପ୍ରାୟ ୧୦ ଲକ୍ଷ ଲୋକଙ୍କ ସମାଗମ ପାଇଁ ଲଣ୍ଡନ ପ୍ରସ୍ତୁତି କରିଛି । ଘରର ଛାତ ଉପରେ ସ୍ନାଇପର ରହିବେ ।

ରାସ୍ତାରେ ସ୍ମିଫର କୁକୁରଙ୍କୁ ଛଡ଼ାଯିବ । ଭିଡ ନିୟନ୍ତ୍ରଣ ପାଇଁ ୨୨ କିଲୋମିଟର ପର୍ଯ୍ୟନ୍ତ ବ୍ୟାରିକେଡ୍ କରାଯାଇଛି । ସୂଚନା ଅନୁସାରେ ଶେଷକୃତ୍ୟ କାର୍ଯ୍ୟକ୍ରମର ସୁରକ୍ଷା ପାଇଁ ୫୯ କୋଟି ଟଙ୍କା ଖର୍ଚ୍ଚ ହେବ । ରାଜ ପରିବାର କାର୍ଯ୍ୟକ୍ରମ ଇତିହାସରେ ପ୍ରଥମ ଥର କୌଣସି ସଦସ୍ୟଙ୍କ ଶେଷକୃତ୍ୟରେ ଏତେ ଅର୍ଥ ଖର୍ଚ୍ଚ କରାଯାଉଛି । ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କର ଗତ ସେପ୍ଟେମ୍ବର ୮ ତାରିଖରେ ୯୬ ବର୍ଷ ବୟସରେ ପରଲୋକ ହୋଇଥିଲା ।