ମଣିପୁର ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ଜୋରଦାର ଆକ୍ରମଣ: ରାବଣର ଉଦାହରଣ ଦେଇ କହିଲେ, ଦୁଇ ଜଣଙ୍କ କଥା ଶୁଣୁଛନ୍ତି ମୋଦୀ

182

କନକ ବ୍ୟୁରୋ: ଲୋକସଭାରେ ରାହୁଲ ଗାନ୍ଧୀଙ୍କ ଜୋରଦାର ଆକ୍ରମଣ । ମଣିପୁର ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କଲେ ରାହୁଲ । କହିଲେ, ମଣିପୁରରେ ପୂରା ଭାରତକୁ ହତ୍ୟା କରାଯାଇଛି । ଯେଉଁଭଳି ରାବଣ କେବଳ ୨ ଜଣଙ୍କ କଥା ଶୁଣୁଥିଲେ, ଜଣେ ମେଘନାଦ ଅନ୍ୟ ଜଣେ କୁମ୍ଭକର୍ଣ୍ଣ । ସେହିଭଳି ମୋଦୀ ମଧ୍ୟ କେବଳ ଅମିତ ଶାହା ଓ ଆଦାନୀଙ୍କ କଥା ଶୁଣୁଛନ୍ତି । ରାବଣର ଅହଙ୍କାର ଯୋଗୁଁ ଲଙ୍କା ଭସ୍ମ ହୋଇଥିଲା । ଲଙ୍କାକୁ ହନୁମାନ ନୁହେଁ ରାବଣର ଅହଙ୍କାର ଜଳାଇଥିଲା । ସାରା ଦେଶରେ କିରୋସିନ ଫିଙ୍ଗି ନିଆଁ ଲଗାଇଛନ୍ତି ମୋଦୀ ।

ଅବିଶ୍ୱାସ ପ୍ରସ୍ତାବର ଦ୍ୱିତୀୟ ଦିନରେ ଆଜି ପାର୍ଲାମେଣ୍ଟରେ ହଙ୍ଗମା ଦେଖିବାକୁ ମିଳିଛି । ଅବିଶ୍ୱାସ ପ୍ରସ୍ତାବ ଉପରେ ନିଜ ମତ ରଖିଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଏହାସହ ମଣିପୁର ଘଟଣାରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ମଣିପୁର ଯାଇନାହାନ୍ତି । କାରଣ ତାଙ୍କ ପାଇଁ ମଣିପୁର ଭାରତରେ ନାହିଁ । ମଣିପୁରରେ ଭାରତ ମାତାଙ୍କ ହତ୍ୟା କରାଯାଇଛି । ମଣିପୁରକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି, ତାଙ୍କୁ ବାଣ୍ଟି ଦିଆଯାଇଛି ।

ଏହାପରେ ରାହୁଲ ଗାନ୍ଧୀଙ୍କୁ କଡା ଜବାବ ଦେଇଥିଲେ ସ୍ମୃତି ଇରାନୀ । ସେ କହିଥିଲେ, ତାଳି ମାରୁଥିବା କଂଗ୍ରେସ ମନରେ ରହିଛି ବେଇମାନୀ । ମଣିପୁର ବିଭାଜିତ ନୁହେଁ, ଏହା ଦେଶର ଅଭିନ୍ନ ଅଙ୍ଗ । କଂଗ୍ରେସ କଣ ଦେଶର ବିଭାଜନ ଚାହୁଁଛି କି? କଣ ଭାରତ କେବଳ ଉତ୍ତର ଭାରତର ବୋଲି ପ୍ରଶ୍ନ କରିଥିଲେ ସ୍ମୃତି ଇରାନୀ ।