ବର୍ଷର ଶେଷ ଦିନରେ ପୁରୀ ଶ୍ରୀମନ୍ଦିରରେ ପ୍ରବଳ ଭିଡ । ଶ୍ରୀଜିଉଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡ ପାଲଟିଲା ଜନସମୁଦ୍ର, ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା ।

85

କନକ ବ୍ୟୁରୋ : ନୂଆ ଆଶା, ନୂଆ ଉଦ୍ଦୀପନା ନେଇ ଆସୁଛି ନୂଆବର୍ଷ । ତେଣୁ ସମସ୍ତେ ପ୍ରସ୍ତୁତ । ଦିଅଁ ଦର୍ଶନ କରି ନୂଆବର୍ଷ ଆରମ୍ଭ କରିବାକୁ ଅନେକ ଅପେକ୍ଷା କରିଛନ୍ତି । ତେଣୁ ରାତି ଗୋଟାଏରେ ଖୋଲିବ ଶ୍ରୀମନ୍ଦିର । ଭିଡକୁ ଦୃଷ୍ଟିରେ ରଖି ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ତଥା ଅଭିଯୋଗର ଶୁଣାଣି ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଅସ୍ଥାୟୀ କଂଟ୍ରୋଲ ରୁମ୍ ଖୋଲାଯାଇଛି ।

ଶୁକ୍ରବାର ଏବଂ ଶନିବାର ବଡଦାଣ୍ଡଠୁ ଆରମ୍ଭ କରି ସମୁଦ୍ର ବେଳାରେ ଅସମ୍ଭାଳ ଭିଡ ଥିଲା । ତେଣୁ ରବିବାର ମଧ୍ୟ ଗହଳି ଆହୁରି ହେବ ବୋଲି ଆକଳନ କରିଛି ପ୍ରଶାସନ । କରୋନା କଟକଣା ପାଇଁ ଶ୍ରଦ୍ଧାଳୁଙ୍କ ମନ୍ଦିର ଦର୍ଶନ ଉପରେ କଟକଣା ଥିଲା । ଚଳିତଥର କୌଣସି କଟକଣା ନଥିବାରୁ ବଡଦାଣ୍ଡରେ ବଡ ଭିଡ ହେବ ବୋଲି ଆଶଙ୍କା ରହିଛି ।

ଗହଳିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରୁ ମାର୍କେଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ ସମ୍ପ୍ରସାରଣ କରାଯାଉଛି । ସମସ୍ତ ଶ୍ରଦ୍ଧାଳୁ ମାର୍କେଟ ଛକଠାରୁ ପ୍ରବେଶ କରି ଶ୍ରୀମନ୍ଦିର ସିଂହଦ୍ୱାର ହୋଇ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ । ଜନଗହଳିକୁ ଏଡ଼ାଇବା ପାଇଁ ବଡ଼ଦାଣ୍ଡରେ ଥିବା ସମସ୍ତ ଉଠା ଦୋକାନୀ ଶନିବାର ଏବଂ ରବିବାର ବନ୍ଦ ରହିବ । ସେହିପରି ପର୍ଯ୍ୟଟକଙ୍କ ପାଇଁ ପାନୀୟ ଜଳ, ଜୋତା ଷ୍ଟାଣ୍ଡ, ବିଶ୍ରାମ ସ୍ଥାନର ବ୍ୟବସ୍ଥା ହୋଇଛି । ମନ୍ଦିର ଭିତର ଗହଳି ନିୟନ୍ତ୍ରଣ ପାଇଁ କେବଳ ଶ୍ରୀମନ୍ଦିର ଭିତରେ ୨୦ ପ୍ଲାଟୁନ ଫୋର୍ସ ଓ ଜଣେ ଅତିରିକ୍ତ ଏସପି ନିୟୋଜିତ ହୋଇଛନ୍ତି । ସେହିପରି ସ୍ୱତନ୍ତ୍ର ଟ୍ରାଫିକ ପରିଚାଳନା ବ୍ୟବସ୍ଥା, ଭିଡ଼ ନିୟନ୍ତ୍ରଣ, ସୁରକ୍ଷିତ ସମୁଦ୍ର ସ୍ଥାନ, ପାର୍କିଂ, ଶୃଙ୍ଖଳିତ ଦର୍ଶନ ଓ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ତଥା ଅଭିଯୋଗ ଶୁଣାଣି ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଅସ୍ଥାୟୀ କଂଟ୍ରୋଲ ରୁମ୍ ଖୋଲାଯାଇଛି । ସେହିପରି ନିରାପଦ ସମୁଦ୍ର ସ୍ନାନ ପାଇଁ ଲାଇଫଗାର୍ଡଙ୍କୁ ତାଲିମ ଦିଆଯାଇଛି ।