ମହଙ୍ଗା ପଡିଲା ରାଗିଂ। ଭିଡିଓ ଭାଇରାଲ ହେବା ପରେ କଡ଼ା ପଦକ୍ଷେପ ନେଲେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ।

811

କନକ ବ୍ୟୁରୋ: ରାଗିଂ ବିରୋଧରେ କଡ଼ା ପଦକ୍ଷେପ । କଲେଜରୁ ବହିଷ୍କୃତ ହେବେ ସମସ୍ତ ଅଭିଯୁକ୍ତ । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲଣ କଲା ପୁଲିସ । ରାଗିଂର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ତତ୍ପର ହୋଇଉଠିଛନ୍ତି କଲେଜ କର୍ତୃପକ୍ଷ ଓ ବ୍ରହ୍ମପୁର ପୁଲିସ । ଅଭିଯୁକ୍ତଙ୍କୁ କୋର୍ଟ ଚାଲଣ କରାଯାଇଛି । ର୍ୟାଗିଂ ରୋକିବା ପାଇଁ କଡ଼ା ନିୟମ ଥିଲେ ବି ଅଭିଯୁକ୍ତମାନେ ଏହାକୁ ଖାତିର ନକରି ନବାଗତଙ୍କୁ ରାଗିଂ କରିଥିଲେ ।

ବ୍ରହ୍ମପୁରର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ରାଗିଂର ଏହି ଭିଡିଓ ଭାଇରାଲ ହୋଇଥିଲା । ଭିଡିଓରେ ଯୁକ୍ତ ୨ରେ ପଢୁଥିବା ଜଣେ ଛାତ୍ରୀଙ୍କୁ ରାଗିଂ କରୁଥିବାର ଦୃଶ୍ୟ କଏଦ ହୋଇଥିଲା । ଏ ନେଇ କଲେଜର ଅଧ୍ୟକ୍ଷା ପ୍ରମିଳା ଖାଡ଼ଙ୍ଗାଙ୍କ ଅଧ୍ୟକ୍ଷତାରେ ଆଣ୍ଟି ର୍ୟାଗିଂ କମିଟି, ଶୃଙ୍ଖଳା କମିଟିର ବୈଠକ ବସିଥିଲା । ଭିଡିଓରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ କଲେଜରୁ ଟିସି ଦେଇ ବାହାର କରିବାକୁ ନିଷ୍ପତି ନିଆଯାଇଛି । ଏହାସହ ସେମାନଙ୍କ କଣ୍ଡକ୍ଟ ସାର୍ଟିଫିକେଟରେ ମଧ୍ୟ କଳାଦାଗ ଲଗାଇବେ କଲେଜ କର୍ତୃପକ୍ଷ । ଏହାର ଅର୍ଥ ହେଉଛି, ଏହି ଅଭିଯୁକ୍ତମାନଙ୍କ ପାଇଁ ଅନ୍ୟ କଲେଜରେ ନାମ ଲେଖାଇବା ସହଜ ହେବନାହିଁ ।

ଯୁକ୍ତ ୩ ଛାତ୍ର ଅଭିଷେକ ନାୟକଙ୍କ ଇଙ୍ଗିତରେ ନବାଗତଙ୍କୁ ରାଗିଂ କରାଯାଉଥିବା ଜାଣିବା ପରେ ପ୍ରଥମେ ଅଭିଷେକକୁ ଉଠାଇ ନେଇଥିଲା ପୁଲିସ । ତାଙ୍କ ନାଁରେ ପୂର୍ବରୁ ମଧ୍ୟ ମାମଲା ହୋଇଛି । ବାଇକରେ କର୍କଶ ହର୍ଣ୍ଣ ବଜାଇ ବାତାବରଣ ନଷ୍ଟ କରୁଥିବା ଅଭିଯୋଗରେ ଅଭିଷେକଙ୍କୁ ଚେତାବନୀ ଦିଆଯାଇଥିଲା । ଜଣେ ମହିଳାଙ୍କୁ ମାଡ଼ ମାରି ୩ ଦିନ ଜେଲରେ ବି ରହିଥିଲେ ଅଭିଷେକ। ଭିଡିଓରେ ଥିବା ୧୨ଜଣ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି । ଏପରିକି ରାଗିଂରେ ଯଦି କେହି ଛାତ୍ରୀ ସମ୍ପୃକ୍ତ ଥିବେ, ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ । ୩ ଜଣ ସାବାଳକ ଓ ୨ ଜଣ ନାବାଳକଙ୍କୁ ପୁଲିସ ଧରିବା ପରେ କୋର୍ଟ ଚାଲଣ କରାଯାଇଛି । ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ୍ ବୋର୍ଡକୁ ପଠାଇ ଦିଆଯିବ ।  କଲେଜରେ ରାଗିଂ ରୋକିବାକୁ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ରହିଛି । ରାଗିଂ ଅଭିଯୋଗ ପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କଲେଜ କର୍ତୃପକ୍ଷ ଓ ବ୍ରହ୍ମପୁର ପୁଲିସ ।