କଣ୍ଠ ବଦଳାଇ ଫୋନ କରି ଲୁଟିନେଲେ ଟଙ୍କା। ମନ୍ତ୍ରୀଙ୍କ ନାଁରେ ବ୍ୟବସାୟୀଙ୍କୁ ଚୁନା ଲଗାଇଲେ ଡିପ୍ଲୋମା ପଢୁଆ ଯୁବକ।

96

କନକ ବ୍ୟୁରୋ: ସାର୍, ନମସ୍କାର

                    ନମସ୍କାର, କିଏ କହୁଥିଲେ

                    ଆଜ୍ଞା ମୁଁ ମନ୍ତ୍ରୀଙ୍କ ପିଏ କହୁଥିଲି

                    କ’ଣ କହୁଥିଲେ ଆଜ୍ଞା?

ମନ୍ତ୍ରୀଙ୍କ ଘରେ ହୋମଯଜ୍ଞ ଅଛି । ଯାହା ଦରକାର ଟିକେ ବୁଝିବେ । ମନ୍ତ୍ରୀ ବାହାରେ ଅଛନ୍ତି । ଏଭଳି ଢ଼ଙ୍ଗରେ ପ୍ରଥମେ କଥା ହୋଇଥିଲେ । ଏହାର କିଛି ସମୟ ପରେ ପୁଣି ସେଇ ଯୁବକ ମନ୍ତ୍ରୀଙ୍କ ମା’ କହୁଛି କହି- ମହିଳାଙ୍କ ସ୍ୱରରେ ଟଙ୍କା ମାଗିଥିଲେ । ଆଉ ଲୁଟି ନେଇଥିଲେ ୩୧ ହଜାର ୫୦୦ ଟଙ୍କା ।

ସୌମ୍ୟରଞ୍ଜନ ପ୍ରଧାନ ଓରଫ୍ ମନୀଷା କିନ୍ନର । ଶିକ୍ଷାଗତ ଯୋଗ୍ୟତା, ଡିପ୍ଲୋମା ।ମନ୍ତ୍ରୀଙ୍କ ନାଁ ନେଇ ଚୁନା ଲଗେଇ ଦେଇଥିବା ଏହି ବୌଦ୍ଧର ଯୁବକକୁ ଗିରଫ କରିଛି ପୁଲିସ୍ । ଜଣେ ମନ୍ତ୍ରୀଙ୍କ ନାଁ କହି, ଭୁବନେଶ୍ୱରର ବିକାଶ ସେହଗଲ ନାମକ ଜଣେ ବ୍ୟବସାୟୀଙ୍କଠାରୁ ୩୧ ହଜାର ୫ଶହ ଟଙ୍କା ଲୁଟି ନେଇଥିଲା ଏହି ଚତୁର ଚୋର । ଏଇ ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସହରରେ ସୌମ୍ୟରଂଜନଙ୍କ ନାଁରେ ରହିଛି ୮ଟି ମାମଲା ।

ଭୁବନେଶ୍ୱରରେ ୩ଟି ମାମଲା, ବ୍ରହ୍ମପୁରରେ ୨ଟି ମାମଲା, ସମ୍ବଲପୁରରେ ୨ଟି ମାମଲ. ଅନୁଗୁଳରେ ଗୋଟିଏ ମାମଲା ରହିଛି । ଏମିତି ବିଭିନ୍ନ ସ୍ଥାନରେ, ସମାନ ତରିକା ଆପଣାଇ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଲୁଟ୍ କରିଥିଲେ ଏହି ଠକ । ଏଥିରେ ତାଙ୍କୁ ବ୍ରହ୍ମପୁରର ତୁଷାରକାନ୍ତି ବାଇ ଏବଂ ସୁନୀଲ ସାମନ୍ତରାୟ ତାଙ୍କୁ ସହଯୋଗ କରୁଥିଲେ । ଯାହାଙ୍କୁ ଭାଗ ଆକାରରେ ମିଳୁଥିଲା ଲୁଟ ଅର୍ଥର ୧୦ ପ୍ରତିଶତ । ଏହି ଦୁଇ ସହଯୋଗୀଙ୍କୁ ବି ଗିରଫ କରିଛି ପୁଲିସ୍ ।

ସାଇବର ଥାନାରେ ଅଭିଯୋଗ ପରେ ସୌମରଂଜନଙ୍କ କଳା କାରବାରର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୁଲିସ । ଆଉ ଲୁଟି ହୋଇଥିବା ଦେଢ଼ ଲକ୍ଷ ଟଙ୍କାରୁ ୫୦ ହଜାର ଟଙ୍କା ଜବତ କରାଯାଇଛି ।