ସବୁ ପ୍ରତୀକ୍ଷା ଅନ୍ତ : ବିଜୟା ଦଶମୀରେ ଭାରତକୁ ମିଳିଲା ବାୟୁରକ୍ଷକ ରାଫେଲ୍ ଯୁଦ୍ଧ ବିମାନ

286

କନକ ବ୍ୟୁରୋ :  ସବୁ ପ୍ରତୀକ୍ଷା ଅନ୍ତ । ବିଜୟାଦଶମୀରେ ଭାରତକୁ ମିଳିଲା ପ୍ରଥମ ଆର୍‌ବି-୦୦୧ରାଫେଲ ବିମାନ । ଏବେ ଫେଲ ମାରିବ ଆତଙ୍କର ରାବଣ । ଭାରତ ସୀମାକୁ ପ୍ରବେଶ କରିବା ପୂର୍ବରୁ ହଜାରେ ଥର ଚିନ୍ତା କରିବ ଶତ୍ରୁ ।  ତେବେ ଆଉ କିଛି ସମୟ ପରେ ରାଫେଲରେ ଉଡ଼ାଣ ଭରିବେ ରାଜନାଥ ସିଂ । ଆଜି ଭାରତୀୟ ସେନା ପାଇଁ ଐତିହାସିକ ଦିନ । ଆଜି ୮୭ ତମ ବାୟୁସେନା ଦିବସରେ ଆହୁରି ଶକ୍ତିଶାଳୀ ହୋଇଛି ସେନା । ଅନ୍ୟପଟେ ଭାରତ-ଫ୍ରାନ୍ସର ରାଜନୈତିକ ସମ୍ପର୍କ ଆହୁରି ମଜଭୁତ ହୋଇଛି । ଭାରତକୁ ଫ୍ରାନ୍ସ ଯୁଦ୍ଧ ବିମାନ ହସ୍ତାନ୍ତର କରିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଭାରତୀୟ ସେନା ଆହୁରି ଶକ୍ତିଶାଳୀ ହୋଇଛି । ଚୁକ୍ତିନାମା ସ୍ବାକ୍ଷର ହେବାର ତିନି ବର୍ଷ ପରେ ଭାରତ ଏହାର ପ୍ରଥମ ରାଫେଲ୍ ଯୁଦ୍ଧ ବିମାନ ହାସଲ କରିଛି। 

ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ବହନ କରି ପାରୁଥିବା ରାଫେଲ୍ ଭାରତକୁ ଅପ୍ରତିଦ୍ବନ୍ଦ୍ବୀ କରିବା ସହ ଶତୃ ଶିବିରରେ କମ୍ପନ ସୃଷ୍ଟି କରିବ।  ରାଫେଲ୍ ବିମାନ ମେଟଏର ଓ ସ୍କାପ୍ କ୍ଷେପଣାସ୍ତ୍ର ବହନ କରିବାର କ୍ଷମତା ରଖିଥିବାରୁ ଏହା ଭାରତର ଶତୃ ଶିବିରରେ ଆତଙ୍କ ସୃଷ୍ଟି କରିବ ବୋଲି ନିର୍ମାଣକାରୀ ସଂସ୍ଥା କହିଛି। ଆକାଶରୁ ଆକାଶକୁ ମାରକ କ୍ଷମତା ଥିବା ମେଟଏର୍ ମିଜାଇଲ୍ ଏବଂ ସ୍କାପ୍ କ୍ରୁଜ୍ ମିଜାଇଲ୍ ପ୍ୟାକେଜ୍ ଥିବା ୩୬ଟି ରାଫେଲ୍ ଜେଟ୍କୁ ଭାରତ ପାଇଁ ସ୍ବତନ୍ତ୍ର ଭାବେ ତିଆରି କରାଯାଇଛି। ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବହନ କରି ପାରୁଥିବା ରାଫେଲ୍ ଭାରତର ଶକ୍ତି ବୃଦ୍ଧି କରିବା ସହ ଚୀନ୍ ଏବଂ ପାକିସ୍ତାନ ସୀମାରେ ଏବେ ଭାରତର ସ୍ଥିତି ଅତ୍ୟନ୍ତ ସୁଦୃଢ଼ ହେବ।

ସୂଚନାଯୋଗ୍ୟ ୩୬ ରାଫେଲ ବିମାନ ମଧ୍ୟରୁ ପ୍ରଥମ ବିମାନ ଭାରତକୁ ମିଳିଯାଇଛି । ଆସନ୍ତା ବର୍ଷ ମେ ପର୍ଯ୍ୟନ୍ତ ଭାରତ ଆସିବ ରାଫେଲ ବିମାନ ।