ପ୍ୟାରୀଙ୍କ ନବୀନ ହଟାଅ ଫର୍ମୁଲା

56

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେଡି ବିନାଶର ଫର୍ମୁଲା କଣ? କାହିିଁକି ଦଳ ଚାରି ଚାରି ଥର କ୍ଷମତାକୁ ଆସିଛି? ଦଳକୁ କଣ ରାଜନୈତିକ ମୈଦାନରେ ମାତ ଦିଆଯାଇ ପାରିବ ନାହିଁ? କିଛି ଏଭଳି ପ୍ରଶ୍ନକୁ ନେଇ ବିରୋଧୀ ଦଳ ଚିନ୍ତିତ ଥିବା ବେଳେ, ଏକଦା ବିଜେଡିର ପରାମର୍ଶଦାତା ଥିବା ପ୍ୟାରୀ ମୋହନ ମହାପାତ୍ର ଦେଇଛନ୍ତି ନବୀନ ହଟାଅ ଫର୍ମୁଲା । କିଭଳି ନବୀନଙ୍କୁ କ୍ଷମତା ଅଳିନ୍ଦରୁ ବାହାରେ ରଖାଯାଇ ପାରିବ ଆଉ କିଭଳି ରାଜ୍ୟରେ ଅନ୍ୟ ରାଜନୈତିକ ଦଳ ସଫଳତା ପାଇପାରିବେ ତାର ସୁତ୍ର କନକ ନ୍ୟୁଜ୍ ଆଗରେ ବଖାଣିଛନ୍ତି ପ୍ୟାରୀ ।

ପ୍ୟାରୀ, ବିଜେଡିର ପୂର୍ବତନ କ୍ଷମତା କେନ୍ଦ୍ର, ରାଜ୍ୟ ରାଜନୀତିର ଚାଣକ୍ୟ ଆଉ ନବୀନଙ୍କ ପରାମର୍ଶଦାତା । ଯେଉଁ ଦଳକୁ ଦିନେ ଗଢିଥିଲେ, ଯେଉଁ ଦଳକୁ ସଫଳତାର ଶୀର୍ଷରେ ପହଂଚାଇଥିଲେ, ତାର ବିନାଶ ମନ୍ତ୍ର ବି ଦେଲେ । କହିଛନ୍ତି, ଜାତୀୟ ନୁହେଁ, ବରଂ ଆଂଚଳିକ ଦଳ ହିଁ ବିଜେଡିର ଦୁର୍ଗ ପତନ କରିପାରିବ । ହେଲେ ଏଥିପାଇଁ ଜାତୀୟ ରାଜନୈତିକ ଦଳର ସହଯୋଗ ଆବଶ୍ୟକ । ଠିକ ଯେମିତି ବିଜେପିକୁ ଆୟୁଧ କରି ବିଜେଡି ଆସିଥିଲା କ୍ଷମତାକୁ ।

ପ୍ୟାରୀଙ୍କ ହିସାବରେ ଏହି ଫର୍ମୁଲା କାମ ଦେବ କି ନାହିଁ, ତାହା ନିର୍ଭର କରିବ ଆମ ଓଡିଶା ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ଉପରେ । ତେବେ ନବୀନଙ୍କୁ ଗାଦିଚ୍ୟୁତ କରିବା ପାଇଁ ପ୍ୟାରୀଙ୍କ ଫର୍ମୁଲା ଉପରେ ମୋହର ମାରିଛନ୍ତି ସୈାମ୍ୟ ପଟ୍ଟନାୟକ । କହିଛନ୍ତି, ପରିକଳ୍ପନା କରାଯାଉଥିବା ଏହି ମେଂଟରେ ସାମିଲ ହେବାକୁ ଥିବା ଦଳ ନିଜ ସ୍ଥିତି ପରଖିବା ଦରକାର ।

ପ୍ୟାରୀଙ୍କୁ ବିଳମ୍ବରେ ଏପରି ଚିନ୍ତା ଆସିଥିବାରୁ ଯେଉଁଠି କିଛି ନେତା ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି, ସେଠାରେ ଆମ ଓଡିଶାକୁ ବିକଳ୍ପ ଭାବେ ଗ୍ରହଣ କରି ମତ ରଖିଛନ୍ତି ବିଜେଡି ଉପସଭାପତି ଦାମ ବାବୁ ।

ବିଜେଡିରୁ ବହିଷ୍କାର ହେବା ପରେ ଓଡିଶା ଜନମୋର୍ଚ୍ଚା ନାଁରେ ଆଂଚଳିକ ଦଳ ଗଢି ନିର୍ବାଚନ ରଣାଙ୍ଗନକୁ ଓହ୍ଳାଇଥିଲେ ପ୍ୟାରୀ । ହେଲେ ଏକାକୀ ଲଢି ଫେଲ୍ ମାରିଥିଲେ । ତେବେ ବିଜେଡିର ସୃଷ୍ଟିକର୍ତ୍ତାଙ୍କ ପାଖରେ ଏହାର ସଂହାରର ଫର୍ମୁଲା ଥିବା କିଛି ବିଚିତ୍ର କଥା ନୁହେଁ । ହେଲେ ପ୍ରଶ୍ନ ଉଠୁଛି, କେଉଁ ଆଭିମୁଖ୍ୟ ନେଇ ନୂଆ ଆଂଚଳିକ ଦଳ ଏକାଠି ହେବେ ଓ କେଉଁ ଜାତୀୟ ରାଜନୈତିକ ଦଳର ସାହାରାରେ ଆଗକୁ ବଢିବେ ।