ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଅନିଶ୍ଚିତତା ! ବାହାର ଭଣ୍ଡାର ଯାଂଚ କଲା ବିଶେଷଜ୍ଞ ଦଳ , ଆଜି ସନ୍ଧ୍ୟାରେ ବସିବ ଜରୁରୀ ବୈଠକ

28

କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ବାହାର ଭଣ୍ଡାରର ସ୍ଥିତି ଯାଂଚ କରୁଛି ବିଶେଷଜ୍ଞ ଟିମ୍ । ବାହାର ଭଣ୍ଡାରର ଉତ୍ତର ପାଶ୍ୱର୍ ଯାଂଚ କରାଯାଉଛି । ଶ୍ରୀମନ୍ଦିର କୋର କମିଟିର ସଦସ୍ୟଙ୍କ ସହ ପ୍ରତ୍ନତତ୍ୱ ବିଭାଗର ୨ ଜଣ ସଦସ୍ୟ ଏହି ଯାଂଚ କରୁଛନ୍ତି ।

ବିଶେଷଜ୍ଞଙ୍କ କହିବା କଥା, ଯଦି ବାହାର ଭଣ୍ଡାରର ସ୍ଥିତି ଭଲ ରହିଛି, ତାହେଲେ ଭିତର ଭଣ୍ଡାରର ଯାଂଚ କରିବାର ଆବଶ୍ୟକତା ନାହିଁ । ଆଜି ସଂଧ୍ୟାରେ ବସିବାକୁ ଥିବା ସବକମିଟି ବୈଠକରେ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ସ୍ଥିର କରାଯିବ । ସେପଟେ ରତ୍ନଭଣ୍ଡାର ଖୋଲିବା ପାଇଁ ଓଡିଶା ସରକାରଙ୍କ ଠାରୁ ମଗାଯାଇଥିବା ଅନୁମତି ସଂପର୍କରେ କୌଣସି ଉତ୍ତର ଆସିନାହିଁ ।

ଅନ୍ୟପଟେ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନା ନାହିଁ ସେ ନେଇ ଆଜି ବସିବ ରତ୍ନଭଣ୍ଡାର ସବ କମିଟିର ଜରୁରୀ ବୈଠକ । ଯେଉଁଥିରେ ଭଣ୍ଡାର ଘର ଖୋଲିବା ନେଇ ନିଷ୍ପତି ନିଷ୍ପତି ନିଆଯିବ। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ରତ୍ନଭଣ୍ଡାର ସବ୍ କମିଟି ସଦସ୍ୟ ଉପସ୍ଥିତ ରହିବେ । ସନ୍ଧ୍ୟାରେ ବୈଠକ ପରେ ରତ୍ନଭଣ୍ଡାର ଖୋଲିବା ନେଇ ସ୍ପଷ୍ଟ କରିବେ ମୁଖ୍ୟ ପ୍ରଶାସକ । ତେବେ ଶ୍ରୀମନ୍ଦିର ପ୍ରଶାସନ, ରତ୍ନଭଣ୍ଡାର ନଖୋଲି ବିକଳ୍ପ ଉପାୟରେ ସ୍ଥିତି ଯାଂଚ୍ କରିବାକୁ ବିଚାର କରୁଥିବା ଚର୍ଚା ହେଉଛି । କୁହାଯାଉଛି, ନାଭିକଟା ମଣ୍ଡପରୁ ଏଏସଆଇ ବିଶେଷଜ୍ଞ ଦଳ ରତ୍ନଭଣ୍ଡାର ଛାତ ଯାଂଚ୍ କରିବାକୁ ଯୋଜନା ହେଉଛି । ବୈଠକ ପରେ ପ୍ରଶାସନ ଆସନ୍ତା ୨୯ ତାରିଖ ଦିନ ତାର ନିଷ୍ପତି ହାଇକୋର୍ଟଙ୍କୁ ଜଣାଇବା ସମ୍ଭାବନା ରହିଛି ।

ସେହିପରି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ବଢିଚାଲିଛି ସେବାୟତଙ୍କ ଅସନ୍ତୋଷ । ଏହି ପ୍ରସଙ୍ଗରେ ଇଛାମୃତ୍ୟୁ ଦାବି କରି ଅନଶନ ଜାରି ରଖିଥିବା ନରସିଂହ ପୂଜାପଣ୍ଡାଙ୍କ ଅବସ୍ଥା ଗୁରୁତର ହୋଇଛି । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।