ଝାଡଖଣ୍ଡରେ ପ୍ରଧାନମନ୍ତ୍ରୀ ମୋଦୀ । ଦେବଘର ବିମାନବନ୍ଦରରୁ ବୈଦ୍ୟନାଥ ମନ୍ଦିର ପର୍ଯ୍ୟନ୍ତ ରୋଡ ଶୋ

84

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆଜି ଦିନ ୧.୧୫ ମିନିଟ ସମୟରେ ଝାଡଖଣ୍ଡର ଦେବଘର ନିକଟରେ ପହଂଚିଛନ୍ତି । ସେଠାରେ ପ୍ରଧାନମନ୍ତ୍ରୀ ନବନିର୍ମିତ ଦେବଘର ବିମାନବନ୍ଦର ଓ ଏମ୍ସ ହସ୍ପିଟାଲକୁ ଲୋକାର୍ପିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଝାଡଖଣ୍ଡର ରାଜ୍ୟପାଳ ରମେଶ ବୈସ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସ୍କିନ୍ଦିଆଙ୍କ ସମେତ ବିଜେପିର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସ୍କିନ୍ଦିଆ ଝାଡଖଣ୍ଡରେ ଆଉ ୩ ଟି ବିମାନବନ୍ଦର ନିର୍ମାଣ ପାଇଁ ଘୋଷଣା କରିଛନ୍ତି ।

ଏକ ଜନସଭାକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ପୁଣି ସେହି ପୁରୁଣା କଥା ବଖାଣିଛନ୍ତି । ସେ କହିଛନ୍ତି କି ଆମ ସରକାର ସବକା ବିକାଶ, ସବକା ସାଥ, ସବକା ବିଶ୍ୱାସ ଓ ସବକା ପ୍ରୟାସ ମନ୍ତ୍ରରେ ଚାଲିଛି । ଏହାସହ ଭିତ୍ତିଭୂମିର ବିକାଶ ମାଧ୍ୟମରେ ଲୋକଙ୍କୁ କିଭଳି ରୋଜଗାର ଦିଆଯାଇ ପାରିବ ତାହା ଉପରେ ସରକାର ଫୋକସ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ କି ସରକାର ପ୍ରଚେଷ୍ଠା ଫଳରେ ଯେଉଁ ଲାଭ ମିଳୁଛି ତାହା ଆଜି ସାରା ଦେଶ ଦେଖିବାକୁ ପାଇଛି । ବିମାନ ଚଳାଚଳ କ୍ଷେତ୍ରରେ ଗତ ୫ ବର୍ଷ ମଧ୍ୟରେ ୭୦ ଟି ନୂଆ ସ୍ଥାନକୁ ବିମାନବନ୍ଦର, ହେଲିପୋର୍ଟସ, ୱାଟର ଏରୋଡ୍ରମସ ମାଧ୍ୟମରେ ଯୋଡା ଯାଇଛି । ୪୦୦ ରୁ ଅଧିକ ନୂଆ ରୁଟରେ ନାଗରିକମାନେ ବିମାନ ସେବା ପାଇ ପାରୁଛନ୍ତି ।

ଦେବଘର ବିମାନବନ୍ଦରକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି କି ଏହି ବିମାନବନ୍ଦରରୁ ବାର୍ଷିକ ପାଖାପାଖି ୫ ହଜାର ଯାତ୍ରୀ ଯାତାୟତ କରିବେ । ଏଭଳି କିଛି ପରିଯୋଜନା ଝାଡଖଣ୍ଡରେ କାର୍ଯ୍ୟକାରୀ ହୋଇଛି ଯାହା ମାଧ୍ୟମରେ ପଶ୍ଚିମବଙ୍ଗ ଓ ବିହାର ସିଧାସଳଖ ଲାଭବାନ ହେଉଛନ୍ତି ।

କହିରଖୁ କି ଆଜି ପ୍ରଧାନମନ୍ତ୍ରୀ ଝାଡଖଣ୍ଡ ଗସ୍ତ ବେଳେ ମୋଟ ୬,୫୦୦ କୋଟିର ୧୨ ଟି ବିକାଶ ଯୋଜନାର ଶିଳାନ୍ୟାସ କରିଛନ୍ତି ।