ଜିତିବାର ନିଶା ଆଗରେ ହାର ମାନିଲା ବୟସ । ୯୪ ବର୍ଷିୟା ମହିଳା ଆଥଲେଟିକ୍ସ ଚାମ୍ପିଅନସିପରେ ଜିତିଲେ ସ୍ୱର୍ଣ୍ଣ ପଦକ

132

କନକ ବ୍ୟୁରୋ : ଇଚ୍ଛାଶକ୍ତି ଆଗରେ ବୟସ ହାର ମାନିବା କଥା ଆମେ ଅନେକ କ୍ଷେତ୍ରରେ ଦେଖିବାକୁ ପାଇଛୁ । ହେଲେ ଜଣେ ୯୪ ବର୍ଷିୟା ମହିଳା ପୁଣି ଆଥଲେଟିକ୍ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିବା ସମସ୍ତଙ୍କୁ ଚକିତ କରିଦେଇଛି । ଫିନଲାଣ୍ଡରେ ଆୟୋଜିତ ୨୦୨୨ ବିଶ୍ୱ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ସହ ମୋଟ ୩ ଟି ପଦକ ଜିତି ଜଣେ ୯୪ ବର୍ଷିଆ ଭାରତୀୟ ମହିଳା ଭଗବାନୀ ଦେବୀ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ସାରା ଦେଶରୁ ଭଗବାନୀ ଦେବୀଙ୍କୁ ପ୍ରଶଂସାର ସୂଅ ଛୁଟିବାରେ ଲାଗିଛି । ହରିଆଣା ରାଜ୍ୟପାଳ ବନ୍ଦାରୁ ଦତାତ୍ତ୍ରେୟ ଓ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ବି ଭଗବାନୀ ଦେବୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି କି ୯୪ ବର୍ଷ ବୟସରେ ଭଗବାନୀ ଦେବୀ ଏଭଳି କୃତିତ୍ତ୍ୱ ହାସଲ କରି ଦେଶର ଯୁବକମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ଏହା ଦେଶର ଯୁବବର୍ଗଙ୍କ ଆତ୍ମ ବିଶ୍ୱାସ ବୃଦ୍ଧି କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କହିରଖୁ କି ଫିନଲାଣ୍ଡରେ ଆୟୋଜିତ ୨୦୨୨ ବିଶ୍ୱ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିଅନସିପରେ ବରିଷ୍ଠ ନାଗରିକଙ୍କ ଶ୍ରେଣୀର ୧୦୦ ମିଟର ଫରାଟା ଦୌଡରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୧୦୦ ମିଟର ରାସ୍ତା ଦୌଡିବା ପାଇଁ ଭଗବାନୀ ଦେବୀଙ୍କୁ ୨୪.୭୪ ସେକେଣ୍ଡ ଲାଗିଥିଲା ।

ସେହିଭଳି ରାଜ୍ୟପାଳ ବନ୍ଦାରୁ ଦତାତ୍ତ୍ରେୟ ଭଗବାନୀ ଦେବୀଙ୍କ ଏଭଳି ଉପଲବ୍ଧି ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି କି ଭଗବାନୀ ଦେବୀ ୯୪ ବର୍ଷ ବୟସରେ ଯାହା କରି ଦେଖାଇଛନ୍ତି ତାହା ଯୁବବର୍ଗଙ୍କୁ ଖେଳ ପ୍ରତି ପ୍ରେରଣା ଯୋଗାଇବ ।