ବିଜେଡି ଛାଡିପାରନ୍ତି ପ୍ରସନ୍ନ ପାଟ୍ଟଶାଣୀ । ବିଜେପିରେ ସାମିଲ ହେବା ନେଇ ବଢିଲା ଚର୍ଚ୍ଚା ।

949

କନକ ବ୍ୟୁରୋ: ବିଜେପିରେ ସାମିଲ ହୋଇପାରନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ । ତାଙ୍କର ଦିଲ୍ଲୀ ଗସ୍ତ ପରେ ଏହି ଚର୍ଚ୍ଚା ଏବେ ଜୋର ଧରିଛି । ଟିକେଟ୍ ନଦେଇ ଦଳ ତାଙ୍କ ଉପରେ ଭରସା କରିନଥିବାରୁ ଅସନ୍ତୁଷ୍ଟ ସେ ବିଜେଡି ସହ ଥିବା ଦୀର୍ଘ ଦିନର ସମ୍ପର୍କକୁ ତୁଟାଇ ପାରନ୍ତି ବୋଲି ଆଲୋଚନା ହେଉଛି ।

ପ୍ରସନ୍ନ ପାଟ୍ଟଶାଣୀ ୫ଥର ସାଂସଦ ଭାବେ ନିର୍ବାଚନ ଜିତିସାରିଛନ୍ତି । ୧୯୯୮ରୁ ୨୦୧୯ ଯାଏଁ ସେ ଭୁବନେଶ୍ୱରର ସାଂସଦ ଭାବେ ବିଜୟୀ ହୋଇଥିଲେ । କିନ୍ତୁ ୫ ଥର ବିଜୟୀ ହେବା ପରେ ବି ୨୦୧୯ରେ ଦଳ ତାଙ୍କ ଉପରେ ଭରସା ନକରି ଅରୂପ ପଟନାୟଙ୍କୁ ଭରସା କରି ତାଙ୍କୁ ଟିକେଟ୍ ଦେଇଥିଲା, ଅବଶ୍ୟ ଏଥିରେ ଅରୂପଙ୍କୁ ପରାଜୟ ମିଳିଥିଲା । ୨୦୨୪ରେ ମଧ୍ୟ ପ୍ରସନ୍ନଙ୍କୁ ଦଳରୁ ଟିକେଟ୍ ମିଳିନାହିଁ । ଏହାବ୍ୟତୀତ ରାଜ୍ୟସଭା ପାଇଁ ତାଙ୍କ ମନରେ ଆଶା ଥିବାବେଳେ ଏଥିପାଇଁ ମଧ୍ୟ ତାଙ୍କୁ ସୁଯୋଗ ଦିଆଯାଇନଥିଲା । ଏସବୁକୁ ନେଇ ସେ ଦଳ ଉପରେ ଅସନ୍ତୋଷ ଥିବା ଏବଂ ଏବେ ତାଙ୍କର ଦିଲ୍ଲୀ ଗସ୍ତ ପରେ ବିଜେଡି ଛାଡି ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଯଦିଓ ଏଯାଏଁ ଏ ପ୍ରସଙ୍ଗରେ ତାଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ ।