ପଦ୍ମପୁରରେ ପାୱାର ସୋ’। ମୈଦାନରେ ତିନି ଦଳର ହେଭିୱେଟ ନେତା ।

110

କନକ ବ୍ୟୁରୋ: ଉପନିର୍ବାଚନ ତାରିଖ ପାଖେଇ ଆସୁଛି । ଏପଟେ ପଦ୍ମପୁର ମୁକାବିଲା ମୈଦାନରେ ଧୁଆଁଧାର ପ୍ରଚାର ଚାଲିଛି । ପଦ୍ମପୁରରେ ତିନି ପ୍ରମୁଖ ଦଳର ବଡ ବଡ ଚେହେରା ପ୍ରଚାର ରାଲିରେ ସାମିଲ ହୋଇ ପଦ୍ମପୁର ରାଜନୀତିକୁ ଉଷ୍ମ କରିଛନ୍ତି । ପଦ୍ମପୁର ନିର୍ବାଚନମଣ୍ଡଳିରେ ଏବେ ତିନି ଦଳର ପାୱାର ଶୋ ଦେଖିବାକୁ ମିଳିଛି । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା, ବରିକେଲ ଓ ବୁଧାପାଲିରେ ପ୍ରଚାର କରିଛନ୍ତି । ବିଜେଡି ପ୍ରାର୍ଥୀ ପାଇଁ ୫ ଜଣ ମନ୍ତ୍ରୀ ରାଜା ସ୍ୱାଇଁ, ସମୀର ଦାଶ, ରୀତା ସାହୁ, ରୋହିତ ପୂଜାରୀ ଓ ନିରଞ୍ଜନ ପୂଜାରୀ ଜୋରଦାର ପ୍ରଚାର କରି ଭୋଟ ମାଗିଛନ୍ତି ।

ସେପଟେ ପାଇକମାଲର ଝାରବନ୍ଧ ବ୍ଲକରେ ବିଶାଳ ସମାବେଶ କରି ଭାରତୀୟ ଜନତା ପାର୍ଟି ପ୍ରଚାର କରିଛିି । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିଛନ୍ତି, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ସେହିପରି ପଶ୍ଚିମ ଓଡିଶାର ବରିଷ୍ଠ ନେତା କେଭି ସିଂଦେଓ, ବସନ୍ତ ପଣ୍ଡା, ସୁରେଶ ପୂଜାରୀ ପ୍ରମୁଖ ପ୍ରଚାର କରିଛନ୍ତି । ଚାଷୀ ଓ ଅର୍ଚ୍ଚନା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି ।

ପଦ୍ମପୁର ଉପନିର୍ବାଚନ ପ୍ରଚାରରେ ବିଜେପି ଓ ବିଜେଡିଠାରୁ ଟିକେ ପଛେଇ ଥିବା କଂଗ୍ରେସ ଏବେ ପୁରା ଦମରେ ପ୍ରଚାର ମୈଦାନକୁ ଓହ୍ଲାଇଛି । କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜେୟଦେବ ଜେନା ସମାବେଶ କରିଛନ୍ତି । ପଦ୍ମପୁରରେ ପ୍ରଥମ ପ୍ରାର୍ଥୀ ଭାବେ ସତ୍ୟଭୂଷଣଙ୍କ ପାଇଁ ଇସ୍ତାହାର ଜାରି କରିଛି କଂଗ୍ରେସ । ଇସ୍ତାହାରରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପାଇଁ ସଂଗ୍ରାମ । ପାଇକମାଲକୁ ବିଜ୍ଞାପିତ ଅଂଚଳ ପରିଷଦରେ ପରିଣତ ପାଇଁ ଚେଷ୍ଟା ବରଗଡ ନୂତନ ରେଳ ପ୍ରକଳ୍ପ ପାଇଁ ଦାବି ଜୋରଦାର କରାଯିବାକୁ ପ୍ରତିଶ୍ରୁତି ଦେଇଛି ଦଳା

ପଦ୍ମପୁର ଉପନିର୍ବାଚନ ପାଇଁ ରବିବାର ପ୍ରଚାର ମୈଦାନକୁ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପଦ୍ମପୁରରେ ଚାଷୀ ସମସ୍ୟା ଓ ବରଗଡକୁ ନୂଆ ରେଳ ସଂଯୋଗ ବଡ ପ୍ରସଙ୍ଗ ପାଲଟିଛି । ତେଣୁ ବିଭାଗୀୟ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଆଣି ପ୍ରଚାରରେ ମାଇଲେଜ ନେବାକୁ ଯୋଜନା କରିଛି ବିଜେପି । ବିଜେଡି ପ୍ରାର୍ଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଚାର କରିବେ ବୋଲି ସୂଚନା ମିଳିଛି ।