ଧାମନଗର ଉପନିର୍ବାଚନ ପାଇଁ କାଲି ହେବ ମତଦାନ। ନେତା ବାଛିବେ ଧାମନଗରର ଧାମନଗର ଭୋଟର।

64

କନକ ବ୍ୟୁରୋ: କାଲି ଧାମନଗରରେ ମତଦାନ । ଧାମନଗରବାସୀ ବାଛିବେ ନେତା । ଧାମନଗର ଉପନିର୍ବାଚନ ପାଇଁ ବୁଥରେ ପହଁଞ୍ଚି ସାରିଛନ୍ତି ପୋଲିଂ ପାର୍ଟି । ରାତି ପାହିଲେ ପଡିବ ଭୋଟ । ନେତା ବାଛିବେ ଧାମନଗରବାସୀ । ଧାମନଗରର ୨ ଲକ୍ଷ ୩୮ହଜାର ୪୧୭ଜଣ ଭୋଟର ସେମାନଙ୍କ ଭୋଟଦାନ ଅଧିକାର ସାବ୍ୟସ୍ତ କରିବେ । ସକାଳ ୭ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ଭୋଟରମାନେ ଭୋଟ ପରିଚୟ ପତ୍ର ଛଡା ୧୨ ଟି ଅନ୍ୟ ଡକ୍ୟୁମେଣ୍ଟ ଦେଖାଇ ଭୋଟ ଦେଇ ପାରିବେ । ତେବେ ନିର୍ବାଚନକୁ ସ୍ୱଚ୍ଛ ଓ ଅବାଧ କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଛି ।

– ମୋଟ ମୋଟ ୨୫୨ଟି ବୁଥ ମଧ୍ୟରୁ ୧୨୬ଟି ବୁଥରେ ୱେବ୍ କାଷ୍ଟିଂ କରାଯିବ
– ବୁଥର ୧୦୦ ମିଟର ମଧ୍ୟରେ କେହି ବି କଥା ବାର୍ତା କରିପାରିବେ ନାହିଁ
– ଯଦି କେହି ନିୟମ ଉଲ୍ଲଙ୍ଘନ କରିବେ ତେବେ ତାଙ୍କୁ ଗିରଫ କରାଯିବ
– ୨୫ଟି ମାଇକ୍ରୋ ଅବଜରଭର ନିଯୁକ୍ତ ହୋଇଛନ୍ତି

ଏଥିସହ ଚେକିଂକୁ କଡାକଡି କରାଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ତେବେ ଭୋଟ ଗ୍ରହଣ ପାଇଁ ପ୍ରଶାସନର ପ୍ରସ୍ତୁତିକୁ ନେଇ ଆପତି ଉଠାଇଛି ବିଜେପି । ଭଦ୍ରକ ଜିଲ୍ଲାପାଳ ଓ ଏସପି ଶାସକ ଦଳକୁ ସୁହାଇଲା ଭଳି କାର୍ଯ୍ୟ କରୁଥିବା ଭାରତୀୟ ନିର୍ବାଚନ କମିଶନଙ୍କ ପର୍ଯ୍ୟବେକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି ବିଜେପି ପ୍ରତିନିଧି ଧଳ ।

ନିର୍ବାଚନ ପାଇଁ ତିିନି ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହେବାକୁ ସବୁ ବଳ ଲଗାଇ ଦେଇଥିବାରୁ କିଏ ଜିତିବ କିଏ ହାରିବ କହିବା ମୁସ୍କିଲ ହୋଇପଡିଛି । କିନ୍ତୁ ଏହା ଭିତରେ ଭୋଟ ପଡିବା ପୂର୍ବରୁ ରାଜନୈତିକ ଦଳର ନେତାମାନେ ଆରମ୍ଭ କରି ଦେଇଛନ୍ତିି ଆଗୁଆ ଅଙ୍କକଷା । ବିଜେଡି ନେତା ଅମର ଶତପଥୀ କହିଛନ୍ତି ବିଜେଡିର ବିପୁଳ ପରିମାଣରେ ବିଜୟୀ ହେବ । ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ପ୍ରଚାର ଲୋକେ ମନ ସ୍ଥିର କରି ସାରିଛନ୍ତି ପୁଣି ଥରେ ବିକାଶ ଧାରାରେ ସାମିଲ ହେବା ପାଇଁ । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଯଦି ବିଜେଡି ଓ ବିଜେପି ଟଙ୍କା ନବାଂଟିବେ ତାହେଲେ ଜିତିବ କଂଗ୍ରେସ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ସାଇଲେନ୍ସ ପିରିୟଡ ଚାଲିଥିଲେ ବି ଆଜି ରାତି ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ କୁହାଯାଏ ଆଜି ରାତିରେ ଅନ୍ଧାରୀ ବିଜେ ହୁଏ, ଭୋଟ କିଣା ହୁଏ, ଟଙ୍କା ବଣ୍ଟାଯାଏ ।