ଜମୁଛି ରାଜନୀତି ମାହୋଲ: ଦଳ ଦଳ ମଧ୍ୟରେ ଚାଲିଛି ପ୍ରତିଦ୍ୱନ୍ଦିତା, ଭୋଟ୍ ହାତେଇବାକୁ ଏବେଠୁ ତିନି ଦଳ ମଧ୍ୟରେ ଟକ୍କର

97

କନକ ବ୍ୟୁରୋ: ୩ ପ୍ରମୁଖ ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିବା ପରେ ଚଳ ଚଂଚଳ ନୟାଗଡର ରାଜନୈତିକ ସ୍ଥିତି । ନାମାଙ୍କନ ପୂର୍ବରୁ ଘରକୁ ଘର ଗାଁକୁ ଗାଁ ବୁଲି ପ୍ରଚାର ଆରମ୍ଭ କରିଦେଲେଣି ବିଜେଡି ଆଉ ବିଜେପି । ସେପଟେ ଦଳ ଡିଅାଁଙ୍କୁ ଆବୋରି ନେଇ ମିଶ୍ରଣପର୍ବ ନାଁରେ ପତିଆରା ବଢାଇବା ଉଦ୍ୟମରେ ଲାଗିଛନ୍ତି ଦୁଇ ପ୍ରମୁଖ ଦଳ । ଏସବୁକୁ ଦେଖିଲେ ମନେ ହେଉଛି ଏଥର ନୟାଗଡ ଦେଖିବ ଏକ ବିଗ ଫାଇଟ ।

୨୦୨୪ ରେ କାହାର ହେବ ନୟାଗଡ ? କିଏ ହାତେଇବ ରାଜ୍ୟର ଏହି ଚର୍ଚ୍ଚିିତ ଆସନ ? ଗଡ଼ ଦଖଲ କରିବ କିଏ? ନୟାଗଡରେ ବଢିଲାଣି ନିର୍ବାଚନି ଉଷ୍ମତା । ୩ ପ୍ରମୁଖ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିସାରଲା ପରେ ବଢିବାରେ ଲାଗିଛି ନିର୍ବାଚନି ଅଙ୍କକଷା । ଗତ ୨୦ ବର୍ଷ ଧରି ନୟାଗଡକୁ କବଜାରେ ରଖିଥିବା ବିଜେଡି ପ୍ରାର୍ଥୀ ଅରୁଣ ସାହୁ ଗାଁ କୁ ଗାଁ , ଘରକୁ ଘର ବୁଲି ପ୍ରଚାର ଆରମ୍ଭ କରିଛନ୍ତି । ଏବେ ଲୋକଙ୍କ ନିକଟରେ ନବୀନ ସରକାରଙ୍କ ବିକାଶର ବାର୍ତା ପହଂଚାଉଛନ୍ତି । କହିଛନ୍ତି ଆସନ୍ତା ୫ ବର୍ଷ ହେବ ମହା ବିକାଶର ମହାପର୍ବ । ସେପଟେ ପୁରା ଜୋଶରେ ରହିଛି ବିଜେପି ଶିବିର । ବିଧାୟକ ପ୍ରାର୍ଥିନୀ ପ୍ରତ୍ୟୁଷା ରାଜେଶ୍ୱରୀ ଙ୍କ ପ୍ରଚାର ନିର୍ବାଚନ ମୈଦାନକୁ ଉଷ୍ମ କରୁଛି । ଭିନ୍ନ ଭିନ୍ନ ମୁଦ୍ଦା ନେଇ ଲୋକଙ୍କ ନିକଟତର ହେବାକୁ ପ୍ରୟାସ ଜାରି ରଖିଛନ୍ତି ଦଳ ନାମାଙ୍କନ ପୂର୍ବରୁ ମୈଦାନକୁ ଓହ୍ଲାଇସାରିଲେଣି ବିଜେଡି ଆଉ ବିଜେପି । ସେପଟେ ସ୍ଥିତିକୁ ଅନୁଧ୍ୟାନ କରୁଛି କଂଗ୍ରେସ ।

ପୂର୍ବ ପ୍ରଦର୍ଶନକୁ ଦେଖିଲେ ଯଦିଓ କଂଗ୍ରେସ ଦୂର୍ବଳ ସ୍ଥିତିରେ ରହିଛି ତଥାପି ଏଥର ଭଲ କରିବ ବୋଲି କହିଛନ୍ତି ପ୍ରାର୍ଥୀ । ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ପରଦେଶୀ ବୋଲି ଆକ୍ଷେପ କରିବା ସହ ଲୋକେ ଏଥର ମାଟିର ପୁଅକୁ ସମର୍ଥନ ଦେବେ ବୋଲି ଆଶା ରଖିଛନ୍ତି । ଲୋକଙ୍କ ସମର୍ଥନ ଗୋଟାଇବାକୁ ପୟାସ ଜାରି ରହିଥିବା ବେଳେ ଶେଷରେ କିଏ ମାରିବ ବାଜି , ତା ଉପରେ ସମସ୍ତଙ୍କ ନଜର ।