ପୁଣି ବ୍ରିଟେନରେ ଦେଖାଦେଇଛି ରାଜନୈତିକ ଅସ୍ଥିରତା । ଦେଇଥିବା ପ୍ରତିଶ୍ରୁତି ପାଳନ କରୁନଥିବାରୁ ଲିଜ୍ ଟ୍ରସଙ୍କୁ ହଟାଇବାକୁ ଦାବି

101

କନକ ବ୍ୟୁରୋ : ନୂଆ ପ୍ରଧାନମନ୍ତ୍ରୀ ଚୟନ ପରେ ବି ବ୍ରିଟେନରେ ଲାଗିରହିଛି ରାଜନୈତିକ ଅସ୍ଥିରତା । ଏବେବି ବିଟ୍ରେନର ରାଜନୈତିିକ ଘଟଣାକ୍ରମ ବଦଳିବାରେ ଲାଗିଛି । ସେପ୍ଟେମ୍ବର ୬ରେ ନୂଆ ପ୍ରଧାନମନ୍ତ୍ରୀ ହୋଇଥିବା ଲିଜ୍ ଟ୍ରସଙ୍କ ଗାଦି ବିପଦକୁ ଚାଲିଆସିଛି । କାରଣ ଲିଜ୍ ଟ୍ରସ୍ ତାଙ୍କର ନିଷ୍ପତି ବାରମ୍ବାର ବଦଳାଉଛନ୍ତି । ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇ ଲିଜ୍ ଟ୍ରସ୍ ଯେଉଁ ପ୍ରଧାନମନ୍ତ୍ରୀ ପଦବୀ ହାତେଇଥିଲେ ଏବେ ସେହି ପ୍ରତିଶ୍ରୁତି ପାଳନ କରୁନାହାଁନ୍ତି । ନିକଟରେ ସେ ତାଙ୍କର ଅର୍ଥମନ୍ତ୍ରୀଙ୍କୁ ହଟାଇ ଦେଇଛନ୍ତି ।
ଏଥିସହ କର୍ପୋରେଟ ଟିକସ ହ୍ରାସ କରିଛନ୍ତି । ଟ୍ରସ୍ଙ୍କୁ ପ୍ରବଳ ବିରୋଧ କରାଯାଉଥିଲେ ବି ସେ କୌଣସି ପ୍ରକାରର ଗାଦି ଛାଡିବାକୁ ପ୍ରସ୍ତୁତ ନାହାଁନ୍ତି । ଏଭଳି ସ୍ଥିତିରେ କିଛି ବରିଷ୍ଠ କନଜରଭେଟିଭ୍ ସାଂସଦ ଟ୍ରସଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବାକୁ ଦାବି କରିଛନ୍ତି । ଆଉ ଯଦି ସେ ପ୍ରଧାନମନ୍ତ୍ରୀ ପଦବୀରୁ ହଟନ୍ତି କିଏ ନୂଆ ପ୍ରଧାନମନ୍ତ୍ରୀ ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏଭଳି ସମୟରେ ଭାରତୀୟ ବଂଶୋଦ୍ଧବ ଋଷି ସୁନକ ପ୍ରଧାନମନ୍ତ୍ରୀ ପାଇଁ ସବୁଠୁ ଅଧିକ ଦାବିଦାର ଅଛନ୍ତି ।