ପାକିସ୍ତାନ ବିଶ୍ୱର ସବୁଠୁ ବିପଦଜ୍ଜନକ ଦେଶ ବୋଲି କହିଲେ ଆମେରିକା ରାଷ୍ଟ୍ରପତି । ବୟାନ ପରେ ଆମେରିକା ରାଷ୍ଟ୍ରଦୂତଙ୍କୁ ତଲବ କଲା ପାକିସ୍ତାନ

230

କନକ ବ୍ୟୁରୋ : ପାକିସ୍ତାନକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ ବଡ ବୟାନ ଦେଇଛନ୍ତି । ବିଶ୍ୱର ସର୍ବାଧିକ ବିପଜ୍ଜନକ ରାଷ୍ଟ୍ରମାନଙ୍କ ମଧ୍ୟରୁ ପାକିସ୍ତାନ ଅନ୍ୟତମ ବୋଲି କହିଛନ୍ତି ବାଇଡେନ । ବାଇଡେନ କହିଛନ୍ତି କି ପାକିସ୍ତାନ ପାଖରେ ଅନେକ ଆଣବିକ ଅସ୍ତ୍ରଶସ୍ତ୍ର ରହିଛି । କିନ୍ତୁ ସେଠାକାର ସରକାର ଓ ସେନା ଭିତରେ ଆଦୌ ତାଳମେଳ ନାହିଁ । ବିନା ନୀରିକ୍ଷଣରେ ଏଭଳି ଆଣବିକ ଅସ୍ତ୍ରଶସ୍ତ୍ର ରଖିବା ସାରା ବିଶ୍ୱ ପାଇଁ ବଡ ବିପଦର କାରଣ ହୋଇପାରେ ।
ବାଇଡେନଙ୍କ ଏହି ବୟାନ ଏଭଳି ସମୟରେ ଆସିଛି ଯେତେବେଳେ ପରମାଣୁ ଯୁଦ୍ଧ ଆଶଙ୍କା ଭିତରେ ପୂରା ବିଶ୍ୱ ରହିଛି । ୟୁକ୍ରେନ ଯୁଦ୍ଧ ଭିତରେ ପୁଟିନ ବାରମ୍ବାର ପରମାଣୁ ଆକ୍ରମଣ ଧମକ ଦେଉଥିବାବେଳେ ଆମେରିକା ଏହାକୁ ବିରୋଧ କରୁଛି । ଏହା ଭିତରେ ପାକିସ୍ତାନକୁ ନେଇ ବାଇଡେନଙ୍କ ଏହି ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି । ବାଇଡେନଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନ ଶକ୍ତିମନ୍ତ୍ରୀ ଖୁର୍ରମ ଦସ୍ତଗୀର । ଆମେରିକାର ଏଭଳି ବୟାନ ଭିତିହୀନ । ବିଭିନ୍ନ ଅର୍ନ୍ତଜାତୀୟ ଏଜେନ୍ସି ପାକିସ୍ତାନର ଆଣବିକ ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ନିରିକ୍ଷଣ କରିଛନ୍ତି । ଗୋଟେ ପଟେ ଆମେରିକା ରାଷ୍ଟ୍ରପତି ପାକିସ୍ତାନ ବିରୋଧରେ ବୟାନ ଦେଉଥିବାବେଳେ ଅନ୍ୟପଟେ ଆମେରିକା ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ଲଗାତାର ଜାରି ରଖିଛି । ସୈନ୍ୟ ସହାୟତା ବ୍ୟତିତ ଆମେରିକା ପାକିସ୍ତାନକୁ ଆର୍ଥିକ ଓ ଆଇଏମଏଫଠୁ ମଧ୍ୟ ସାହାଯ୍ୟ ଯୋଗାଉଛି । ଏହା ଭିତରେ ବାଇଡେନଙ୍କ ଏହି ବୟାନ ପଛର କାରଣ କଣ ଏହାକୁ ନେଇ ଉଠୁଛି ପ୍ରଶ୍ନ ।