ୟୁପିରେ ଗଙ୍ଗା ଏକ୍ସପ୍ରେସ ୱେର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ, କହିଲେ ବିକାଶ ଉପରେ ଫୋକସ କରୁଛି ଡବଲ ଇଂଜିନ ସରକାର

94

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଶାହାଜାହଁପୁର ଠାରେ ଗଙ୍ଗା ଏକ୍ସପ୍ରେସ ୱେର ଶିଳାନ୍ୟାସ କରିଛନ୍ତି । ପାଖା ପାଖି ୫୯୪ କିଲୋମିଟର ଲମ୍ବ ସହ ୬ ଥାକିଆ ରାସ୍ତା ପାଇଁ ୩୬ ହଜାର ୨୦୦ କୋଟି ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଏହି କ୍ରମରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି କି, ଏହି ଏକ୍ସପ୍ରେସ ୱେ ମାଧ୍ୟମରେ ୟୁପିର ବିକାଶ ରାସ୍ତା ଖୋଲିବ ।

ଏହାସହ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ କି ୟୁପିରେ ଏବେ ଯେଉଁ ଏକ୍ସପ୍ରେସ ୱେର ଜାଲ ବିଛାଯାଉଛି , ନୂଆ ବିମାନ ବନ୍ଦର ନିର୍ମାଣ କରାଯାଉଛି ଓ ରେଳ ଷ୍ଟେସନ ନିର୍ମାଣ କରାଯାଉଛି ତାହା ୟୁପିବାସୀଙ୍କ ଭବିଷ୍ୟତ ଉଜ୍ୱଳ କରିବ । ଏହି ଏକ୍ସପ୍ରେସ ୱେ ବାବଦରେ ପ୍ରଧାନମନ୍ତ୍ରୀ କହିଛନ୍ତି କି ଏହି ରାଜମାର୍ଗ ନିର୍ମାଣ ହୋଇଗଲେ ଲୋକଙ୍କର ଗମନା ଗମନ ନେଇ ସମୟ ବଞ୍ଚିବ । ଅନ୍ୟପଟେ ୟୁପିକୁ ଚଳାଇବାକୁ ଯେଉଁ ଦୃଢ ଶାସନର ଆବଶ୍ୟକ ଥିଲା ତାହା ଏବେ ଡବଲ ଇଂଜିନ ସରକାର ଦ୍ୱାରା ସଫଳ ହେବାରେ ଲାଗିଛି । ଏହାସହ ୟୁପିର ପରିଚୟ ଆଗାମୀ ପୀଢି ପାଇଁ ସବୁଠାରୁ ଆଧୁନିକ ରାଜ୍ୟ ଭାବେ ହେବାକୁ ଯାଉଛି । ପ୍ରଥମେ ଲୋକଙ୍କ କରଟଙ୍କା କେଉଁଠାରେ ଖର୍ଚ୍ଚ ହେଉଥିଲା ତାହା ଜାଣିବା ସମ୍ଭବ ହେଉ ନଥିବା ବେଳେ ଏବେ ଲୋକଙ୍କ କର ଟଙ୍କାର ଗୋଟି ଗୋଟି କରି ବିନିଯୋଗ ହେଉଛି ଓ ତାହାର ସୁଫଳ ଲୋକମାନେ ଅନୁଭବ କରୁଛନ୍ତି ।

କହିରଖୁ କି ଗଙ୍ଗା ଏକ୍ସପ୍ରେସ ୱେ ମେରଠର ବିଜୈଲୀ ଗ୍ରାମଠାରୁ ଆରମ୍ଭ ହୋଇ ପ୍ରୟାଗରାଜର ଜୁଦାପୁର ଦାଣ୍ଡୁ ଗାଁ ପର୍ଯ୍ୟନ୍ତ ନିର୍ମାଣ କରାଯିବ । ଏହି ରାଜମାର୍ଗ ମେରଠ, ହାପୁଡ, ବୁଲନ୍ଦସହର ବ୍ୟତୀତ ଓମରୋହା ଦେଇ ଯିବ । ଏହି ରାସ୍ତା ସମ୍ପୂର୍ଣ୍ଣ ହୋଇଗଲେ ୟୁପିର ପଶ୍ଚିମ ଓ ପୂର୍ବାଞ୍ଚଳ କ୍ଷେତ୍ରକୁ ଯୋଡିବ ।