‘ଲୋକେ ତୃତୀୟ ଥର ସେବାର ସୁଯୋଗ ଦେଇଛନ୍ତି । ତୃତୀୟ ପାଳିରେ ୩ ଗୁଣା କାମ କରିବୁ’ : ସଂସଦରେ ମୋଦୀଙ୍କ ପ୍ରତିଶ୍ରୁତି

105

କନକ ବ୍ୟୁରୋ: ତୃତୀୟ ପାଳିର ପ୍ରଥମ ଅଧିବେଶନ ଆରମ୍ଭ ପୂର୍ବରୁ ସାଂସଦ ତଥା ଦେଶବାସୀଙ୍କ ପ୍ରତି ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି, ‘ ବିକଶିତ ଭାରତର ଲକ୍ଷ୍ୟର ସଙ୍କଳ୍ପ ନେଇ ଆଜି ୧୮ ତମ ଲୋକସଭାର ପ୍ରାରମ୍ଭ ହେଉଛି । ଚଳିତ ନିର୍ବାଚନ ବିଶ୍ୱର ସବୁଠୁ ବଡ ନିର୍ବାଚନ , ସାନଦାର ଭାବେ ଗୌରବମୟ ଭାବେ ସମ୍ପନ୍ନ ହୋଇଛି । ଏହା ୧୪୦ କୋଟି ଦେଶବାସୀଙ୍କ ପାଇଁ ଗର୍ବର କଥା । ଏଥିରେ ୬୫ କୋଟିରୁ ଅଧିକ ଭୋଟର ଭାଗ ନେଇଛନ୍ତି ।

‘ଏହି ନିର୍ବାଚନ ଏଥିପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ କାରଣ, ସ୍ୱାଧୀନତା ପରେ ଦ୍ୱିତୀୟ ଥର କୌଣସି ସରକାରଙ୍କୁ ଲଗାତାର ତୃତୀୟ ଥର ସେବା କରିବାକୁ ଜନତା ସୁଯୋଗ ଦେଇଛନ୍ତି । ଏହି ସୁଯେୠ ୬୦ ବର୍ଷ ପରେ ଆସିଛି । ଏହା ସାରା ବିଶ୍ୱରେ ଦେଶ ପାଇଁ ଗୌରବର କଥା । ଯେବେ ଦେଶର ଜନତା ତୃତୀୟ ଥର ପାଇଁ ଏହି ସରକାର ଉପରେ ଆସ୍ଥା ପ୍ରକଟ କରିଛନ୍ତି ଏହାର ଅର୍ଥ ସରକାରଙ୍କ ସମର୍ପଣ ଭାବ, ନୀତି , ନିୟତି ଉପରେ ଲୋକେ ମୋହର ଲଗାଇଛନ୍ତି’ । ଏଥିପାଇଁ ମୋଦୀ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

‘ଗତ ୧୦ ବର୍ଷରେ ଯେଉଁ ପରମ୍ପରାକୁ ପ୍ରସ୍ତାବିତ କରିବାକୁ ନିରନ୍ତର ପ୍ରୟାସ କରିଛୁ । କାରଣ ଆମେ ଜାଣିଛୁୁ ସରକାର ଚଳାଇବାକୁ ମହୁମତ ଦରକାର ହେଲେ ଦେଶ ଚଳାଇବାକୁ ଲୋକଙ୍କ ସହମତି ଦରକାର । ଯାହା ଆଜି ମିଳିପାରିଛି । ସମସ୍ତଙ୍କ ସାଙ୍ଗରେ ନେଇ ଭାରତମାତାର ସେବା କରିବୁ । ୧୪୦ କୋଟି ଦେଶବାସୀଙ୍କ ଆଶା, ଅକାଂକ୍ଷାକୁ ପୂରଣ କରିବୁ । ଆମେ ସମସ୍ତଙ୍କୁ ନେଇ ଚାଲିବାକୁ ଚାହୁଁଛୁ ଏବଂ ପ୍ରତି ପ୍ରସ୍ତାବକୁ ଶକ୍ତି ଦେବାକୁ ଚାହୁଛୁ’ ।

ମୋଦୀ ଆହୁରି ମଧ୍ୟ କହିଛନ୍ତି, ‘ସବୁଠୁ ଖୁସିର କଥା ଏଥର ଯୁବା ସାଂସଦଙ୍କ ସଂଖ୍ୟା ବହୁତ ଭଲ ରହିଛି । ୧୮ତମ ସଂସଦ କଥା କହିବାକୁ ଗଲେ, ଯେଉଁମାନେ ଦେଶର ସାଂସ୍କୃତିକ ମୂଲ୍ୟବୋଧକୁ ଜାଣିଛନ୍ତି ସେମାନେ ଏହି ୧୮ ଅଙ୍କର ମୂଲ୍ୟ ଜାଣିପାରିବେ । ଗୀତାରେ ମଧ୍ୟ ଏହି ୧୮ ଅଙ୍କର ଗୁରୁତ୍ୱ ରହିଛି । କର୍ମ, କର୍ତ୍ତବ୍ୟ ଓ କରୁଣାର ସନ୍ଦେସ ଦେଉଛି ଏହି ସଂଖ୍ୟା । ଭାରତରେ ପୁରାଣ ଓ ଉପନିଷଦର ସଂଖ୍ୟା ମଧ୍ୟ ୧୮, ଏହାର ଅଧା ୯ ଯାହା ପୂର୍ଣ୍ଣତାର ପ୍ରତୀକ । ୧୮ ବର୍ଷରେ ଆମ ଦେଶରେ ମତାଧିକାର ମିଳେ । ୧୮ତମ ଲୋକସଭା ଭାରତର ଅମୃତକାଳ, ଏହା ଏକ ଶୁଭ ସଙ୍କେତ’ ।

‘କାଲି ଜୁନ୍ ୨୫ ତାରିଖରେ ଭାରତର ଗଣତନ୍ତ୍ର ଉପରେ ଯେଉଁ କଳା ଦାଗ ଲାଗିଥିଲା ତାକୁ ୫୦ ବର୍ଷ ପୂରଣ ହେବାକୁ ଯାଉଛି । ଭାରତର ନୂଆ ପିଢୀ ଏହି କଥାକୁ କେବେବି ଭୁଲିବନି , ଭାରତର ସମ୍ବିଧାନକୁ ପୁରାପୁରି ଅବମାନନା କରିବାକୁ ଚେଷ୍ଟା କରାଯାଇଥିଲା । ଦେଶକୁ ଜେଲଖାନା ବନାଯାଇଥିଲା । ଜଣତନ୍ତ୍ରକୁ ଅବଦମିତ କରାଯାଇଥିଲା । ଏମର୍ଜେନ୍ସିର ଏହି କାଳିମାମୟ ସମୟକୁ ମନେରଖି ଗଣତନ୍ତ୍ରକୁ ସୁରକ୍ଷିତ ରଖିବାକୁ ଆମ ସରକାର ପ୍ରତିଜ୍ଞାବଦ୍ଧ’ ।

‘ଦେଶବାସୀ ଆମକୁ ତୃତୀୟ ଥର ସେବା କରିବାକୁ ସୁଯୋଗ ଦେଇଛନ୍ତି । ଏହାସହ ଆମ ଦାୟିତ୍ୱ ବି ୩ ଗୁୂଣା ବଢିଛି । ପୂର୍ବପେକ୍ଷା ୩ ଗୁଣା ପରିଶ୍ରମ କରିବୁ ଏବଂ ୩ ଗୁଣା ପରିଣାମ ମଧ୍ୟ ଆଣିବୁ । ସାଂସଦମାନଙ୍କ ଠାରୁ ଦେଶବାସୀଙ୍କୁ ଅନେକ ଆଶା ରହିଛି । ତେଣୁ ଜନହିତ ଓ ଲୋକସେବା ପାଇଁ ଆଜି ଏହି ସୁଯୋଗକୁ ପୂର୍ଣ୍ଣଭାବେ ନିଶ୍ଚିତ କରିବାକୁ ସମସ୍ତ ସାଂସଦଙ୍କୁ ଅନୁରୋଧ କରୁଛି’ ବୋଲି କହିଛନ୍ତି ମୋଦୀ ।