ପିନାକୀ ମିଶ୍ରଙ୍କ ମାନହାନୀ ମାମଲା: ଦିଲ୍ଲୀ ହାଇକୋର୍ଟ ଗଲେ ବିଜେଡି ସାଂସଦ

1,558

କନକ ବ୍ୟୁରୋ: ପୁଣି ଚର୍ଚ୍ଚାକୁ ଫେରିଲେ ପିନାକୀ ମିଶ୍ର । ପୁରୀ ସାଂସଦଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଯାଇଛନ୍ତି ବିଜେଡି ସାଂସଦ । ଅପଶବ୍ଦ ପ୍ରୟୋଗ ଓ ମିଛ ଦୁର୍ନୀତି ଅଭିଯୋଗ ଆଣୁଥିବା କହି ମହୁଆଙ୍କ ପୂର୍ବତନ ପୁରୁଷ ବନ୍ଧୁ ଜୟ ଅନନ୍ତଙ୍କ ବିରୋଧରେ ମାନହାନି ମାମଲା କରିଛନ୍ତି ପିନାକୀ ମିଶ୍ର ।

ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ନେଇ ପିନାକୀ ମିଶ୍ରଙ୍କ ବିବାଦ ଥମୁନାହିଁ । ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରାଇଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାନହାନୀ ମାମଲା କରିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର । ତାଙ୍କୁ ଆପତ୍ତିଜନକ ନାଁରେ ସମ୍ବୋଧନ କରିବା ସହ ମିଛ ଦୁର୍ନୀତି ଅଭିଯୋଗ ଆଣୁଥିବା ଆବେଦନରେ ଦର୍ଶାଇଛନ୍ତି ପିନାକୀ । ତେବେ ମହୁଆ ମୋଇତ୍ରାଙ୍କୁ ଜଣେ ଅନ୍ତରଙ୍ଗ ବନ୍ଧୁ ବୋଲି କହିଛନ୍ତି ପିନାକୀ, ଯାଏ ପୂର୍ବରୁ ଦେହାଦ୍ରାଇଙ୍କ ନିକଟତର ଥିଲେ ।

ପିନାକୀଙ୍କ ଅଭିଯୋଗ
‘ଯେତେବେଳେ ଦେହାଦ୍ରାଇ ଓ ମୋଇତ୍ରା ପରସ୍ପରଠାରୁ ଅଲଗା ହେଲେ, ସେତେବେଳେ ମହୁଆ ମୋଇତ୍ରାଙ୍କ ବିରୋଧରେ ଲାଂଚ କାରବାର ଓ ଦୁର୍ନୀତି ଭଳି ଏକାଧିକ ଅଭିଯୋଗ ଆଣିଥିଲେ ଜୟ ଅନନ୍ତ ଦେହାଦ୍ରାଇ । ଏଥିସହ ପିନାକୀଙ୍କ ବାବଦରେ ଆପତ୍ତିଜନକ ଶବ୍ଦ ସବୁ ବ୍ୟବହାର କରି ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ ।’

ମହୁଆ ମୋଇତ୍ରାଙ୍କ ବିରୋଧରେ ସଂସଦରେ ପ୍ରଶ୍ନ ପାଇଁ ଲାଂଚ ଅଭିଯୋଗ ଆସିଥିଲା । ଏହା ପରଠାରୁ ମୋଇତ୍ରାଙ୍କୁ ଟାର୍ଗେଟ କରିଆସୁଛନ୍ତି ତାଙ୍କ ପୂର୍ବତନ ଅନ୍ତରଙ୍ଗ ବନ୍ଧୁ ଜୟ ଅନନ୍ତ ଦେହାଦ୍ରାଇ । ତେବେ ମୋଇତ୍ରାଙ୍କ ସହ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କୁ ନେଇ ମଧ୍ୟ ଆପତିଜନକ ଟିପ୍ପଣୀ କରିଆସୁଛନ୍ତି ।

ଜୟ ଅନନ୍ତ ଦେହାଦ୍ରାଇ ଟ୍ୱିଟ୍… ନଜର ପକାନ୍ତୁ ଜୟ ଅନନ୍ତଙ୍କ ଏହି ପୋଷ୍ଟ ଉପରେ । ସୋସିଆଲ ମିଡିଆ ଏକ୍ସରେ ପିନାକୀଙ୍କୁ ଟାର୍ଗେଟ କରି ଲେଖିଛନ୍ତି,
ପିନାକୀ ମିଶ୍ରଙ୍କୁ ଅନୁରୋଧ ତାଙ୍କ ସଫଳତାର ରହସ୍ୟ ଟିକେ କୁହନ୍ତୁ
ମାତ୍ର ୩୦ ବର୍ଷ ବୟସରେ ଦିଲ୍ଲୀରେ ୨ଟି ବଙ୍ଗଳା କେମିତି କିଣିଲେ?
ସମାଜସେବୀ ଚନ୍ଦ୍ରସ୍ୱାମୀ ଜୀଙ୍କ ପାଇଁ ଏହା ସମ୍ଭବ ହେଲା କି?
‘ଯାହାଙ୍କଠାରୁ ଫି ନନେଇ ସେ ୨୨ଥର ବିଦେଶ ଗସ୍ତ କରିଛନ୍ତି’

ମହୁଆ ମୋଇତ୍ରାଙ୍କୁ ନେଇ ଦିଲ୍ଲୀରେ ବିବାଦୀୟ ହୋଇପଡିଥିବା ପିନାକୀ ମିଶ୍ରଙ୍କୁ ଓଡିଶାରେ ବି ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁରରୁ ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । କୁହାଯାଉଛି ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ନେଇ ଘୁରିବୁଲୁଛି ପିନାକୀ ମିଶ୍ର ଓ ଜୟ ଅନନ୍ତ ଦେହାଦ୍ରାଇଙ୍କ ମଧ୍ୟରେ ବିବାଦ । ଆଉ ଦିଲ୍ଲୀରେ ଏହି ବିବାଦର ପ୍ରଭାବ ଓଡିଶାରେ ମଧ୍ୟ ପଡିଛି । ବିବାଦ କାରଣରୁ ଏଥର ବିଜେଡି ତାଙ୍କ ଟିକେଟ କାଟିଥିବା କୁହାଯାଉଛି । ଚାରିଚାରି ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ପିନାକୀଙ୍କ ଟିକେଟ କାଟି ଏଥର ପୁରୀରୁ ଅରୁପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡି ।