ନାମାଙ୍କନ ଭରିଲେ ହେଭିୱେଟ୍ ନେତା: ପ୍ରାର୍ଥିପତ୍ର ଦାଖଲ କଲେ ଶରତ ପଟ୍ଟନାୟକ

138

କନକ ବ୍ୟୁରୋ: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ନେଇ ନାମାଙ୍କନ ପ୍ରକ୍ରିୟା ଜାରି ରହିଛି । ୨୪ ଲଢେଇ ପାଇଁ ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରୁଛନ୍ତି । ଆଜି ନୂଆପଡାରେ ପିସିସି ସଭାପତି ଶରତ ପଟ୍ଟନାୟକ, ଜୁନାଗଡରେ ବିଜେଡି ବିଧାୟକ ପ୍ରାର୍ଥୀ ଦିବ୍ୟଶଙ୍କର ମିଶ୍ର, ଦିଗପହଣ୍ଡିରେ ବିଜେପି ବିଧାୟକ ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର ଓ ଗୁଣୁପୁରରେ କଂଗ୍ରେସ ପ୍ରାର୍ଥୀ ସତ୍ୟଜିତ ଗମାଙ୍ଗ ନାମଙ୍କନ ଭରିଛନ୍ତି ।

୨୦୨୪ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ବିରାଟ ଶୋଭାଯାତ୍ରାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ରିଟର୍ଣ୍ଣି ଅଫିସର ଯୋଗେନ୍ଦ୍ର ମାଝୀଙ୍କୁ ନିଜ ପ୍ରାର୍ଥୀପତ୍ର ପ୍ରଦାନ କରିଛନ୍ତି ନୂଆପଡ଼ା କଂଗ୍ରେସ ବିଧାନସଭା ପ୍ରାର୍ଥୀ । ଜାତୀୟ କଂଗ୍ରେସର ନିର୍ବାଚନୀ ଇସ୍ତାହାରକୁ ଆଧାର କରି ଏଥର ନୂଆପଡାରେ କଂଗ୍ରେସର ବିଜୟ ହେବ ବୋଲି ଆଶା ରଖିଛନ୍ତି ପିସିସି ସଭାପତି । ନୂଆପଡାରେ ବିଜେଡିର ରାଜେନ୍ଦ୍ର ଢୋଲକିଆ, ବିଜେପିର ଅଭିନନ୍ଦନ ପଣ୍ଡା ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ମଧ୍ୟରେ କଡା ଫାଇଟ୍ ଦେଖିବେ ଜନତା ।

ସେପଟେ ଜୁନାଗଡ ଆସନ ପାଇଁ ପ୍ରସ୍ତୁତି କରୁଥିବା ବିଜେଡି ବିଧାୟକ ପ୍ରାର୍ଥୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପୂର୍ବରୁ ଜୁନାଗଡରେ ରୋଡ-ଶୋ କରିବା ସହ ନିିର୍ବାଚନୀ ସଭା କରିଛନ୍ତି । ସାଧାରଣ ସଭା କରିବା ପରେ ଦଳୀୟ କର୍ମୀ ଓ ନେତାଙ୍କ ସହ ଶୋଭାଯାତ୍ରାରେ ଧର୍ମଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ନାମାଙ୍କନ କରିଛନ୍ତି କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ।

ଏପଟେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ମଧ୍ୟ ପଛରେ ପଡ଼ିନାହାନ୍ତି । ବିଜେପିରୁ ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ହୋଇଥିବା ସିଦ୍ଧାନ୍ତ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଗାମୀ ଦିନରେ ଦିଗପହଣ୍ଡି ସମେତ ଗଞ୍ଜାମ ଜିଲ୍ଲାବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବେ ବୋଲି କହିଛନ୍ତି ସିଦ୍ଧାନ୍ତ ।

ସେହିପରି ପଂଚମ ଦିନରେ ଗୁଣୁପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସର ବିଧାୟକ ପ୍ରାର୍ଥୀ ସତ୍ୟଜିତ ଗମାଙ୍ଗ ନାମାଙ୍କନ ଦାଖଲ କରିଛନ୍ତି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଂହଚି ଗୁଣୁପୁର ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ କିରନ୍ ଦୀପ କୌର ସାହୋଟାଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି ।