ସାବଧାନ! ଭୁବନେଶ୍ୱରରେ ବୁଲୁଛନ୍ତି ନକଲି ପୁଲିସ: ଆଖି ପିଛୁଳାକେ ଲୁଟି ନେଉଛନ୍ତି ସୁନା ଗହଣା

129

କନକ ବ୍ୟୁରୋ: ନକଲି ପୁଲିସକୁ ଧରିଛି ଅସଲି ପୁଲିସ । ପୁଲିସ ଓ ସ୍ପେଶାଲ ବ୍ରାଂଚର ପରିଚୟ ଦେଇ ଲୋକଙ୍କୁ ଲୁଟୁଥିଲେ । ଏକୁଟିଆ ମହିଳାଙ୍କୁ ଦେଖି ସୁନାଗହଣା ଝାମ୍ପି ନେଉଥିଲେ । ଭୁବନେଶ୍ୱର, ମୁମ୍ବାଇ ସମେତ ଅନ୍ୟ ରାଜ୍ୟରେ ମୋଷ୍ଟ ୱାଂଟେଡ୍ ଥିବା ୭ ଜଣ ଲୁଟେରାଙ୍କୁ ଗିରଫ କରିଛି ପୁଲିସ । ସେମାନଙ୍କ ଠାରୁ ସାଢ଼େ ୩ ଲକ୍ଷ ନଗଦ ଟଙ୍କା ଓ ୬ ଲକ୍ଷ ଟଙ୍କାର ସୁନା ଜବତ ହୋଇଛି ।

ରାଜଧାନୀର ଗଳିକନ୍ଦିରେ ବୁଲୁଥିଲେ ନକଲି ପୁଲିସ । ଏକୁଟିଆ ମହିଳାଙ୍କୁ ଦେଖି କରୁଥିଲେ ସଫ୍ଟ ଟର୍ଗେଟ୍ । ଆଉ ଆଖି ପିଛୁଳାକେ ଲୁଟି ନେଉଥିଲେ ସୁନା ଗହଣା । ଦେଖନ୍ତୁ ସୁନା ଗହଣା ଲୁଟର କିଛି ଲାଇଭ ଚିତ୍ର । ଭଦ୍ର ମୁଖା ପିନ୍ଧା ଏହି ଲୁଟେରାଙ୍କ କାରନାମାର ଡେମୋ ଉପରେ ଟିକେ ନଜର ପକାନ୍ତୁ । ମୁଖା ପିନ୍ଧି ଥିବା ଏହି ଲୁଟେରାମାନେ ଆରମ୍ଭ କରି ଦେଇଛନ୍ତି ଅପରେସନ ଲୁଟ୍ ।

ଏକୁଟିଆ ମହିଳାଙ୍କୁ ରାସ୍ତାରେ ଅଟକାଇ ନିଜକୁ ପ୍ରଥମେ ପୁଲିସର ପରଚୟ ଦେଉଛନ୍ତି । ଆମେ ପୁଲିସ, ଆଗରେ ଲୁଟେରା ଜଗିଛନ୍ତି, ଆପଣଙ୍କ ସୁନାକୁ ଦେହରୁ କାଢି ଏକ ଜାଗାରେ ଗୁଡାଇ ରଖନ୍ତୁ, ନହେଲେ ଲୁଟ ହୋଇଯିବ କହି ବିଶ୍ୱାସକୁ ନେଉଛନ୍ତି । ଆଉ ସବୁ ସୁନା ମହିଳା ଜଣକ କାଢି ନକଲି ପୁଲିସ ହାତକୁ ବଢାଇ ଦେବା ପରେ, ଲୁଟେରା ମାନେ ପୁର୍ବରୁ ଆଣିଥିବା ଏକ ପୁଡିଆ ମହିଳାଙ୍କ ଓଢଣୀରେ ବାନ୍ଧି ଦେଉଛନ୍ତି । ପରେ ଖୋଲି ଦେଖିବା ବେଳକୁ ସୁନା ସବୁ ଗାଏବ ହୋଇ ସାରିଛି । କେବଳ ସେତିକି ନୁହେଁ ଟଙ୍କା ନେଇ ଆସୁଥିବା ବ୍ୟକ୍ତିଙ୍କୁ ଅଟକାଇ ନକଲି ନୋଟ ବ୍ୟାଙ୍କରୁ ଆଣିଛ କହି ଏମାନେ ଅଟକାନ୍ତି । ଆଉ ଟଙ୍କା ଗଣିବା ବାହାନାରେ ଅତି କୌଶଳକ୍ରମେ ଟଙ୍କା ବି ଗାଏବ କରି ଦିନ୍ତି ଏହି ନକଲି ପୁଲିସ ।

ମଧ୍ୟ ପ୍ରଦେଶର ଏହି ୭ ଜଣିଆ ଲୁଟେରା ଗ୍ୟାଙ୍ଗ ରାଜଧାନୀର ଗଳିକନ୍ତିରେ ପଶି ମୋଟ ୧୧ ଅପରାଧ ଘଟାଇଛନ୍ତି । କେବଳ ଓଡିଶା ନୁହେଁ, ଏମାନଙ୍କ ଏହି କାରନାମା ପାଇଁ ମୁମ୍ବାଇ, ରାଂଚି୍, ଛତିଶଗଡ, ଝାଡଖଣ୍ଡ ଓ ବିହାର ପୁଲିସ ବି ଏମାନଙ୍କୁ ଖୋଜୁଛି । ଅଭିଯୁକ୍ତ ମାନଙ୍କ ଠାରୁ ସାଢେ ୩ ଲକ୍ଷ ନଗଦ ଟଙ୍କା, ୬ ଲକ୍ଷର ସୁନା ଗହଣା , କାର, ବାଇକ, ନକଲି ଜେମଷ୍ଟୋନ ଓ ଚଷମା ଜବତ ହୋଇଛି ।

ମଧ୍ୟପ୍ରଦେଶରୁ ଆସିଥିବା ଏହି ନକଲି ପୁଲିସ ଗ୍ୟାଙ୍ଗ ସାରା ଦେଶରେ ଇରାନୀ ମୁସଲିମ ନାଁରେ ବେଶ ଜଣାଶୁଣା । ପୀଢ଼ି ପରେ ପୀଢ଼ି ଏମାନେ ଏଭଳି ଅପରାଧ ଘଟାଇ ଆସୁଛନ୍ତି । ବନ୍ଧା ହୋଇ ଜେଲଯାଆନ୍ତି, ଆଉ ଆସି ପୁଣି ଅପରାଧ କରନ୍ତି । ଏମାନଙ୍କୁ ଜେଲରୁ ମୁକୁଳାଇବା ପାଇଁ ସାରା ଦେଶରେ ଏମାନେ ଓକିଲ ବି ପ୍ରସ୍ତୁତ କରି ରଖିଥାନ୍ତି ।