ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା !

19

କନକ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ଓଡ଼ିଶା ହାଇକୋର୍ଟରେ ସୋମବାର ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ମିଳିଥିବା ସୂଚନା ଅନୁସାରେ କଟକର ଜଣେ ସମାଜସେବୀ ସୁରେନ୍ଦ୍ର ପାଣିଗ୍ରାହୀ ଏହି ମାମଲା ରୁଜୁ କରିଛନ୍ତି । ଏଥିରେ ଏଚପିସିଏଲ୍‌, ଆଇଓସିଏଲ୍‌, ବିପିସିଏଲର ୮ଜଣ ମାମଲାରେ ପକ୍ଷଭୂତ ହୋଇଛନ୍ତି । ସମାଜସେବୀ ଶ୍ରୀ ସୁରେନ୍ଦ୍ର ଆବେଦନରେ ଦାବି କରିଛନ୍ତି ଯେ, ପେଟ୍ରୋଲ ଓ ଡିଜେଲକୁ ଜିଏସ୍‌ଟି (ଦ୍ରବ୍ୟ ଓ ସେବା କର)ରେ ଅର୍ନ୍ତଭୁକ୍ତ କରାଯାଉ । ଜିଏସ୍‌ଟି ପରିଷଦ ଏହାରି ଉପରେ ଆଲୋଚନା କରି ସମସ୍ୟାର ସମାଧାନ କରନ୍ତୁ ବୋଲି ସେ ଦାବି କରିଛନ୍ତି ।

ସୂଚନାଯୋଗ୍ୟ ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି ୫ ଘଂଟିଆ ହରତାଳ କରିଛି ବିଜେଡି । ହରତାଳ ବେଳେ ଅନେକ ସ୍ଥାନରେ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ରାସ୍ତାରୋକ ଓ ଟାୟାର ଜାଳି ରାସ୍ତା ଅବରୋଧ କରି ସ୍କୁଲ, କଲେଜ ବନ୍ଦ ରଖିଥିଲା ବିଜେଡି । କିନ୍ତୁ ଶାନ୍ତିପୂର୍ଣ୍ଣ ହରତାଳ ନାଁରେ ଦେଖିବାକୁ ମିଳିଥିଲା ବିଜେଡି କର୍ମୀଙ୍କ ଦାଦାଗିରି । ବହୁ ଯାଗାରେ ଗାଡି ଭଙ୍ଗାରୁଜା କରିବା ସହ ସାଧାରଣ ଲୋକଙ୍କୁ ହଇରାଣ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ।