ଷ୍ଟାର୍ଟ ନହେବାରୁ ଜନନୀ ଆମ୍ବୁଲାନ୍ସକୁ ପଛରୁ ଠେଲିଲେ ଲୋକେ । ଗୋପରେ ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟସେବାର ଆଉ ଏକ ବିକଳ ଚିତ୍ର ।

60

କନକ ବ୍ୟୁରୋ: ପୁରୀ ଜିଲ୍ଲା ଗୋପରେ ଗୋଟିଏ ପଟେ ଆମ୍ବୁଲାନ୍ସର ଅଭାବକୁ ନେଇ ବୈଠକ ଚାଲିଛି । ଅନ୍ୟପଟେ ଠେଲି ଠେଲି ନିଆଯାଉଛି ଆମ୍ବୁଲାନ୍ସ । କୁଶୁପୁରୁ ଠାରେ ଜିଲ୍ଲା ସ୍ତରୀୟ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କୁ ନେଇ ଗତକାଲି ବୈଠକ ବସିଥିଲ।। ଏହି ସମୟରେ ଠେଲିଲେ ଆମ୍ବୁଲାନ୍ସ ଗଡୁଥିବା ଦେଖିବାକୁ ମିଳିଥିଲା । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଦୁଇ ଗୋଟି ଆମ୍ବୁଲାନ୍ସ କିଛି ଦିନ ଧରି ଅଚଳ ହୋଇ ଥିବା ବେଳେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଗୋଟିଏ ଜନନୀ ଆମ୍ବୁଲାନ୍ସ ଠେଲା ହେବା ସରକାରଙ୍କ ସ୍ୱାସ୍ଥ୍ୟ ସେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସରକାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ୧୦୮ ଆମ୍ବୁଲାନ୍ସର ଏପରି ବିପର୍ଯ୍ୟସ୍ତ ଚିତ୍ର ଦେଖିବାକୁ ମିଳିଛି ।ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ୮ ଗୋଟି ଉପ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି । ଗୋପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀ ମହିଳାଙ୍କ ପାଇଁ ଜନନୀ ଆମ୍ବୁଲାନ୍ସ ଗୋଟିଏ ରହିଥିବା ବେଳେ ଆଉ ୪ ଗୋଟି ୧୦୮ ଆମ୍ବୁଲାନ୍ସ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଦାବି ରହିଛି । ମାତ୍ର ବିଭିନ୍ନ ସମୟରେ ଓ ବିଭିନ୍ନ ସ୍ଥାନରେ ଏହି ସବୁ ଆମ୍ବୁଲାନ୍ସ ଗୁଡ଼ିକ ଅଚଳ ହୋଇ ପଡିଥିବା ବେଳେ କିଛି ଆମ୍ବୁଲାନ୍ସକୁ ଠେଲା ହେଉଥିବା ଦେଖିବାକୁ ମିଳିଛି ।