ପିପିଲିରେ ଶାନ୍ତିପୂର୍ଣ୍ଣ ନିର୍ବାଚନକୁ ଗୁରୁତ୍ୱ । ୬୦ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ, ମୁତୟନ ହେବେ ୧୫ ପ୍ଲାଟୁନ୍ ଫୋର୍ସ

144

କନକ ବ୍ୟୁରୋ : ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ହେଲେ ଏହାପୂର୍ବରେ ପିପିଲିରେ ହିଂସା ଚରମସୀମାରେ ପହଂଚିଛି । କେବେ ବିଜେଡି ନେତାଙ୍କ ଉପରେ ଆକ୍ରମଣର ଅଭିଯୋଗ ଆସୁଛି ତ କେବେ ବିଜେପି ନେତା । ଏହାରି ମଧ୍ୟରେ ଆଜି ଡିଜିପି ଅଭୟ ପିପିଲି ସ୍ଥିତିର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ, ଏଡିଜି ଓ କେନ୍ଦ୍ରାଞ୍ଚଳ ଡିଆଇଜି ସାମିଲ ହୋଇଥିଲେ । ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ଡିଜିପି ଅଭୟ କହିଛନ୍ତି କି ପିପିଲିରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ଉପରେ ଗୁରୁତ୍ୱ ଦିଆଯାଉଛି । ଏନେଇ ୬୦ ଜଣ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାସହ ନିର୍ବାଚନରେ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବା ସହ ୮୦ ଟି ସମ୍ବେଦନଶୀଳ ବୁଥରେ ବିଏସଏଫ୍ ଯବାନ ମୁତୟନ ହେବେ । ଏଥିରେ ୩ କମ୍ପାନୀ ବିଏସଏଫ ଯବାନ ମୁତୟନ ହେବେ ।

ସୂଚନା ଥାଉକି ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଏହି ନିର୍ବାଚନରେ ମୁଖ୍ୟତ ବିଜେଡି ଓ ବିଜେପି ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି । ପ୍ରଦୀପ ମହାରଥୀ ଉକ୍ତ ନିର୍ବାଚନ ମଣ୍ଡଳୀରୁ ୭ ଥର ବିଧାୟକ ହୋଇଥିବା ବେଳେ ତାଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀ ପ୍ରାର୍ଥୀ ହୋଇଛନ୍ତି । ଅନ୍ୟପଟେ ୨୦୧୯ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ଆଶ୍ରିତ ପଟ୍ଟନାୟକ ପୁଣିଥରେ ପ୍ରାର୍ଥୀ ହୋଇଛନ୍ତି ।