ଶୀତରାତିରେ ଖୋଲା ଆକାଶ ତଳେ ରୋଗୀ ଓ ସମ୍ପର୍କୀୟ। ଏମ୍ସରେ ମଝି ରାତିରେ ସ୍ଥିତି ପରଖିଲା କନକ ନ୍ୟୁଜ।

217

କନକ ବ୍ୟୁରୋ: ଦଲାଲରାଜର ବିବାଦ ପରେ ଏବେ ଚର୍ଚ୍ଚାରେ ଭୁବନେଶ୍ୱର ଏମ୍ସ । ତେବେ ପ୍ରକୃତ ସ୍ଥିତି କ’ଣ ରହିଛି. ଜାଣିବାକୁ ପହଞ୍ଚିଥିଲା କନକ ନ୍ୟୁଜ୍ । ଆଉ ଆମ ପ୍ରତିନିଧି ଯାହା ଦେଖିଲେ, ତାହା ଚିନ୍ତାଜନକ ଥିଲା । ଶୀତ କାକର ରାତିରେ ଖୋଲା ଆକାଶ ତଳେ ମଶାରି ଟାଙ୍ଗି ପଡ଼ିରହିଛନ୍ତି ରୋଗୀ ଆଉ ତାଙ୍କ ସମ୍ପର୍କୀୟ । କିଏ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛନ୍ତି ତ କିଏ ରାଜ୍ୟ ବାହାରୁ ବହୁ ଆଶା ନେଇ ଛୁଟିଆସିଛି । ହେଲେ ଭାଗ୍ୟକୁ ଆଦରି ଏମିତି ଖୋଲାଆକାଶ ତଳେ ପଡ଼ି ରହିଛନ୍ତି ।

ରୋଗୀ ଓ ସମ୍ପର୍କୀୟ ହନ୍ତସନ୍ତ ହେବାର ଖବର ପ୍ରସାରଣ ପରେ ସ୍ପଷ୍ଟୀକରଣ ରଖିଛନ୍ତି ଏମ୍ସ କର୍ତୃପକ୍ଷ । ଏମ୍ସ ସୁପରିଟେଣ୍ଡେଣ୍ଟ ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି ଯେ, ଏମ୍ସ କ୍ୟାମ୍ପସରେ ୫୦୦ ରୋଗୀ ରହିବା ଭଳି ଧର୍ମଶାଳା ଖୋଲାଯାଇଛି । ଉଦଘାଟନ ପରେ ଖୁବଶୀଘ୍ର ତାହା କାର୍ଯ୍ୟକ୍ଷମ ହେବ ।

ଭୁବନେଶ୍ୱର ଏମ୍ସରୁ ୧୩ ଜଣ ଦଲାଲ ଗିରଫ ହେବା ପରେ ଆଉ କିଛି ସନ୍ଦିଗ୍ଧ ଦଲାଲଙ୍କ ଫଟୋ ଜାରି କଲା ଏମ୍ସ । କେଉଁମାନଙ୍କ ସହଯୋଗରେ ଏମାନେ ସକ୍ରିୟ ଥିଲେ, ଏହାର ତଦନ୍ତ କରାଯିବ କହିଛନ୍ତି ମେଡିକାଲ କର୍ତୃପକ୍ଷ । ଡାକ୍ତରଖାନା ପକ୍ଷରୁ କମିଟି ଗଠନ କରି ତଦନ୍ତ କରାଯିବ । ଯେଉଁମାନଙ୍କ ବିରୋଧରେ ପ୍ରମାଣ ମିଳିବ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୋଲିସ ତଦନ୍ତରେ ଟିକେଟ୍ କାଉଁଟରରେ ଥିବା କୌଣସି ଷ୍ଟାଫଙ୍କ ଲିଙ୍କ ଆସିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।