ଛାତ୍ରୀଙ୍କୁ ଅଧ୍ୟାପକଙ୍କ ନିର୍ଯାତନା! ବେସିକ ସାଇନ୍ସ କଲେଜ ଅଧ୍ୟାପକ ରାତି ଅଧିରେ ପଠାଉଛନ୍ତି ଅଶ୍ଲୀଳ ମେସେଜ।

863

କନକ ବ୍ୟୁରୋ: ରାଜଧାନୀର ଛାତି ଉପରେ ଥିବା ପ୍ରତିଷ୍ଠିତ ବେସିକ ସାଇନ୍ସ କଲେଜର ଜଣେ ଅଧ୍ୟାପକଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ । ପୁଣି ବିବାଦରେ ଫସିଛନ୍ତି କଲେଜ କର୍ତ୍ତୃପକ୍ଷ । ଅଭିଯୋଗ ଅନୁସାରେ, ରାତିରେ ପ୍ରାଣୀବିଜ୍ଞାନ ବିଭାଗର ଅଧ୍ୟାପକ ଛାତ୍ରୀଙ୍କୁ ଦେଉଛନ୍ତି ଅଶ୍ଲୀଳ ମେସେଜ । ରାତିରେ ଶରୀର ଗଠନକୁ ନେଇ ମେସେଜ କରିଛନ୍ତି ଅଧ୍ୟାପକ । ଏହି ମେସେଜ ପଞ୍ଚମ ସେମିଷ୍ଟାର ଛାତ୍ରୀଙ୍କୁ ପଠାଇଥିବା ଅଭିଯୋଗ ହୋଇଛି । ଏ ନେଇ ସମ୍ପୃକ୍ତ ଛାତ୍ରୀ ୩୧ ତାରିଖରେ ଆବଶ୍ୟକୀୟ ପ୍ରମାଣପତ୍ର ସହ କଲେଜ ନିର୍ଦ୍ଦେଶକଙ୍କୁ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ପରେ କଲେଜ ନିର୍ଦ୍ଦେଶକ ୪ ମହିଳା ଅଧ୍ୟାପକଙ୍କୁ ନେଇ ଷ୍ଟିଅରିଂ କମିଟି ଗଠନ କରି ତଦନ୍ତ ଦାୟିତ୍ୱ ଦେଇଥିଲେ । କମିଟି ରିପୋର୍ଟ ଦେବା ପରେ ଓୟୁଏଟି କୁଳପତିଙ୍କୁ ହସ୍ତାନ୍ତର କରାଯାଇଛି । ତେବେ କଲେଜ କମିଟି ଗଠନ ପରେ ଓୟୁଏଟି କୂଳପତିଙ୍କୁ ରିପୋର୍ଟ ହସ୍ତାନ୍ତର କରି ଘଟଣାକୁ କର୍ତ୍ତୃପକ୍ଷ ଚାପି ଦେବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ଅଧ୍ୟାପକଙ୍କ ନାଁରେ ଏ ଯାଏଁ ଥାନାରେ ଅଭିଯୋଗ ହୋଇନାହିଁ । ତେଣୁ ଚର୍ଚ୍ଚା ହେଉଛି, ନିଜ ସ୍ତରରେ କଲେଜ ନିର୍ଦ୍ଦେଶକ ଘଟଣାକୁ ରଫାଦଫା କରିବାକୁ ୁୁଉଦ୍ୟମ କରୁଛନ୍ତି । ଏ ନେଇ ଅସନ୍ତୋଷ ବି ପ୍ରକାଶ ପାଇଛି ।

ବେସିକ ସାଇନ୍ସ କଲେଜରେ ଏଭଳି ନିର୍ଯାତନା କିଛି ନୂଆ କଥା ନୁହେଁ । ପୂର୍ବରୁ ଏଭଳି ଦୁଇ ଦୁଇଟି ଘଟଣା ସାମ୍ନାକୁ ଆସିଥିଲା । ଛାତ୍ରୀଙ୍କ ଅଭିଯୋଗ ପରେ କର୍ତ୍ତୃପକ୍ଷ ଥାନାରେ ଏତଲା ଦେଇଥିଲେ । ସମ୍ପୃକ୍ତ ପ୍ରଫେସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ର୍ୟାଗିଂ ପାଇଁ ଏହି କଲେଜ ଚର୍ଚ୍ଚାରେ ରହିଥିଲା । ଏଥର ଘଟଣାକୁ କାହିଁକି ଚାପିଦେବାକୁ ଉଦ୍ୟମ ହେଉଛି, ସେ ନେଇ ପ୍ରଶ୍ନ ଉଠିଛି ।