ନିର୍ବାଚନର ‘ଅଦୃଶ୍ୟ’ ଟଙ୍କା ! କେଉଁଠୁ ଆସୁଛି କାହା ପକେଟକୁ ଯାଉଛି?

56

ବିଜେଡି ଟଙ୍କା କାରବାର ଅଭିଯୋଗକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ । ବିଜେପି ଏହାକୁ ଏକ ପ୍ରମୁଖ ଅସ୍ତ୍ର ଭାବେ ପ୍ରୟୋଗ କରୁଥିବା ବେଳେ ବିଜେଡି ଲଗାତର ଭାବେ ଜବାବ ଦେଇ ଆସୁଛି । ତେବେ ଏହାରି ଭିତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି, ରାଜନୈତିକ ଦଳ ମାନେ କେତେ ସ୍ୱଚ୍ଛତାର ସହ ଟଙ୍କା ଆଣିଥାନ୍ତି ଓ କେତେ ସ୍ୱଚ୍ଛତାର ସହ ଟଙ୍କା ଖର୍ଚ୍ଚ କରିଥାନ୍ତି । ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ ଟଙ୍କା ଖର୍ଚ୍ଚ ହୋଇଥାଏ ନା ନିର୍ଦ୍ଧାରିତ ସୀମା ଠାରୁ ଯଥେଷ୍ଟ ଅଧିକ ଅର୍ଥ ଖର୍ଚ୍ଚ କରିଥାନ୍ତି ବିଭିନ୍ନ ରାଜନୈତିକ ଦଳ ।

poll-fundନିର୍ବାଚନ ପାଂଠି ଓ ଖର୍ଚ୍ଚ ଅନିୟମିତତା ପ୍ରସଙ୍ଗରେ ଏବେ ଉଭୟ ବିଜେଡି ଓ ବିଜେପି ମୁହାଁମୁହିଁ ଅବସ୍ଥାରେ । ଗତବର୍ଷ ବିଧାନସଭାରେ ଏହି ପ୍ରସଙ୍ଗ ଉଠିଥିଲା, ଗୃହ ଚାଲିପାରିନଥିଲା ସରକାର ଉତ୍ତର ରଖିଥିଲେ । କିଛି ଏଭଳି ଢଙ୍ଗରେ ଏହି ପ୍ରସଙ୍ଗ ସରିଯାଇଥିଲା । ହେଲେ ହଠାତ ବର୍ଷକ ପରେ ପୁଣି ରାଜ୍ୟ ରଜନୀତିରେ ଏହି ପ୍ରସଙ୍ଗ ଝଡ଼ ଆଣିଛି, ଯେତେବେଳେ ଏକ ଜାତୀୟ ଗଣମାଧ୍ୟମରେ ଏହାକୁ ନେଇ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ବିଜେପି ଅଭିଯୋଗ ଆଣି କହିଛି, ବିଜେଡିର ବ୍ୟାଙ୍କ ଖାତାର ସବୁ ନେଣ ଦେଣକୁ ସାର୍ବଜନୀନ କରିବା ସହ ଦଳକୁ ଆସିଥିବା ଅର୍ଥର ଉତ୍ସକୁ ଶାସକ ଦଳ ସ୍ପଷ୍ଟ କରୁ । ଗୋଟିଏ ଆରଟିଜିଏସ ନମ୍ବରରେ ଏକାଧିକ ନେଣଦେଣ ବିଜେଡିର ମୁଖା ଖୋଲିଦେବ । ଏ ସଂକ୍ରାନ୍ତରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିଜେଡିର ମୁଖା ଖୋଲିଦେଇଛି ।

ବିଜେପିର ଅଭିଯୋଗ ଉପରେ ତୁରନ୍ତ ବିଜେଡି ପକ୍ଷରୁ ଜବାବ ଦିଆଗଲା । ଯେଉଁଥିରେ କୁହାଗଲା, ଆସିଥିବା ତମାମ ଅଭିଯୋଗ ଦଳର ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିବା ପାଇଁ ଷଡଯନ୍ତ୍ର ଯାହା ବିରୋଧରେ ଦଳ ଆଇନର ଆଶ୍ରୟ ନେବ । ଦଳ ସ୍ୱଚ୍ଛତାରେ ବିଶ୍ୱାସ ରଖେ ବୋଲି ଦଳୀୟ ମୁଖପାତ୍ର ଗଣମାଧ୍ୟମ ସାମ୍ନାରେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ବ୍ୟାଙ୍କ ମାଧ୍ୟମରେ ଅଣନଗଦ ନେଣଦେଣକୁ ବେଆଇନ କହିବା ହାସ୍ୟାସ୍ପଦ । ବିଧାନସଭାରେ ଆଲୋଚନା ବେଳେ ନୀରବ ରହିଥିବା ବିଜେପି ଏବେ କେଉଁ ଉଦ୍ଦେଶ୍ୟ ଅଉ କାହା ଇଙ୍ଗିତରେ ମୁହଁ ଖୋଲୁଛି ତାହା ସମସ୍ତଙ୍କୁ ଜଣା ବୋଲି ଦଳ ପକ୍ଷରୁ ଜାରି ପ୍ରେସ ବିବୃତ୍ତିରେ କୁହାଯାଇଥିଲା ।

କଥା ଏତିକିରେ ସୀମତି ରହିଲାନି । ଦିଲ୍ଲୀରୁ ଫେରି ନବୀନ ପଟ୍ଟନାୟକ ଏହାକୁ ଷଡଯନ୍ତ୍ର ବୋଲି କହିବା ସହ ଆଇନର ଆଶ୍ରୟ ନେବେ ବୋଲି ବୟାନ ରଖିଲେ । ଯାହାର ଜବାବରେ ବିଜେପି କହିଲା, ମାମଲା ପୂର୍ବରୁକୋର୍ଟରେ ପହଂଚି ସାରିଥିବାରୁ ପୁଣି କୋର୍ଟ ଯିବାର କଥା କହିବା ହାସ୍ୟାସ୍ପଦ । ଏହି କଥା ଯେତେବେଳେ ବିଧାନସଭାରେ ଉଠିଥିଲା ସେତେବେଳେ ସଂଖ୍ୟା ବଳରେ ଶାସକ ଦଳ ଏହାକୁ ଚାପି ଦେଇଥିଲା । ତେବେ ଏହି ବୟାନବାଜି ଭିତରେ କିନ୍ତୁ ରାଜନୈତିକ ଦଳ ଗୋଟିଏ ମୂଳ ପ୍ରଶ୍ନର ଉତ୍ତର ଦେଉନାହାନ୍ତି । କେତେ ସ୍ୱଛତାର ସହ ପାଂଠି ଆଣୁଛନ୍ତି ଆଉ ପରିଚାଳନା କରୁଛନ୍ତି ରାଜନୈତିକ ଦଳ ।

ପ୍ରଥମେ ଦୁଇ ପ୍ରମୁଖ ଜାତୀୟ ଦଳ କଂଗ୍ରେସ ଓ ବିଜେପିର ସ୍ଥିତି ପାଂଠି ପରିଚାଳନା ଉପରେ ନଜର ପକାନ୍ତୁ । ଯେତେବେଳେ ଉଭୟ ରାଜନୈତିକ ଦଳ ସଂସଦ ଭିତରେ ରାଜନୀତିରେ କଳାଧନ ବିରୋଧରେ ଲଢେଇ କରୁଛନ୍ତି ଠିକ ସେତିକି ବେଳେ ରିପୋର୍ଟ ଆସିଥିଲା ଅଜଣା ଆକାଉଂଟରୁ ଉଭୟ ରାଜନୈତିକ ଦଳ ପାଖକୁ ଆସିଛି କୋଟି କୋଟି ଟଙ୍କା । ଆସୋସିଏସନ ଅଫ ଡେମୋକ୍ରାଟିକ୍ ରିଫର୍ମସ ବା ଏଡିଆର ରିପୋର୍ଟ ଅନୁସାରେ, ୨୦୦୫ ରୁ ୨୦୧୫ ଏହି ୧୦ ବର୍ଷ ମଧ୍ୟରେ ଏହି ଦୁଇ ରାଜନୈତିକ ଦଳ ଅଜଣା ସୂତ୍ରରୁ ୫ ହଜାର ୪୫୦ କୋଟି ଟଙ୍କା ପାଇଛନ୍ତି ।

Untitled-149ଏହି ଅବଧି ମଧ୍ୟରେ ଅନ୍ୟ ୬ଟି ଜାତୀୟ ରାଜନୈତିକ ଦଳ ତୁଳନାରେ ତାଲିକାର ଶୀର୍ଷରେ ରହିଥିଲା କଂଗ୍ରେସ । ଦଳ ଅଜଣା ସୂତ୍ରରୁ ପାଇଥିଲା ୩, ୩୨୩ କୋଟି ଟଙ୍କା । ବିଜେପି ଏହି ସମୟରେ ପାଇଥିଲା ୨ ହଜାର ୧୨୫ କୋଟି ଟଙ୍କା । ସିପିଏମ ୪୭୧ କୋଟି, ବିଏସପି ୪୪୮ କୋଟି, ଏନସିପି ୨୪୩ କୋଟି ଅଜଣା ସୂତ୍ରରୁ ଚାନ୍ଦା ଆକାରରେ ପାଇଥିବା ନେଇ ଏଡିଆର ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ, ଯେଉଁମାନେ ରାଜନୈତିକ ଦଳଙ୍କୁ ୨୦ ହଜାର ଟଙ୍କାରୁ ଅଧିକ ଅର୍ଥ ଦିଅନ୍ତି ସେମାନଙ୍କ ହିସାବ ରାଜନୈତିକ ଦଳ ମାନେ ଦିଅନ୍ତି । ଆଉ ଯେଉଁମାନେ ୨୦ ହଜାର ଟଙ୍କାରୁ କମ ଚାନ୍ଦା ଦିଅନ୍ତି ସେମାନଙ୍କ ବାଦରେ ରାଜନୈତିକ ଦଳ କୌଣସି ହିସାବ ଆୟକର ବିଭାଗ କିମ୍ବା ନିର୍ବାଚନ କମିଶନଙ୍କୁ ଦିଅନ୍ତି ନାହିଁ । ଯାହା ହେଉଛି ଅନିୟମିତତାର ମୁଳ ଉତ୍ସ । ଉଦାହରଣ ସ୍ୱରୂପ ଗତ ୧୧ ବର୍ଷ ଭିତରେ ଦଳ ୨୦ ହଜାର ଟଙ୍କାରୁ ଅଧିକ ଚାନ୍ଦା କାହାଠାରୁ ପାଇନଥିବା ବିଏସପି ଉଲ୍ଲେଖ କରିଥିଲା ଯାହା ବିଶ୍ୱାସଯୋଗ୍ୟ ନୁହେଁ । ତେଣୁ ଦୁର୍ନୀତିର ଏହି ଧାରାକୁ ରୋକିବାକୁ ଉଦ୍ୟମ ଆରମ୍ଭ ହୋଇଛି ।

ବଜେଟ ଉପସ୍ଥାପନ ବେଳେ ପଲିଟିକାଲ ଫଣ୍ଡିଂକୁ ସୁଧାରିବାକୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଘୋଷଣା କରିଥିଲେ । ଯେଉଁଥିରେ କୁହାଯାଇଥିଲା, ୨ ହଜାର ଟଙ୍କାରୁ କମ୍ ଟଙ୍କାର ଦାନ ଦେଲେ ଦାତାଙ୍କ ସଂପର୍କରେ କୌଣସି ତଥ୍ୟ ନଦେଲେ ଚଳିବ । ପୂର୍ବରୁ ଦଳଗୁଡ଼ିକୁ ୨୦ ହଜାର ଟଙ୍କାରୁ କମ୍ ଟଙ୍କାର ଚାନ୍ଦା ଦେଉଥିବା ଦାତାଙ୍କ ସଂପର୍କରେ କୌଣସି ତଥ୍ୟ ଦେବାକୁ ପଡୁନଥିଲା । ଏହି ଗଳାବାଟରେ ଅଧିକାଂଶ ଦଳ ପ୍ରାୟ ୮୦ ପ୍ରତିଶତ ଅଜଣା ସୂତ୍ରରୁ ଚାନ୍ଦା ନେଉଥିଲେ ।

ଘୋଷଣା ଅନୁସାରେ, ଏଣିକି ରାଜନୈତିକ ଦଳଗୁଡ଼ିକ ମାତ୍ର ୨ ହଜାର ଟଙ୍କା କୌଣସି ବ୍ୟକ୍ତି ବା ଅନୁଷ୍ଠାନଠାରୁ ନଗଦରେ ଗ୍ରହଣ କରିପାରିବେ । ଅଧିକ ଟଙ୍କା ନିର୍ବାଚନୀ ଚାନ୍ଦା ନେବାକୁ ହେଲେ ଚେକ୍ କିମ୍ବା ଡିଜିଟାଲ୍ ପେମେଂଟ ଆକାରରେ ନେବାକୁ ବାଧ୍ୟ । ଏଥିସହ ଦଳଗୁଡିକ ଏଣିକି ବଣ୍ଡ୍ ଜରିଆରେ ବି ଦାନ ଗ୍ରହଣ କରିବାକୁ ଆଇନରେ ସଂଶୋଧନ ଅଣାଯିବ । ବଣ୍ଡ୍ ବା ଋଣ ଜରିଆରେ ଯେକେହି ବ୍ୟକ୍ତି ବା ସଂସ୍ଥା ରାଜନୈତିକ ଦଳକୁ ଚାନ୍ଦା ଦେଇପାରିବେ ।

ଅନୁମାନ କରାଯାଉଛି, ଏଭଳି ପଦକ୍ଷେପ ପଲିଟିକାଲ ଫଣ୍ଡିଂରେ ସୁଧାର ଆଣିବ । କିନ୍ତୁ ୨ ହଜାର ଟଙ୍କାର ସ୍ଥିତି ପୁଣି ଗଳାବାଟ ତିଆରି କରିପାରେ । ତେବେ ବଡ କଥା ହେଉଛି, ଦେଶର ପ୍ରାୟତଃ ସବୁ ରାଜନୈତିକ ଦଳ ବେନାମୀ ସୁତ୍ରରୁ ଟଙ୍କା ଆଣି ନିର୍ବାଚନୀ ଖର୍ଚ୍ଚ ଉଠାଇବାରେ ମାହିର । ଏବେ ଓଡିଶା ରାଜନୀତିରେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି, ତାହା କେବଳ ଆରୋପ ପ୍ରତ୍ୟାରୋପ ଭିତରେ ସୀମିତ । ନଚେତ ସବୁ ନେତା ଜାଣଛନ୍ତି, ଟଙ୍କା କେମିତି ଆସେ ଆଉ କେମିତି ଖର୍ଚ୍ଚ ହୁଏ । ଯାହା ଦୃଢତାର ସହ କହିଛନ୍ତି ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ । ଯେଉଁଥିରେ ସେ କହିଛନ୍ତି, କୈାଣସି ନେତା ଛାତିରେ ହାତ ରଖି ନିର୍ବାଚନୀ ଖର୍ଚ୍ଚ ବାବଦରେ ସତ କହିପାରିବେ ତ?

ରାଜନୈତିକ ମହଲର ଚର୍ଚ୍ଚା ଅନୁସାରେ, ଏଭଳି ଆରୋପ ପ୍ରତ୍ୟାରୋପ କେବଳ ରାଜନୈତିକ ଫାଇଦା ହାସଲ କରିବା ପାଇଁ । ଏଭଳି ବୟାନବାଜି ବନ୍ଦ କରି ଯଦି ରାଜନୈତିକ ସ୍ୱଛତା ହାସଲ କରିବାକୁ ଉଦ୍ୟମ କରାଯାଏ, ତେବେ ଏହାର ଯଥେଷ୍ଟ ପାଇଦା ମିଳିବ । ପ୍ରତି ରାଜନୈତିକ ଦଳ ବେନାମୀ ଆକାରରେ ଚାନ୍ଦା ହାସଲ କରନ୍ତି, ଯାହାର ଉତ୍ସକୁ କେବେ ବି ସାର୍ବସାଧାରଣରେ ପ୍ରକାଶ କରନ୍ତିନି । ସେହିଭଳି ନିର୍ବାଚନୀ ଖର୍ଚ୍ଚ ମଧ୍ୟ ନିର୍ଦ୍ଦିଷ୍ଟ ସୀମା ଠାରୁ ଅଧିକ ହୁଏ, ଏହା ମଧ୍ୟ ସମସ୍ତେ ଅବଗତ ଥାନ୍ତି କିନ୍ତୁ ଏହି ସତ୍ୟକୁ ମଧ୍ୟ ଲୁଚାଇ ଦିଆଯଏ । ତେବେ ଏହାରି ଭିତରେ ରାଜନୀତିରେ କେବେ ସ୍ୱଛତା ଆସୁଛି ତାଉପରେ ନଜର ।

ରାଜ୍ୟ ରାଜନୀତିରେ ବିବାଦ ବଢୁଥିବା ବେଳେ ବିଜେଡି ପୁଣି ପ୍ରତିକ୍ରିୟା ଦେଇଛି । ଦୁଇଟି ଏସବିଆଇ ଆକାଉଂଟ ନେଇ ବ୍ୟାଙ୍କର ଚିଠି ଦେଖାଇଛି ଦଳ । ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ୨ଟି ଯାକ ଏସବିଆଇ ଆକାଂଉଟ ଭୁବନେଶ୍ୱରରେ ବିଜେଡି ନାଁରେ ରହିଛି । ନବୀନ ପଟ୍ଟନାୟକ ଓ ରାମଚନ୍ଦ୍ର ହାଁସଦାଙ୍କୁ ଗୋଟିଏ ଚେକରେ ଟଙ୍କା ଦିଆଯାଇନାହିଁ । ବିଜେଡିକୁ ବଦନାମ କରୁଥିବା ବ୍ୟକ୍ତି ବିରୋଧରେ କେସ କରାଯିବ । ଏହାସହ ମିଥ୍ୟା ତଥ୍ୟ ଦେଇଥିବା ପିଟିସନରଙ୍କ ନାଁରେ, ବିଜେପି ମୁଖପାତ୍ର ଓ ନିର୍ଦ୍ଦିଷ୍ଟ ଜାତୀୟ ଗଣମାଧ୍ୟମ ନାଁରେ କେସ କରାଯିବ ବୋଲି କହିଛନ୍ତି ପ୍ରତାପ ଦେବ । ସେପଟେ ଘଟଣାକୁ ନେଇ ଆୟକର ବିଭାଗର ଦ୍ୱାରସ୍ଥ ହୋଇଛି ବିଜେପି । ଲାଗୁଛି ପ୍ରସଙ୍ଗକୁ ନେଇ ବିଜେଡି ଭାବମୁର୍ତ୍ତିକୁ ବିଜେପି କ୍ଷୁର୍ଣ୍ଣ କରିବାକୁ ଉଦ୍ୟମ କରୁଥିବା ବେଳେ ଶାସକ ଦଳ ଯଥାସମ୍ଭବ ଉଦ୍ୟମ କରୁଛି, ନବୀନଙ୍କ ଭବମୁର୍ତ୍ତିକୁ ରକ୍ଷା କରିବାକୁ । ରାଜନୀତିର ଏହି ଗୋଟିଚାଳନା କାହାକୁ କେତେ ଫାଇଦା ଦେଉଛି, ଏବେ ତା ଉପରେ ନଜର ।