ଏସିଆ କପକୁ ଗ୍ରୀନ୍ ସିଗନାଲ! କେଉଁଠି ଖେଳିବ ଟିମ୍ ଇଣ୍ଡିଆ?

1,167

କନକ ବ୍ୟୁରୋ : କ୍ରିକେଟପ୍ରେମୀଙ୍କ ପାଇଁ ଖୁସିଖବର । ଖୁବଶୀଘ୍ର ଦେଖିବାକୁ ମିଳିବ ହାଇଭୋଲଟେଜ ମୁକାବିଲା । କାରଣ ମୈଦାନରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ । ସେପ୍ଟେମ୍ବର କିମ୍ବା ଅକ୍ଟୋବର ମାସରେ ଏହି ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିବ । କାରଣ ଏସିଆ କପକୁ ନେଇ ଯେଉଁ ଦ୍ୱନ୍ଦ୍ୱ ରହିଥିଲା ସେଥିରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି । ଅଥାର୍ତ ଖୁବଶୀଘ୍ର ଏସିଆ କପ୍ ନେଇ ପ୍ରକାଶ ପାଇବ କାର୍ଯ୍ୟସୂଚୀ । ପାକିସ୍ତାନରେ ଏସିଆ କପ ଖେଳାଯିବା ନେଇ ବାଟ ଫିଟିଛି । କିନ୍ତୁ ପାକିସ୍ତାନ ମାଟିରେ ଖେଳିବନି ଟିମ୍ ଇଣ୍ଡିଆ । ପାକିସ୍ତାନ ବଦଳରେ ଶ୍ରୀଲଙ୍କାରେ ନିଜର ଏସିଆ କପ ମୁକାବିଲା ଖେଳିପାରେ ଟିମ୍ ଇଣ୍ଡିଆ । ପାକିସ୍ତାନର ହାଇବ୍ରିଡ ମଡେଲକୁ ନେଇ ଏସିସି ସଦସ୍ୟଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ ଏସିଆ କପକୁ ନେଇ ବିଧିବଦ୍ଧ ଭାବେ କିଛି ଘଣ୍ଟା ମଧ୍ୟରେ ଘୋଷଣା ହୋଇପାରେ । ପାକିସ୍ତାନ ସହ ଶ୍ରୀଲଙ୍କାରେ ଏସିଆ କପ ଖେଳାଯିବ ।

ରିପୋର୍ଟ ମୁତାବିକ, ପାକିସ୍ତାନ ନିଜ ଘରୋଇ ମାଟିରେ ୪ଟି ମ୍ୟାଚ୍ ଖେଳିବାକୁ ପ୍ରସ୍ତାବ ଦେଇଥିଲା । ଯାହାକୁ ଏସିସି ପକ୍ଷରୁ ମଞ୍ଜୁରୀ ମିଳିଥିବା ନେଇ ଚର୍ଚ୍ଚା ହେଉଛି । ଲାହୋର ଓ ଗଦ୍ଦାଫି ଷ୍ଟାଡିୟମରେ ପାକିସ୍ତାନ ନିଜର ୪ଟି ମ୍ୟାଚ୍ ଖେଳିବ । ତେବେ ଭାରତ ନିଜର ସମସ୍ତ ମୁକାବିଲା ଶ୍ରୀଲଙ୍କାରେ ଖେଳିବ । ସେହିଭଳି ଫାଇନାଲ ମୁକାବିଲା ମଧ୍ୟ ଶ୍ରୀଲଙ୍କାରେ ଖେଳାଯାଇପାରେ । ଏଭଳି ଏକ ବ୍ୟବସ୍ଥା ମଧ୍ୟରେ ଖେଳାଯିବ ଚଳିତବର୍ଷର ଏସିଆ କପ । ଏହାପୂର୍ବରୁ ବିସିସିଆଇ ପାକିସ୍ତାନକୁ ନିଜ ଟିମକୁ ପଠାଇବ ନାହିଁ ଏକପ୍ରକାର ସ୍ପଷ୍ଟ କରିଥିଲା । ପରେ ପାକିସ୍ତାନ ହାଇବ୍ରିଡ ମଡେଲ ବିକଳ୍ପ ବ୍ୟବସ୍ଥା ଲାଗୁ କରିବାକୁ ଏସିସି ପାଖରେ ଦାବି କରିଥିଲା । ତେବେ ଅଧିକାଂଶ ଦେଶ ପାକିସ୍ତାନର ହାଇବ୍ରିଡ ମଡେଲ ପ୍ରସ୍ତାବରେ ରାଜି ହୋଇନଥିଲେ । ପରେ ପାକିସ୍ତାନରେ ଏସିଆ କପ୍ ଆୟୋଜନ ନହେଲେ ଟିମ୍ ଟୁର୍ଣ୍ଣାମେଣ୍ଟରେ ଭାଗ ନେବନି ବୋଲି ଚେତାବନୀ ଦେଇଥିଲା ପିସିବି । କିନ୍ତୁ ଏବେ ଏସିଆ କପକୁ ନେଇ ସମସ୍ତ ଦ୍ୱନ୍ଦ୍ୱ ଦୂର ହୋଇଛି । ଖୁବଶୀଘ୍ର ଏସିଆ କପର କାର୍ଯ୍ୟସୂଚୀ ପ୍ରକାଶ ପାଇବ ।

ଏସିଆ କପ ସହ ବିଶ୍ୱକପକୁ ନେଇ ମଧ୍ୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର ରହିଛି । ଏସିଆ କପ ଖେଳାଯିବା ନେଇ ବାଟ ଫିଟିବା ସହ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପରେ ଖେଳିବାକୁ ପାକିସ୍ତାନ ସଂକେତ ଦେଇଛି । ପୂର୍ବରୁ ଭାରତ ଏସିଆ କପ ବୟକଟ କଲେ , ପାକିସ୍ତାନ ବିଶ୍ୱକପ ଖେଳିବାକୁ ଭାରତ ଆସିବନି ବୋଲି ଚେତାବନୀ ଦେଇଥିଲା । କିନ୍ତୁ ଏବେ ଏସିଆ କପ ସହ ବିଶ୍ୱକପ ଚିନ୍ତା ମଧ୍ୟ ଦୂର ହୋଇଛି । ବିନା କୌଣସି ସର୍ତ୍ତରେ ପାକିସ୍ତାନ ବିଶ୍ୱକପ ଖେଳିବାକୁ ଭାରତ ଆସିବ ବୋଲି ସଂକେତ ଦେଇଛି । ଭାରତର ଯେକୌଣସି ଷ୍ଟାଡିୟମରେ ଖେଳିବାକୁ ପାକିସ୍ତାନ ସମ୍ମତି ପ୍ରକାଶ କରିଛି । ତେଣୁ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମୁକାବିଲା ଦେଖିବାକୁ ମିଳିପାରେ । ବିଶ୍ୱକପରେ ଯଦି ପାକିସ୍ତାନ ଆଗକୁ ବଢେ ତେବେ ଚେନ୍ନାଇ କିମ୍ବା ବାଙ୍ଗାଲୋରରେ ପାକିସ୍ତାନର ଅନ୍ୟ ମ୍ୟାଚ୍ ଗୁଡିକ ଖେଳାଯାଇପାରେ । ଖୁବଶୀଘ୍ର ବିଶ୍ୱକପ ପାଇଁ ମଧ୍ୟ କାର୍ଯ୍ୟସୂଚୀ ପ୍ରକାଶ ପାଇପାରେ । ଯାହାକୁ କ୍ରିକେଟପ୍ରେମୀ ଚାତକ ଭଳି ଚାହିଁ ରହିଛନ୍ତି ।