ଏ.ଏସ୍.ବି.ଏମ୍ ବିଶ୍ୱବିଦ୍ୟାଳୟରେ ଅଷ୍ଟମ ଅନ୍ତର୍ଜାତୀୟ ପ୍ରବନ୍ଧନ ମହାଧିବେଶନ ଅନୁଷ୍ଠିତ

150

କନକ ବ୍ୟୁରୋ: ମାର୍ଚ୍ଚ ୨ ତାରିଖରେ ଏଏସବିଏମ୍ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ଏ.ସି.ବି.ଏସ୍.ପି ଯୁକ୍ତରାଷ୍ଟ୍ର ଆମେରିକା, ଲୋଭାଚେସ୍କି ବିଶ୍ୱବିଦ୍ୟାଳୟ ରୁଷ ଓ ଭାରତୀୟ ପ୍ରବନ୍ଧନ ସଂସ୍ଥାନ, ସମ୍ବଲପୁରର ସହଯୋଗିତାରେ ଅଷ୍ଟମ ଅନ୍ତର୍ଜାତୀୟ ପ୍ରବନ୍ଧନ ମହାଧିବେଶନ “ସ୍ଥିତି ସ୍ଥାପକତା ଓ ଗନ୍ତବ୍ୟ ଅନୁଶୀଳନ” ଶୀର୍ଷକ ବିଷୟବସ୍ତୁକୁ ନେଇ ଅନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଅଛି । ମହାଧିବେଶନକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ବିଶ୍ୱ ବିଦ୍ୟାଳୟର ପ୍ରତିଷ୍ଠାତା ଓ କୁଳାଧ୍ୟକ୍ଷ ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ପ୍ରାରମ୍ଭରେ ବିଷୟବସ୍ତୁର ସଂକ୍ଷିପ୍ତ ସାର ଓ ଭୂମିକା ସମ୍ପର୍କରେ ଆଲୋକପାତ କରି ଆଲୋଚନାକୁ ପ୍ରବାହମାନ କରିଥିଲେ ।

ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗନ୍ତବ୍ୟ ଅନୁଶୀଳନର ସୂକ୍ଷ୍ମ ତତ୍ତ୍ୱକୁ ବିଶ୍ଲେଷଣ କରିବାକୁ ଯାଇ ଆତ୍ମନିରୀକ୍ଷଣ ଉପାଦେୟତା ଉପରେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀମଦ୍ ଭଗବତ୍ ଗୀତା ଓ ମହାଭାରତର କେତୋଟି ମାର୍ମିକ ଶ୍ଲୋକକୁ ଉର୍ଦ୍ଧୃତ କରି “ସ୍ଥିତି ସ୍ଥାପକତା” ବହୁମୁଖୀ ବିଚାର ବ୍ୟବସ୍ଥାର ସୂତ୍ରପାତ କରିଥାଏ ଏବଂ ବହୁ ବାଧାରୁ ମୁକ୍ତ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ଏହାର ଉପାଦେୟତା ମାଧ୍ୟମରେ ଅର୍ଥନୈତିକ ବିକାଶର ଧାରାକୁ ସୁଦୃଢ଼ ଓ ସଙ୍ଗଠିତ କରାଯାଇ ପାରେ ବୋଲି ମଧ୍ୟ ତାଙ୍କର ପ୍ରଭାବଶାଳୀ ଚିନ୍ତନର ପରିବ୍ୟକ୍ତ କରିଥିଲେ । ଉକ୍ତ ମହାଧିବେଶନରେ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିବା ସଂଘ ଲୋକସେବା ଆୟୋଗର ପ୍ରାକ୍ତନ ଅଧ୍ୟକ୍ଷ ଡଃ. ଡ଼ି. ପି. ଅଗ୍ରୱାଲ ଆଧୁନିକ ଓ ଦୃତ ପ୍ରଗତିମୁଖୀ ବିଶ୍ୱକୁ ସ୍ଥିତି ସ୍ଥାପକତା ନୂତନ ଆଲୋକର ସଞ୍ଚାର କରିପାରେବୋଲି ନିଜର ଗଭୀର ଆସ୍ଥା ପ୍ରକଟ କରିଥିଲେ । ମହାମାରୀ ସୃଷ୍ଟ ଅସ୍ଥିରତା ଓ ସ୍ଥାଣୁତାକୁ ଦୂର କରିବାରେ ଏବଂ ପ୍ରଗତୀର ବାର୍ତ୍ତାବହ ସାଜିବାରେ ସ୍ଥିତି ସ୍ଥାପକତା କାର୍ଯ୍ୟ କରିବ ବୋଲି ଆଶାବ୍ୟକ୍ତ କରିଥିଲେ ।

ମୁଖ୍ୟବକ୍ତା ଭାବେ ଯୋଗଦାନ କରି କେ.ପି.ଏମ୍.ଜି, ବୋର୍ଡ ସଦସ୍ୟ-ଦୁବାଇ ରିଚାର୍ଡ଼ ରେଖି ତାଙ୍କର ଓଜ୍ଜ୍ୱସ୍ୱିନୀ ବକ୍ତବ୍ୟ ମାଧ୍ୟମରେ ସ୍ଥାପକତା ମାନବ ଜାତିର ଭବିଷ୍ୟ ନିର୍ମାଣ ଦିଗରେ ମନ୍ତ୍ର ଓ ତତ୍ତ୍ୱ ଭାବେ କାର୍ଯ୍ୟ କରିବ ବୋଲି ତାଙ୍କର ଦୃଢୋ଼କ୍ତି ବ୍ୟକ୍ତ କରିଥିଲେ । ତତପରେ ମହାଧିବେଶନରେ ବ୍ଲୁମସ୍ ମେରୀ ପ୍ରକାଶିତ “ବିଲଡ଼ିଙ୍ଗ ରେଜିଲେନ୍ସ୍ – ଦି ୱେଏ ଫରୁଆଡ଼” ଶୀର୍ଷକ ଏକ ଗବେଷଣା ଲବ୍ଧ ପୁସ୍ତକ, ବିଶ୍ୱବିଦ୍ୟାଳୟର ମୁଖପତ୍ର “ଫିନିକ୍ସ” ଓ ଅଧିବେଶନର ଆଲେକ୍ଷ୍ୟ ଆଦି ପୁସ୍ତକ ତ୍ରୟକୁ ଅନାବରଣ କରିଥିଲେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । କୁଳାଧ୍ୟକ୍ଷ ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ମାନ୍ୟବର ରାଜ୍ୟପାଳଙ୍କୁ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରିଥିଲେ ।

ମହାଧିବେଶନର ପ୍ରାରମ୍ଭରେ କୁଳପତି ପ୍ରଫେସର କଲ୍ୟାଣ ଶଙ୍କର ରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ମହାଧିବେଶନର ଦ୍ୱିତୀୟ ଦିବସର ପର୍ଯ୍ୟାୟ ସମୁହରେ ତତ୍ତ୍ୱ ବିଷ୍ଲେଷକ ଓ ପ୍ରବକ୍ତା ଭାବେ ଯୋଗଦାନ କରିଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ତଥା ଓଡ଼ିଶା ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ, ନାଲକୋର ନିର୍ଦ୍ଦେଶକ ମାନବ ସମ୍ବଳ ରାଧେଶ୍ୟାମ ମହାପାତ୍ର, ଟି.ପି.ସି.ଓ.ଡ଼ି.ଏଲର ମାନବ ସମ୍ବଳ ମୁଖ୍ୟ ଭାରତ ଛାବ୍ରା ଓ ହିତୈଶୀ କନସଲଟିଙ୍ଗର ପରିଚାଳନା ନିର୍ଦ୍ଦେଶକ ଡ଼ଃ ସୁଭେନ୍ଦୁ ଦାସ, ଏ.ସି.ବି.ଏସ୍.ପି. ଆୟୁକ୍ତ ଡ଼ଃ. ରାଜେଶ ଖଜୁରୀୟା, ଓରିକ୍ଲିନ୍ ପରିଚାଳନା ନିର୍ଦ୍ଦେଶକ ବି.ସି. ମହାନ୍ତି, କ୍ୟାମେଡ଼ ବି-ସ୍କୁଲ, କାମ୍ବୋଡ଼ିଆର ଉପାଧ୍ୟକ୍ଷ ଡ଼ଃ. ଶୋକ ଉତ୍ତରା ଓ ଇଷ୍ଟ ୱେଷ୍ଟ ୟୁନିଭରସିଟି, ବାଙ୍ଗଲାଦେଶର ପ୍ରଫେସର ଅବୁଲ ଅଜାମ୍ । ଉକ୍ତ ମହାଧିବେଶନରେ ଆନ୍ତର୍ଜାତୀୟ ଓ ଜାତୀୟ ସ୍ତରର ଶତାଧିକ ଗବେଷକ, ଶିକ୍ଷକ ଓ ଛାତ୍ର ଗବେଷକ ମାନେ ଯୋଗଦାନ କରିଥିଲେ ଏବଂ ସେମାନଙ୍କର ଗବେଷଣାତ୍ମକ ରଚନା ଉପସ୍ଥାପନ କରିଥିଲେ ।