ଉଡ଼ିଲା ଷ୍ଟମ୍ପ୍, ବୁଲିଲା ଖଣ୍ଡା । ହସ୍ପିଟାଲ ବେଡରେ ହୋଟେଲ ମାଲିକ

571

କନକ ବ୍ୟୁରୋ : ହଠାତ ହୋଟେଲ ଭିତରକୁ ଧସେଇ ପସୁଛନ୍ତି କିଛି ଦୁବୃର୍ତ । ହାତରେ ଅଛି କ୍ରିକେଟ ଷ୍ଟମ୍ପ, ଖଣ୍ଡା ଆଉ ଅଂଟାରୁ କାଢ଼ୁଛନ୍ତି ମାରଣାସ୍ତ୍ର । କେହି କିଛି ବୁଝିବା ଆଗରୁ ୧୦ରୁ ଅଧିକ ଦୁର୍ବୃତ ହୋଟେଲର ପାର୍କିଂରେ ପଶି ଖଣ୍ଡା ବୁଲାଇବା ଆରମ୍ଭ କରିଦେଲେ । ଆଉ କିଛି ଦୁର୍ବୃତ ଗେଟ୍ ବାହାରେ ଜଗି ରହିଥିଲେ । ମାଡ଼ ମାରିବା ପୂର୍ବରୁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରି ହୋଟେଲ ଭିତରେ ଧସେଇ ପସିଲେ, ଯାହାକୁ ପାରିଲେ ତାକୁ ଚୋଟ ପକାଇଲେ । ହୋଟେଲର ଲବି ଠାରୁ ଆରମ୍ଭ କରି ବେଡ୍ ରୁମ୍ ପର୍ଯ୍ୟନ୍ତ ଗୋଡ଼ାଇ ଗୋଡ଼ାଇ ମାଲିକଙ୍କୁ ହାଣିଲେ । ହଣା ଭୟରେ ଉପସ୍ଥିତ ଷ୍ଟାଫ୍ କବାଟ କିଳି ଭିତରେ ରହିଲେ । ହୋଟେଲ ମାଲିକଙ୍କୁ ହାଣି ସାରିବା ପରେ ଅଧା ତିଆରି ଲିପ୍ଟର ଉପର ମହଲାରୁ ତଳକୁ ଫୋପାଡ଼ି ଦେଲେ । ଆଉ ହୋଟେଲର ସିସିଟିଭିରେ କଏଦ ହୋଇଥିବା ସବୁ କାରନାମାର ହାର୍ଡଡିକ୍ସ ଚୋରିକରି ଫେରାର ହୋଇଗଲେ ।

ଘଟଣା ସ୍ଥଳରେ ପୋଲିସ ପହଂଚି ସରଜମିନ୍ ତଦନ୍ତ ଆରମ୍ଭ କରିଛି । ଆକ୍ରମଣରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିବା ସହ ସିସିଟିଭିରୁ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି । ପୂର୍ବ ଶତୃତାକୁ କେନ୍ଦ୍ର କରି ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ଆକ୍ରମଣ କରିଥିବା ତଦନ୍ତରୁ ଜଣାପଡ଼ିଛି । ଭରତପୁର ଥାନା ପୋଲିିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଉଭୟ ପକ୍ଷଙ୍କ ନାଁରେ କମିିଶନରେଟ୍ ପୋଲିସରେ ପୂର୍ବରୁ ମାମଲା ରହିଥିବା ପୋଲିସ ଜାଣିବାକୁ ପାଇଛି ।

ରାଜଧାନୀ ରାତିରେ ଗୋଟିଏ ପଟେ ମା’ଙ୍କୁ ମେଲାଣୀ ଦେଇ ଭସାଣ ଉତ୍ସବ ଚାଲିଥିଲା । ଅନ୍ୟପଟେ ଅପରାଧିମାନେ ଖଣ୍ଡା ବୁଲାଇ ରାଜଧାନୀକୁ ରକ୍ତ ରଂଜିତ କରିଥିଲେ । ଏହି ଘଟଣାରୁ ଜଣାପଡୁଛି, କମିଶନରେଟ ପୁଲିସକୁ ଖୋଲା ଚ୍ୟାଲେଂଜ ଦେଉଛନ୍ତି ଅପରାଧୀ ।