ଜିଦ୍ ଧରିଲେ ଓୟୁଏଟି କୁଳପତି: ନୂଆ କୁଳପତି ଯୋଗଦେଲେ, ଛୁଟିରେ ଯିବି ବୋଲି ଜିଦ୍ ଧରିଲେ ସୁରେନ୍ଦ୍ରନାଥ ପଶୁପାଳକ

କୁଳାଧିପତିଙ୍କ ସଚିବାଳୟକୁ ଟାର୍ଗେଟ କଲେ ପଶୁପାଳକ

121

କନକ ବ୍ୟୁରୋ: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି) କୁଳପତି ଓ ରାଜ୍ୟପାଳ ତଥା କୁଳାଧିପତିଙ୍କ କାର‌୍ୟ୍ୟାଳୟରେ ମଧ୍ୟରେ ଚାଲିଥିବା ବିବାଦ ଶୀର୍ଷରେ ପହଞ୍ଚିଛି। କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କାର‌୍ୟ୍ୟକାଳ ଆଉ ୨୫ ଦିନରୁ କମ୍ ଥିବା ବେଳେ ଛୁଟିରେ ଯିବା ପାଇଁ କୁଳାଧିପତିଙ୍କ କାର‌୍ୟ୍ୟାଳୟରୁ ନିର୍ଦେଶ ଦିଆଯାଇଥିଲା। ଗତ ୨୫ ତାରିଖରେ ନିର୍ଦେଶ ଆସିଥିଲେ ମଧ୍ୟ ପ୍ରଫେସର ପଶୁପାଳକ ଏପର‌୍ୟ୍ୟନ୍ତ ଛୁଟିରେ ଯାଇନାହାନ୍ତି। ବରଂ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ସିଧାସଳଖ ରାଜଭବନ ସଚିବାଳୟକୁ ଟାର୍ଗେଟ କରିଛନ୍ତି। ତାଙ୍କୁ ହଇରାଣ କରାଯାଉଛି, ବଦନାମ କରିବା ପାଇଁ ଷଡ଼ଯନ୍ତ୍ର ହେଉଛି ବୋଲି କହିବା ସହ ନୂତନ କୁଳପତି ଯୋଗଦେଲେ ସେ ଛୁଟିରେ ଯିବେ ବୋଲି କହିଛନ୍ତି।

ପ୍ରଫେସର ପଶୁପାଳକ କହିଛନ୍ତି ଯେ, ଛୁଟିରେ ଯିବା ପାଇଁ ସେ ଆବେଦନ କରି ନଥିଲେ। କିନ୍ତୁ ଛୁଟିରେ ଯିବା ପାଇଁ ୨୬ ତାରିଖରେ ଚିଠି ପାଇଥିଲି। ଏହି ଚିଠିରେ ତଦନ୍ତ କଥା କୁହାଯାଇଛି। ହେଲେ କିଏ କି ପ୍ରକାର ତଦନ୍ତ କରୁଛନ୍ତି ତାହା ମୋତେ ଜଣା ନାହିଁ। ତଦନ୍ତ କଥା ଗଣମାଧ୍ୟମରେ ପ୍ରଚାର ହେଉଥିଲେ ମଧ୍ୟ ଏବିଷୟରେ ମୋତେ କିଛି କୁହାଯାଇ ନାହିଁ। ବିଶ୍ବବିଦ୍ୟାଳୟର ଯେଉଁ ଅବସରପ୍ରାପ୍ତ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ଭିଜିଲାନ୍ସ ତଦନ୍ତ ଲାଗି କୁହାଯାଇଛି ସେ ବହୁ ଦୁର୍ନୀତିରେ ଲିପ୍ତ ରହିଥିଲେ। ତାଙ୍କ ବିରୋଧରେ ତଦନ୍ତ ଚାଲିଛି। ଉକ୍ତ ବ୍ୟକ୍ତିଙ୍କ ଅଭିଯୋଗ ଭିତ୍ତିରେ କିଭଳି ତଦନ୍ତ କରିବାକୁ ନିର୍ଦେଶ ଦିଆଗଲା ତାହାକୁ ନେଇ ସନ୍ଦେହ ଉପୁଜିଛି।

କୁଳପତିଙ୍କ ଉପରେ କିଭଳି ଚାପ ପଡ଼ୁଥିଲା ସେ ତାହାର ଗୁମର ଖୋଲିଛନ୍ତି। ସେ କହିଛନ୍ତି ବିପିସିଏଲ୍ ଚେୟାରରେ ନିଯୁକ୍ତ ପାଇଁ ପରୋକ୍ଷରେ ଚାପ ପକାଯାଉଥିଲା। ନକଲି ପ୍ରମାଣପତ୍ର ଦେଇ ବିନିୟମ କାର‌୍ୟ୍ୟରେ ସମ୍ପୃକ୍ତ ଥିବା ଓ ଚାକିରି ନିୟମ ଉଲ୍ଲଂଘନ କରିଥିବା ଜଣେ ବ୍ୟକ୍ତିଙ୍କ ବିରୋଧରେ ଦଣ୍ଡ ପାଇଁ ପଦକ୍ଷେପ ନେଇଥିଲି। ହେଲେ ଏହା ନ କରିବା ପାଇଁ କୁଳପତିଙ୍କୁ ନିର୍ଦେଶ ଦିଆଗଲା। ଅନେକ କ୍ଷେତ୍ରରେ କର୍ମଚାରୀଙ୍କ ବଦଳି ପାଇଁ ଚାପ ପକାଗଲା। କୁଳାଧିପତିଙ୍କଠାରୁ ଅନୁମତି ପାଇବା ପରେ କାଠମାଣ୍ଡୁରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେଇଥିଲି। ସେଠାରେ ପହଞ୍ଚିବା ପରେ ଅନୁମତିକୁ ରଦ୍ଦ କରାଯାଇଥିବା ଜାଣିବାକୁ ପାଇଲି। ଡିନ୍ ପଦବି ପୂରଣ ପାଇଁ ଚୟନ କମିଟିର ସୁପାରିସ ଉପରେ କୁଳାଧିପତିଙ୍କ କାର‌୍ୟ୍ୟାଳୟ ପକ୍ଷରୁ କେତେକ ପ୍ରଶ୍ନ ଉଠାଯାଇଥିଲା। ନଥିପତ୍ର ସହ ଏହାର ଉତ୍ତର ଦିଆଯାଇଥିଲେ ମଧ୍ୟ ତାହାକୁ ଗ୍ରହଣ କରାଯାଇ ନଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

ସେ ଆହୁରି କହିଛନ୍ତି ବିଶ୍ବବିଦ୍ୟାଳୟକୁ ବଦନାମ ନ କରିବା, କୁଳପତି ପଦବିର ମର‌୍ୟ୍ୟାଦା ବଞ୍ଚାଇ ରଖିବା ପାଇଁ ଗଣମାଧ୍ୟମକୁ ଆସିବାକୁ ଚାହୁଁ ନଥିଲି। ତେବେ ବାରମ୍ବାର ବିଶ୍ବବିଦ୍ୟାଳୟ ଓ କୁଳପତିଙ୍କ ସ୍ବଚ୍ଛତା ନେଇ ପ୍ରଶ୍ନ ଉଠିବାରୁ ମୁହଁ ଖୋଲିବାକୁ ବାଧ୍ୟ ହେଲି। ରାଜ୍ୟରେ କୃଷି ଶିକ୍ଷା, ଗବେଷଣା ଓ ସମ୍ପ୍ରସାରଣ ଦିଗରେ ଓୟୁଏଟି କାର‌୍ୟ୍ୟ କରୁଛି। ଏହା ଏକ ପବିତ୍ର ଅନୁଷ୍ଠାନ। ଏହାର ସୁନାମରେ ଆଞ୍ଚ ଆସିବା ଭଳି କୌଣସି କାର‌୍ୟ୍ୟ କରା ନଯାଉ ବୋଲି ପ୍ରଫେସର ପଶୁପାଳକ ନିବେଦନ କରିଛନ୍ତି।