ମଣିପୁର ହିଂସା ପ୍ରଭାବିତଙ୍କୁ ଭେଟିଲେ ବିରୋଧୀ ସାଂସଦ । ରାଜ୍ୟରେ ଶାନ୍ତି ଫେରାଇ ଆଣିବାକୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର

69

କନକ ବ୍ୟୁରୋ: ମଣିପୁରରେ ବିରୋଧୀ ମେଣ୍ଟ ଇଣ୍ଡିଆର ସାଂସଦ । ଗସ୍ତର ଦ୍ୱିତୀୟ ଦିନରେ ୨୧ଜଣ ସାଂସଦ ବିଭିନ୍ନ ପ୍ରଭାବିତ ଅଂଚଳ ବୁଲି ଦେଖିବା ସହ ପୀଡିତଙ୍କୁ ଭେଟିଛନ୍ତି । ହିଂସାରେ ପ୍ରଭାବିତ ଲୋକଙ୍କୁ ଆଶ୍ରୟସ୍ଥଳରେ ଯାଇ ଭେଟିଛନ୍ତି ସାଂସଦ । ପରେ ମଣିପୁର ରାଜ୍ୟପାଳ ଅନୁସୁଇୟା ଉକେଇଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ସାକ୍ଷାତ କାର୍ଯ୍ୟକ୍ରମ ପରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ରାଜ୍ୟପାଳଙ୍କ ସହ ପ୍ରତିନିଧିମଣ୍ଡଳୀଙ୍କ ଆଲୋଚନା ସଫଳ ରହିଛି । କିଭଳି ମଣିପୁରରେ ଶାନ୍ତି ଫେରାଇ ଅଣାଯିବ ସେଦିଗରେ ଚର୍ଚ୍ଚା କରାଯାଇଛି । ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଏକ ପ୍ରତିନିଧିମଣ୍ଡଳୀ ମଣିପୁରକୁ ଆସି ଏଠାକାର ସ୍ଥିତି ଦେଖିବା ଉଚିତ ବୋଲି ଇଣ୍ଡିଆ ମେଂଟ କହିଛି । ମଣିପୁର ଯାଇଥିବା ବିରୋଧୀ ମେଣ୍ଟର ୨୧ଜଣ ସାଂସଦଙ୍କୁ ନେଇ ଦୁଇଟି ଟିମ ଗଠନ କରାଯାଇଛି । ୧୦ଜଣ ଓ ୧୧ଜଣ ଲେଖାଏଁ ଟିମ ବିଭିନ୍ନ ସ୍ଥାନ ବୁଲି ସ୍ଥିତିର ସମୀକ୍ଷା କରିଛନ୍ତି । ଶନିବାର ଦିଲ୍ଲୀରୁ ବିମାନଯୋଗେ ପ୍ରତିନିଧିମଣ୍ଡଳି ଇମ୍ପାଲରେ ପହଞ୍ଚିିଥିଲେ ।