ଅନୁଗୁଳ ଆଠମଲ୍ଲିକରେ ନରବଳି ଘଟଣାର ମାଷ୍ଟରମାଇଣ୍ଡ ଅଟକ: ୪ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ

398

କନକ ବ୍ୟୁରୋ: ଅନୁଗୁଳ ଆଠମଲ୍ଲିକରେ ନାବାଳକକୁ ନରବଳି ଅଭିଯୋଗ ଘଟଣାର ଆରମ୍ଭ ହୋଇଛି ତନାଘନା । ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରୀତାଞ୍ଜଳି ବାଘଙ୍କୁ ଉଠାଇ ଆଣିଛି ପୋଲିସ । ଏହାସହ ତାଙ୍କ ତିନି ପୁଅଙ୍କୁ ମଧ୍ୟ ଆଣି ପଚରାଉଚରା କରୁଛି ପୋଲିସ । ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି ।

ଅନ୍ୟପଟେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲ ପଠାଯାଇଛି । ଅନୁଗୁଳ ଜିଲ୍ଲା ସୁବର୍ଣ୍ଣପୁର ଗାଁର ସ୍ୱର୍ଗତ ଭକ୍ତ ବିଶ୍ୱାଳଙ୍କ ସଞ୍ଜିତଙ୍କ କିଛି ଦିନ ହେଲା ଦେହ ଅସୁସ୍ଥ ଥିଲା । ତାଙ୍କ ମାଆ ବାସନ୍ତୀ ବିଶ୍ୱାଳ ଗତ ୨୨ ତାରିଖରେ ଟୁସର ଗାଁର ରୀତାଞ୍ଜଳିଙ୍କ ପାଖକୁ ନେଇଥିଲେ । ରୀତାଞ୍ଜଳି ମଙ୍ଗଳା ଠାକୁରାଣୀଙ୍କ ପୂଜା କରନ୍ତି । ମା’ ମଙ୍ଗଳାଙ୍କ ପାଖରେ ଅଧିଆ ପଡ଼ିଲେ ଦେହ ଭଲ ହୋଇଯିବ ବୋଲି ସେ କହିଥିଲେ । ପରେ ମଙ୍ଗଳାଙ୍କ କୋଠିରେ ସଞ୍ଜିତ ରାତିରେ ଅଧିଆ ପଡ଼ିଥିଲେ । ତାଙ୍କ ମାଆ ଅନ୍ୟ ଏକ କୋଠରୀରେ ଶୋଇଥିଲେ । ହେଲେ ସକାଳୁ ସେ ଆଉ ତାଙ୍କ ପୁଅକୁ ପାଇନଥିଲେ । ପୁଅକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ପୋଲିସକୁ ଖବର ଦେବା ପରେ ନାବାଳକର ହାତ, ଗୋଡ କଟା ମୃତଦେହ ଉଦ୍ଧାର କରିଥିଲା । ଗୁପ୍ତଧନ ପାଇଁ ରୀତାଞ୍ଜଳି ନରବଳି ଦେଇଥିବା ଅଭିଯୋଗ ହୋଇଛି ।