ବର୍ଷେ ଭିତରେ ୩୦ ଜଣଙ୍କୁ , ୭୨ ଘଂଟା ଭିତରେ ୪ ଜଣଙ୍କୁ ଏନକାଉଂଟର୍ ! ତଥାପି କମୁନି ଅପରାଧ

49

କନକ ବ୍ୟୁରୋ : ମଦ ଦୋକାନ ଉପରେ ବୋମାମାଡ ଘଟଣାରେ ସଂପୃକ୍ତ ମୁନା ସାହୁ ଓ ରାଧାକୃଷ୍ଣ ସାହୁଙ୍କୁ ପୋଲିସ କରିଛି ଏନକାଉଂଟର । ଗତକାଲି ବ୍ରହ୍ମପୁର ଗୁଡୁସ ରୋଡରେ ଥିବା ମଦ ଦୋକାନ ଉପରେ ବୋମାମାଡ କରିଥିଲେ ଏହି ଦୁଇ ଅପରାଧୀ । ଆଉ ମଧ୍ୟରାତ୍ରରେ ପୋଲିସ ଉପରକୁ ଗୁଳିମାଡ କରି ଫେରାର ହେଉଥିବା ବେଳେ ମୁନା ଓ ରାଧାକୃଷ୍ଣଙ୍କ ଗୋଡରେ ବାଜିଥିଲା ପୋଲିସର ପାଲଟା ଗୁଳି । ଏମାନଙ୍କ ଠାରୁ ବନ୍ଧୁକ, ଗୁଳି ଓ ବୋମା ଜବତ ହୋଇଥିବା ବେଳେ ପୋଲିସ ହାତରେ ଲାଗିଛି ବୋମାମାଡର ସିସିଟିଭି ଫୁଟେଜ୍ । ମୁହଁରେ କପଡା ବାନ୍ଧି ବାଇକରେ ଆସିଥିବା ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ଦୋକାନ ଉପରକୁ କରିଥିଲେ ବୋମା ମାଡ ।

୨୦୧୬ରେ ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ କ୍ଲିନ୍ । ଆଉ ବର୍ଷେ ଭିତରେ ୩୦ ଜଣଙ୍କୁ ଏନକାଉଂଟର କରିଥିବା ବେଳେ ମାତ୍ର ୭୨ ଘଂଟାରେ ୪ ଜଣ ଅପରାଧୀ ହୋଇଛନ୍ତି ପୋଲିସ ଗୁଳିର ଶିକାର । ଗୁରୁବାର ଦିନ ଦ୍ୱିପହର ଭଞ୍ଜନଗର ଥାନା ତାରାସିଂ ଗାଁରେ ଦୁର୍ଦ୍ଦାନ୍ତ ଲୁଟେରା ବାବୁ ନାୟକ ଓ ଶୁକ୍ରବାର ଆସିକା ଥାନା କରଞ୍ଜେଇରେ ଅନନ୍ତ ନାରାୟଣ ପଟ୍ଟନାୟକଙ୍କୁ ଗୁଳି କରିଥିଲା ପୋଲିସ । ହେଲେ ବଡ କଥା ହେଉଛି ପୋଲିସର ସିରିଜ୍ ଏନକାଉଂଟର ପରେବି ଜିଲ୍ଲାରେ ତଥାପି ଥମୁନି ଅପରାଧ । ଏନକାଉଂଟର  ଅପେକ୍ଷା ଅପରାଧୀଙ୍କ ପାଇଁ ଥଇଥାନ ବ୍ୟବସ୍ଥା ହେଲେ ସମସ୍ୟାର ସମାଧାନ ହେବ ବୋଲି ମତ ଦେଇଛନ୍ତି ବରିଷ୍ଠ ଓକିଲ ଆଉ ପୂର୍ବତନ ପୋଲିସ ଅଧିକାରୀ ।