ପାନେ ପାଇଲା ପ୍ରେମିକ ! ପର ନାରୀ ଉପରେ ଆଖି ପକାଇ ଉଠ୍ ବସ୍ ହେଲେ ଯୁବକ

27

କନକ ବ୍ୟୁରୋ : ଏକ ତରଫା ପ୍ରେମ କରି ପାନେ ପାଇଲେ ପ୍ରେମିକ । ୬ ମାସ ଧରି ହଇରାଣ କରି ଆସୁଥିବା ଯୁବକଙ୍କୁ ଧରି ନିସ୍ତୁକ ଛେଚିଛନ୍ତି ସ୍ୱାମୀ ସ୍ତ୍ରୀ । କୌଣସି ସୂତ୍ରରୁ ମହିଳାଙ୍କ ଫୋନ ନମ୍ବର ପାଇ ବାରମ୍ବାର ଫୋନ କରୁଥିଲା ସଂପୃକ୍ତ ଯୁବକ । ରଥଯାତ୍ରା ଦିନ ଅସହ୍ୟ ହୋଇଥିଲା ଦୌରାତ୍ମ୍ୟ । ଯୁବକ ଜଣକ ପୁରୀ ଯିବା ପାଇଁ ମହିଳାଙ୍କୁ ବାଧ୍ୟ କରିଥିଲା, ହେଲେ ପୂର୍ବ ଯୋଜନା ଅନୁଯାୟୀ ମହିଳାଙ୍କ ସ୍ୱାମୀ ଘଟଣାସ୍ଥଳରେ ପହଁଚି ଯାଇଥିଲେ । ମିଳିମିଶି ଉତ୍ତମ ମଧ୍ୟମ ଦେବା ପରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି ପୁଲିସ ।

ଅଭିଯୁକ୍ତ ଜଣକ ହେଉଛନ୍ତି ଶୁଭାଶିଷ ଦାସ, ଘର ଜଗତସିଂହପୁର, ବୟସ ୨୯ । ୬ ମାସ ଧରି ପ୍ରେମରେ ପାଗଳ ହୋଇପଡିଥିବା ଶୁଭାଶିଷ ଭୁବନେଶ୍ୱର ସାଲିଆ ସାହିରେ ରହୁଥିବା ମହିଳାଙ୍କ ନମ୍ବର ପାଇ ତାଙ୍କୁ ହଇରାଣ କରିଆସୁଥିଲେ । ଦିନ ରାତି ଫୋନ କରି ମହିଳାଙ୍କ ଜୀବନକୁ ଦୁର୍ବିସହ କରି ଦେଇଥିଲେ ଏହି ଯୁବକ । ଏନେଇ ମହିଳାଙ୍କ ସ୍ୱାମୀ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଧରା ପଡିନଥିଲା । ଫଳରେ ତାର ପାଗଳାମି ଦିନକୁ ଦିନ ବଢିଯାଇଥିଲା । ଅସହ୍ୟ ହେବାରୁ ମହିଳା ଓ ତାଙ୍କ ସ୍ୱାମୀ ଏକତରଫା ପ୍ରେମିକଙ୍କୁ ପାନେ ଦେବାକୁ ସ୍ଥିର କରିଥିଲେ ।

ତେବେ ରଥଯାତ୍ରା ସମୟ ଥିବାରୁ ପୁରୀ ବୁଲି ଯିବାକୁ ମହିଳାଙ୍କୁ ବାଧ୍ୟ କରିଥିଲା ଶୁଭାଶିଷ । ଜଗତସିଂହପୁରରୁ ପ୍ରେମିକ ଆସି ପହଂଚିଥିଲା ଭୁବନେଶ୍ୱର ଫାୟାର ଷ୍ଟେସନ ଛକରେ । ୫୦୦୦ ଟଙ୍କା ନେଇ ପୁରୀ ବୁଲି ଯିବାକୁ ମହିଳାଙ୍କୁ ବାଧ୍ୟ କରିଥିଲା ପ୍ରେମିକ । ମହିଳା ଜଣକ ଅରାଜି ହେବାରୁ ଆରମ୍ଭ କରିଦେଇଥିଲା ଟଣାଓଟରା । ଯୋଜନା ମୁତାବକ ମହିଳାଙ୍କ ସ୍ୱାମୀ ଘଟଣାସ୍ଥଳରେ ପହଂଚି ଯାଇଥିଲେ । ତା ପରେ ଆରମ୍ଭ ହୋଇଯାଇଥିଲା ପ୍ୟାଟେଂଟ୍ ମେଡିସିନ୍ । ଉଭୟ ସ୍ୱାମୀ ସ୍ତ୍ରୀ ନିସ୍ତୁକ ପିଟିଥିଲେ ଯୁବକଙ୍କୁ । ଏହା ପରେ ପୁଲିସ ଶୁଭାଶିଷଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ।