ଚିନ୍ତା ବଢାଉଛି ମଙ୍କିଫକ୍ସ, କେରଳରୁ ତୃତୀୟ ସଂକ୍ରମିତ ଚିହ୍ନଟ

149

କନକ ବ୍ୟୁରୋ : କେରଳରୁ ତୃତୀୟ ମଙ୍କିଫକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବିଣା ଗର୍ଗ ସୂଚନା ଦେଇଛନ୍ତି । ଜୁଲାଇ ମାସରେ ୟୁଏଇରୁ ଫେରିଥିବା ଜଣେ ୩୫ ବର୍ଷିୟ ଯୁବକଙ୍କ ଠାରେ ମଙ୍କିଫକ୍ସ ଭୂତାଣୁ ଚିହ୍ନଟ ହୋଇଥିବା ବିଣା ଗର୍ଗ କହିଛନ୍ତି । ବିଣାଙ୍କ କହିବା ମୁତାବକ ମଲପୁରମରେ ରହୁଥିବା ଯୁବକ ଜଣଙ୍କ ଜୁଲାଇ ୬ ତାରିଖରେ ୟୁଏଇରୁ ଫେରିଥିଲେ   । ତାଙ୍କଠାରେ ମଙ୍କିଫକ୍ସ ଭୂତାଣୁ ଚିହ୍ନଟ ହେବା ପରେ ତାଙ୍କୁ ମଞ୍ଜରୀ ମେଡିକାଲରେ ଚିକିତ୍ସା କରାଯାଉଛି । ସେପଟେ ସଂକ୍ରମିତ ଜଣଙ୍କ କାହା କାହା ସହ ମିଶିଛନ୍ତି ତାହା ଉପରେ ନଜର କରି ସେମାନଙ୍କ ପରୀକ୍ଷଣ କରାଯାଉଥିବା କଥା କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

କହିରଖୁ କି କିଛିଦିନ ତଳେ କେରଳରୁ ୨ ଜଣ ମଙ୍କିଫକ୍ସ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ କେରଳ ସରକାର ଏକ ନିର୍ଦ୍ଦେଶନାମା ଜାରି କରି ଲକ୍ଷଣ ଥିବା ଲୋକମାନେ ପୃଥକବାସରେ ରହିବାକୁ କହିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏସଓପି ମୁତାବକ ମଙ୍କିଫକ୍ସ ଲକ୍ଷଣ ଥିବା ଲୋକଙ୍କ ଉପରେ ଜିଲ୍ଲା ସ୍ୱାସ୍ଥ୍ର୍ୟ ବିଭାଗ ନଜର ରଖିବ । ସେମାନଙ୍କୁ ପୃଥକବାସରେ ରଖାଯାଇ ସେମାନଙ୍କ ପରୀକ୍ଷଣ ଓ ଚିକିତ୍ସା କରାଯିବ ।

 

ସୂଚନା ଥାଉକି ପ୍ରଥମେ ଜୁଲାଇ ୧୪ ତାରିଖରେ କେରଳରୁ ପ୍ରଥମ ମଙ୍କିଫକ୍ସ ସଂକ୍ରମିତ ଚିହ୍ନଟ ହୋଇଥିଲା । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ବିଣା ଗର୍ଗ କହିଥିଲେ କି ବିଦେଶରୁ ଆସୁଥିବା ସମସ୍ତ ଲୋକଙ୍କର ପରୀକ୍ଷା ହେବ । ସଂକ୍ରମିତ କିମ୍ବା ସନ୍ଦିଗ୍ଧଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇ ସେମାନଙ୍କର ଚିକିତ୍ସା କରାଯିବ ।