ବାପାକୁ ହରାଇ ବେସାହାରା ୩ ମେଧାବୀ ଝିଅ । ପିଲାଙ୍କ ଭବିଷ୍ୟତ ପାଇଁ ଗୁହାରୀ କରୁଛି ଅସହାୟ ମା’

201

କନକ ବ୍ୟୁରୋ: ବାପାଙ୍କୁ ହରାଇ ଏବେ ବେସାହାରା ୩ ଝିଅ । ଘରର ମୂରବୀ ଆରପାରିକୁ ଚାଲିଯିବା ପରେ ଅସହାୟ ହୋଇପଡିଛନ୍ତି ତିନି ଝିଅ । ଯେଉଁଠି ଦି ବୋଳି ପେଟପୁରା ଖାଇବା ଯୋଗାଡ କରିବା କଷ୍ଟକର ସେଠି ପାଠ ପଢିବାକୁ ପାଉନି ସାହାସ । ୩ ଝିଅଙ୍କ ଭବିଷ୍ୟତ ପାଇଁ ସରକାରଙ୍କୁ ଗୁହାରୀ କରୁଛି ବିଧବା ମା’ ।

ଆମେ କହୁଛୁ ଯାଜପୁର କୋରେଇ ବ୍ଲକ କୋରନ୍ଦା ଗାଁର ସ୍ୱର୍ଗତ ନିରଞ୍ଜନ ସାହୁଙ୍କ ପରିବାର କଥା । ନିରଞ୍ଜନ ସାହୁ ଥିଲେ ଗଣ ଶିକ୍ଷକ । ସ୍ୱଳ୍ପ ଦରମା ହେଲେ ବି ପରିବାରକୁ ସୁରୁଖୁରୁରେ ଚଳାଇ ନେଉଥିଲେ । ହେଲେ ଏତକ ବି ପରତେ ଗଲାନି । ଏକ ଦୁର୍ଘଟଣାରେ ପ୍ରାଣ ହରାଇଲେ ନିରଞ୍ଜନ । ସେ ଚାଲିଯିବା ପରେ ୩ ଝିଅଙ୍କ ସହ ପତ୍ନୀ ରୀନା ସାହୁଙ୍କ ଆଖି ଆଗରେ ଯେପରି ଖାଲି ଅନ୍ଧକାର ଛାଇଗଲା । ଚଳିବାକୁ ପାଖରେ ପଇସାଟେ ନାହିଁ । ସାହିପଡିଶାଙ୍କଠୁ ମାଗିଯାଚି ଆଣିଲେ ଚୁଲି ଜଳୁଛି । ଏପରି ସ୍ଥଳେ ୩ ଝିଅଙ୍କ ପାଠପଢା ଦିଗହରା ହୋଇପଡିଛି ।

୩ ଝିଅ ମେଧାବୀ ହୋଇଥିବାରୁ ଯେତେ କଷ୍ଟ ପଡୁ ପଛେ ସେମାନଙ୍କୁ ପାଠ ପଢେଇ ମଣିଷ କରିବାକୁ ଭାବିଥିଲେ ବାପା ନିରଞ୍ଜନ ସାହୁ । ହେଲେ ତାଙ୍କ ଦେହାନ୍ତ ପରେ ଏସବୁ ଯେମିତି ସ୍ୱପ୍ନ ପାଲଟିଛି । ବଡ ଝିଅ ମେଧାବୀ ହୋଇଥିଲେ ବି ପଇସା ଅଭାବରୁ ଅଧିକ ପାଠ ପଢି ନପାରି ମ୍ୟାଟ୍ରିକ ପାସ କରିବା ପରେ ଏବେ ଘରେ । ଯେଉଁଠି ଦି ବୋଳି ଦି ମୁଠା ଖାଇବା ଯୋଗାଡ କରିବା କଷ୍ଟକର ସେଠି ପାଠପଢି ମଣିଷ ହେବା ସ୍ୱପ୍ନ ଦେଖିବାକୁ ଝିଅଙ୍କ ମନରେ ସାହାସ ପାଉନି । ତେଣୁ ପିଲାମାନଙ୍କ ଭବିଷ୍ୟତ ପାଇଁ ସରକାରଙ୍କୁ ଗୁହାରୀ କରୁଛନ୍ତି ମା ରୀନା ଦେବୀ । ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଜାଣିବା ପରେ ସାହାଯ୍ୟ କରିବାକୁ କହିଛନ୍ତି କୋରେଇ ବିଡିଓ ।

ଆଶା ଓ ବିଶ୍ୱାସ ଅସହାୟ ମା’ର ଲୁହ ଭିଜା କରୁଣ ନିବେଦନ ଶୁଣିବା ପରେ ପ୍ରଶାସନ ଯଥାଶୀଘ୍ର ସହାୟତାର ହାତ ବଢାଇବେ ।