ସାମ୍ନାକୁ ଆସିଲା ୨ଜଣ ଯୁବକଙ୍କ ନୂଆ ନୂଆ ଅଭିଯୋଗ, ଜଣକୁ ବିବାହର ପ୍ରତିଶ୍ରୁତି, ଅନ୍ୟ ଜଣକୁ ଅଭିନୟର ସୁଯୋଗ ଦେବା ଆଳରେ ଠକିନେଇଛନ୍ତି ଲକ୍ଷାଧିକ ଟଙ୍କା ।

1,003

କନକ ବ୍ୟୁରୋ: ଅଭିନେତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ନାଁରେ ନୁଆ ନୂଆ ଅଭିଯୋଗ ସାମନାକୁ ଆସିବାରେ ଲାଗିଛି । କିଏ ଖୋଲାଖୋଲି ଗଣମାଧ୍ୟମକୁ ସାମ୍ନା କରୁଛନ୍ତି ତ ପୁଣି କିଏ ନିଜ ନାମକୁ ଗୋପନ ରଖିବାକୁ ଚାହୁଁଛନ୍ତି । ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବକଙ୍କ ଠାରୁ ୨ ଲକ୍ଷ ୭୦ ହଜାର ଟଙ୍କା ଠକି ଦେଇଥିବା ଅଭିଯୋଗ ହୋଇଛି । ଏହି ବ୍ୟକ୍ତି ଜଣକ ସୋସିଆଲ ମିଡିଆରେ ଏକ ଭିଡିଓ ମଧ୍ୟ ଛାଡିଛନ୍ତି । ଏପରିକି ଟଙ୍କା ମାଗିବାରୁ ନେତା ମନ୍ତ୍ରୀଙ୍କ ନାଁ କହି ଚିନ୍ମୟୀ ତାଙ୍କୁ ଧମକ ଚମକ ଦେଉଥିବା ବି ବ୍ୟକ୍ତି ଜଣକ କହିଛନ୍ତି ।

ଯୁବକଙ୍କର ଅଭିଯୋଗ, ୨୦୧୭ ମସିହାରେ ଏକ ମାଟ୍ରିମୋନିଆଲ ସାଇଟରୁ ପରିଚୟ ହେବା ପରେ ସେ ଚିନ୍ମୟୀଙ୍କ ସହ ସଂପର୍କରେ ଥିଲେ । ଉଭୟ ଉଭୟଙ୍କୁ ବିବାହ କରିବା ପାଇଁ ନିଷ୍ପତି ମଧ୍ୟ ନେଇଥିଲେ । ସଂପର୍କ ବଢିବା ପରେ, ଚିନ୍ମୟୀ ବିଭିନ୍ନ ସମୟରେ ତାଙ୍କ ଠାରୁ ଟଙ୍କା ମଧ୍ୟ ନେଇଥିଲେ । ଲକ୍ଷାଧିକ ଟଙ୍କା ଠକାମୀରେ ପଡିବା ପରେ ଯୁବକ ଜଣକ ଏନେଇ କୋର୍ଟରେ ଆଶ୍ରୟ ନେଇଥିବା କଥା ଶୁଣିବାକୁ ମିଳିଛି । ତେବେ ଅଭିଯୋଗକାରୀ ଯୁବକ, ଚିନ୍ମୟୀଙ୍କ ସହ ସଂପର୍କରେ ଥିବା ବେଳେ କେମିତି ମିଠା ମିଠା କଥା ଓ ଗୀତ ଶୁଣାଉଥିଲେ ତାହା ଏବେ ସାମ୍ନାକୁ ଆସିଛି ।

ଅନ୍ୟପଟେ ବ୍ରହ୍ମପୁରର ଜଗନ୍ନାଥ ସେଠୀ ନାମକ ଜଣେ ଯୁବକଙ୍କୁ ଚଳଚିତ୍ରରେ ଅଭିନୟ ଦେବାକୁ କହି ତାଙ୍କ ଠାରୁ ମଧ୍ୟ ଅଭିନେତ୍ରୀ ଚିନ୍ମୟୀ ୯ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ଆସିଛି । ଫଟୋ ସୁଟ ପାଇଁ ଟଙ୍କା ନେବା ପରେ ତାଙ୍କୁ ପେସବୁକରୁ ବ୍ଲକ କରିବା ସହ ଧରା ଛୁଆଁ ଦେଉନଥିବା ସେ ଅଭିଯୋଗ କରିଛନ୍ତି । ସେପଟେ ଡିସିପି କହିଛନ୍ତି, ଯଦି ଏନେଇ କେହି ବ୍ୟକ୍ତି ଥାନାର ଦ୍ୱାରସ୍ଥ ହୁଅନ୍ତି, ତେବେ ତଦନ୍ତ କରାଯିବ ।

ତେବେ ସବୁଠାରୁ ବଡ଼କଥା ହେଲା, ଅଭିନେତ୍ରୀ ଚିନ୍ମୟୀଙ୍କ ନାଁରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ତାଙ୍କ ପାଇଁ ଅଡୁଆ ବଢାଉଛି । ଠକାମିର ଶିକାର ହୋଇଥିବା ଯୁବକମାନେ ପୁଲିସ କମିଶନରଙ୍କ ନିକଟରେ ଫେରାଦ ହେବେ ବୋଲି ଜଣାପଡିଛି । ଏ ନେଇ ଅଭିନେତ୍ରୀ ଚିନ୍ମୟୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।