ଋଣ ସୁଝିପାରିଲେନି ବୋଲି, ସାଜିଲେ ରାସ୍ତକଡର ଭିକାରୀ । ରାଜଧାନୀ ବୃଦ୍ଧାଙ୍କର ଯନ୍ତ୍ରଣାଭରା କାହାଣୀ ।

129

କନକ ବ୍ୟୁରୋ: ଜୀବନ କେତେବେଳେ କେଉଁ ମୋଡ ନେବ କିଏ କହିବ? ରାସ୍ତା କଡରେ ବସିଥିବା ଏଇ ବୁଢି ମାଉସୀଙ୍କୁ ଦେଖିଲେ ଜୀବନର ବାସ୍ତବତାକୁ ବୁଝିବାକୁ ଡେରି ହୁଏନି । ବୟସ ୮୦ ଛୁଇଁବ ।  ନା ଚାଲିବାକୁ ଗୋଡରେ ବଳ ଅଛି ନା ଆଖିକୁ ଭଲ ଦେଖାଯାଉଛି । ତଥାପି ଦାଉ ସାଜୁଛି ଜୀବନ । ଘର ପାଇଁ କରିଥିବା ଋଣ ସୁଝିବାକୁ ଏଇ ବୟସରେ ପାଲଟିଛନ୍ତି ରାସ୍ତା କଡର ଭିକାରୀ ।

୨୦ ବର୍ଷ ତଳୁ ସ୍ୱାମୀ ଆରପାରିକୁ ଚାଲିଗଲେ । କଷ୍ଟେମଷ୍ଟେ ୩ ଝିଅ ଓ ପୁଅକୁ ଧରି ଗୁଜୁରାଣ ମେଣ୍ଟାଉଥିଲେ ଭଗବତୀ ପାଣିଗ୍ରାହୀ । ମାଗିଯାଚି ଅତି କଷ୍ଟରେ ୩ ଝିଅଙ୍କୁ ବାହା ବି ଦେଲେ । ଭୁବନେଶ୍ୱର ବାଣୀବିହାର ଅଞ୍ଚରେ ସରକାରୀ ଜମି ଉପରେ ଘରଟେ ଥିଲା ।  ହେଲେ ଗତ ଝଡ ତୋଫାନରେ ସେଖଣ୍ଡକ ବି ମାଟିରେ ମିଶିଗଲା । ଲୋକଙ୍କ ଠାରୁ ଧାର ଉଧାର କରି ପୁଣି ଥରେ ଆଜବେଷ୍ଟସ୍ ଘରଟେ ଛିଡାକଲେ । ହେଲେ ଠିକ୍ ସମୟରେ ଲୋକଙ୍କ ଧାର ସୁଝିପାରିଲେନି । କେଉଁଠୁ ଆଣିବେ ପଇସା । କାମ କରିବାକୁ ବି ଆଉ ଦେହରେ ବଳ ନାହିଁ । ବାଧ୍ୟ ହୋଇ ଋଣ ସୁଝିବାକୁ ଭିକ ମାଗୁଛନ୍ତି ଏହି ବୃଦ୍ଧା ।

ଘରେ ଭେଣ୍ଡିଆ ପୁଅ, ହେଲେ ମାନସିକ ବିକୃତ । ଜ୍ୱାଇଁ କାଳେ ମା’ର ଏପରି କଥା ଜାଣି ଝିଅକୁ ଖୁଣ୍ଟା ଦେବ ସେଥିପାଇଁ ସାନ ଦୁଇ ଝିଅଙ୍କୁ କିଛି ବି ଜଣାଇନାହାଁନ୍ତି ଭଗବତୀ । ବଡ ଝିଅ ଜ୍ୱାଇଁ ଆଉ କେତେ ବା ସାହାଯ୍ୟ କରିଥାନ୍ତେ । ସମ୍ବଳ ବୋଲି ମାସିକ ୫୫ ଟଙ୍କା ବାର୍ଦ୍ଧକ୍ୟ ଭତ୍ତାକୁ ପୁଅର ମାସକୁ ୫୦୦ ଭିନ୍ନକ୍ଷମ ଭତ୍ତା, ଆଉ ୧୦ କେଜି ଚାଉଳ । ଏତିକିରେ ତ ଜୀବନ ବଞ୍ଚିବା କଷ୍ଟ ଲୋକଙ୍କ ଧାର ସୁଝିବେ ବା କେଉଁଠୁ  ଋଣ ବାବଦକୁ ମାସକୁ ଦେବାକୁ ପଡୁଛି ୪୦୦୦ ଟଙ୍କା । ତାକୁ ଆଣିବେ କେଉଁଠୁ । କାମ କରିବାକୁ ତ ଆଉ ବଳ ନାହିଁ । ତେଣୁ ଭିକ ମାଗିବାକୁ ଆରମ୍ଭ କଲେ । ହେଲେ ରାଜଧାନୀରେ ଭିକାରୀଙ୍କ ଉପରେ ବିଏମସିର କଡା ନଜର ତାଙ୍କୁ ରଖେଇଦେଲାନି । ତେଣୁ ବାଧ୍ୟ ହୋଇ ଚାଲିଆସିଲେ ଇସ୍ପାତ ନଗରୀ ରାଉରକେଲା । ମହାପ୍ରଭୁଙ୍କୁ ଆଶା କରିଛନ୍ତି, ଯାହା ଭିକ ମିଳୁଛି, ତାକୁ ନେଇ ଋଣ ସୁଝିବାକୁ ଆଣ୍ଟ ବାନ୍ଧିଛନ୍ତି ଭଗବତୀ  ।

ଭଗବତୀଙ୍କର ଏପରି କାହାଣୀ ଗଣମାଧ୍ୟମରୁ ଜାଣିବା ପରେ ତାଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ସ୍ଥାନୀୟ ସମାଜସେବୀ ମିନତୀ ଦେବତା ଓ ଅନ୍ୟ ସହୃଦୟ ବ୍ୟକ୍ତି । ତାଙ୍କୁ ଅବଶ୍ୟକ ଅର୍ଥ ଦେବାସହ ତାଙ୍କୁ ନେଇ ତାଙ୍କ ଘରେ ଛାଡିବା ପର୍ଯ୍ୟନ୍ତ ସବୁ କାମ କରିବାକୁ ବାହାରିଛନ୍ତି  ।

 ଈଶ୍ୱରଙ୍କ ପାଖରେ ଏତିକି ପ୍ରାର୍ଥନା ଭଗବତୀଙ୍କର ସବୁ ଦୁଃଖ ଲାଘବ ହେଉ । ବାକି ଜୀବନ ତାଙ୍କର ଶାନ୍ତିରେ କଟିଯାଉ ।