ପୁଅ ଝିଅ ଥାଇ କି ଲାଭ? ଦି ମୁଠା ଭାତ ପାଇଁ ତରସୁଛି ମା’ । ନ୍ୟାୟ ପାଇଁ ପ୍ରଶାସନର ଦ୍ୱାରସ୍ଥ

134

କନକ ବ୍ୟୁରୋ: ଥର ଥର କଣ୍ଠରେ କହୁଥିବା ଏ ବୁଢି ମାଉସୀଙ୍କ କଥାକୁ ଯିଏ ଶୁଣିବ ଆଖି ଜକେଇ ଆସିବ । ୫ ପୁଅ ୪ ଝିଅ ଜନ୍ମ କରି ସେ ଯେମିତି ପାପ କରିଛନ୍ତି । ୯୨ ବର୍ଷ ବୟସରେ ମା’କୁ ଭାଗ ବାଣ୍ଟୁଛନ୍ତି ୫ ପୁଅ । ତାଙ୍କ ଅର୍ଜିତ ସବୁ କିଛି ସମ୍ପତ୍ତିକୁ ପୁଅମାନେ ଭୋଗ କରୁଛନ୍ତି ହେଲେ ମା’କୁ ରଖିବାକୁ ସମସ୍ତେ ଅମଙ୍ଗ । ତେଣୁ ଜୀବନର ଏ ଶେଷ ସମୟରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବୁଢି ମାଉସୀ ।

ଏ ହେଉଛନ୍ତି ଗୁଣୁପୁର ବାସିନ୍ଦା ଶକୁନ୍ତଳା ବିଶୋୟୀ । ବୟସ ଆସି ୯୨ ହେଲାଣି । ଦେହ ବି ଅଚଳ ହୋଇଗଲାଣି । ହେଲେ ଜୀବନ ଯନ୍ତ୍ରଣା କିନ୍ତୁ କମ୍ ନୁହେଁ । ୫ ପୁଅ , ୪ଝିଅଙ୍କୁ ବଢେଇକୁଢେଇ ମଣିଷ କଲେ । ୪ ଝିଅଙ୍କ ଭଲ ଘରେ ବାହା ଦେଲେ, ୪ ପୁଅ ସରକାରୀ ଚାକିରି କଲେ ।ସାନ ପୁଅ ଏକ ଘରୋଇ ବସରେ କଣ୍ଡକ୍ଟର ଭାବେ କାମ କରୁଥିଲେ । ପାଖାପାଖି ୩୦ ଏକର ସମ୍ପତ୍ତି । ସ୍ୱାମୀ ଛାଡିଯାଇଥିଲେ ଘର । ପୁଅମାନେ ସବୁ ସମ୍ପତ୍ତି ଭୋଗ କରୁଛନ୍ତି ହେଲେ ମା’କୁ ଆଡ ଆଖିରେ ଚାହୁଁନାହାଁନ୍ତି । କାଳେ ଅଧିକ ଖର୍ଚ୍ଚ ହୋଇଯିବ ବୋଲି ମା’କୁ ଭାଗ ବାଣ୍ଟି କିଛି କିଛି ମାସ ରଖୁଛନ୍ତି । ବଡ ପୁଅ ସବୁ ସମ୍ପତ୍ତି ଭୋଗ କରୁଥିବାକୁ ନେଇ ଅନ୍ୟ ପୁଅ ଝିଅଙ୍କ ଭିତରେ ଅଶାନ୍ତି, ଏହାର ଫଳ ଭୋଗୁଛି ୯୨ ବର୍ଷର ବୁଢି ମା’ । କାହାରି ମନରେ ଟିକେ ଦୟାମାୟା ନାହିଁ । ଏବେ ସାନ ପୁଅ ପାଖରେ ଆସି ପଡିଥିବାବେଳେ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବୃଦ୍ଧା ଶକୁନ୍ତଳା । ହାତ ଯୋଡି କରୁଛନ୍ତି ଗୁହାରୀ ।

ଏଭଳି ଆଉ ଏକ ଦୟନୀୟ ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଆଳତୁମା ବଡବିଲା ଅଞ୍ଚଳରେ । ବୃଦ୍ଧା ରୁକ୍ମିଣୀ ପାତ୍ର । ବୟସ ୭୦ ଛୁଇଁଲାଣି । ଗୋଟିଏ ପୁଅ ଝିଅ, ଗୋଟିଏ ପୁଅ । ଭାବିଥିଲେ ବୁଢି ବୟସରେ ସୁରୁଖୁରେ ଦିନ ସରିଯିବ । ହେଲେ ସବୁ ଓଲଟିଗଲା । ବାହାହେଲା ଝିଅ ବାପଘରୁ ଭାଗ ବାଣ୍ଟି ସମ୍ପତ୍ତି ନେଇଗଲା । ରାଜରେ ପୁଅ ବୋହୂ ବୁଢି ମା’କୁ ଘରୁ ତଡିଦେଲେ । ଏବେ ସେ ଯିବେ କୁଆଡେ କେମିତି ବଞ୍ଚିବେ? ବାଟ ନପାଇ ଶେଷରେ ଉପଜିଲ୍ଲାପାଳଙ୍କୁ ଜଣାଇଛନ୍ତି ଦୁଃଖ । ନ୍ୟାୟ ପାଇଁ କରିଛନ୍ତି ଗୁହାରୀ । ସବୁ ଶୁଣିବା ପରେ ପୁଅ ଝିଅଙ୍କୁ ଡାକି ଆଲୋଚନା କରିବେ ସମାଧାନ ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ଉପଜିଲ୍ଲାପାଳ ।

ଏସବୁ ଦେଖିବା ପରେ ମନକୁ ପ୍ରଶ୍ନ ଆସେ , ଯଦି ଜୀବନର ଶେଷ ସମୟରେ ପୁଅ ଝିଅଙ୍କ ଠାରୁ ନିର୍ଯାତନା ପାଇ ବୁଢି ମା’ ଆଖିରୁ ଲୁହ ଝରେ ତେବେ ସେ ତତଲା ଲୁହରେ ଏ ସମାଜ ରହିବ ତ?