ବିଶ୍ୱବଜାରରେ ବିକ୍ରି ହେବ ଓଡିଶା ଉତ୍ପାଦ : ଅନଲାଇନରେ ମିଳିବ କଟକର ମାଣିଆବନ୍ଧ ଶାଢୀ, ମୟୁରଭଞ୍ଜର ଘାସ ତିଆରି ଜିନିଷ ଏବଂ କୋରାପୁଟର ହସ୍ତତନ୍ତ ସାମଗ୍ରୀ

134

କନକ ବ୍ୟୁରୋ : ଏଣିକି ଅନଲାଇନରେ ମିଳିପାରିବ ମାଣିଆବନ୍ଧ ଶାଢୀ ଏବଂ ସବାଇଘାସରେ ତିଆରି ସାମଗ୍ରୀ । ଆମାଜାନ ଏବଂ ଫ୍ଲିପକାର୍ଟରେ ଏହା ଉପଲବ୍ଧ ହେବ । ଏନେଇ ଓରମାସ ମାର୍କଟିଂ କମ୍ପାନିମାନଙ୍କ ସହିତ ବୁଝାମଣା କରିଛି । ଏହା ଦ୍ୱାରା ବିଶ୍ୱବଜାରରେ ଓଡିଶାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହେବ ।

କଟକର ମାଣିଆବନ୍ଧ ଶାଢୀ, ମୟୁରଭଞ୍ଜର ସବାଇଘାସରେ ତିଆରି ହାତତିଆରି ଜିନିଷ, କୋରାପୁଟର କୋଟପାଡ ଓ ଇକ୍କତ ବୁଣାକାରୀ, ଢେଙ୍କାନାଳର ଡୋକ୍ରାକାଷ୍ଟିଂ, ପୁରୀର ପଟ୍ଟଚିତ୍ର ଏବେ ମିଳିବ ଅନଲାଇନରେ  ।  ଆମାଜନ, ଫ୍ଲିପକାର୍ଟ, ମିନ୍ତ୍ରା ଭଳି ୫ଟି ଅନଲାଇନ ମାର୍କେଟିଂ ସଂସ୍ଥାରେ ମିଳିବ ଓଡିଶାର ଏହି ପ୍ରସିଦ୍ଧ କାରିଗରୀ  । ଓରମାସ ଏବେ ଏହାକୁ ନିଜ ହାତକୁ ନେଇ ଅନଲାଇନ ମାର୍କେଟିଂ କମ୍ପାନୀମାନଙ୍କସହ ବୁଝାମଣା ସ୍ୱାକ୍ଷର କରିଛି  ।

 

ଅପ୍ରେଲ ୨୦୧୯ ସୁଦ୍ଧା ସାମଗ୍ରୀଗୁଡିକ ଅନଲାଇନରେ ଉପଲବ୍ଧ ହେବ  । ଅନଲାଇନରେ ଉତ୍ପାଦଗୁଡିକ ବିକ୍ରି ପାଇଁ ନିର୍ଦ୍ଦିଷ୍ଟ ମାନ ଆବଶ୍ୟକ ରହିଥାଏ । ଏଥିପାଇଁ ଫ୍ଲିପକାର୍ଟ ଓ ଆମାଜନର ଏକ ପ୍ରତିନିଧି ଆସି ପ୍ରସିଦ୍ଧ ଉତ୍ପାଦ ଗୁଡିକର ଫଟୋ ଉଠାଇ ନେଇଛନ୍ତି  । ଅନଲାଇନ ମାର୍କେଟିଂ ସଂସ୍ଥା ସହିତ ମଧ୍ୟ ଓରମାସର ଆଲୋଚନା କରିଛି ।

ଅନଲାଇନ ମାର୍କେଟିଂ ଦ୍ୱାରା କାରିଗର ସିଧାସଳଖ ଲାଭବାନ ହୋଇପାରିବେ  । ମଧ୍ୟସ୍ଥି ମାନଙ୍କ ଦ୍ୱାରା ଅନ୍ୟାୟର ଶିକାର ହେଉଥିବା କାରିଗର ସିଧାସଳଖ ଗ୍ରାହକଙ୍କୁ ଉତ୍ପାଦ ବିକ୍ରିକରି ଲାଭ ପାଇପାରିବେ । ଓଡିଶାର ନାଁ ମଧ୍ୟ ବିଶ୍ୱରେ ପରିଚିତି ହେବ ।